ପେଟ୍ରୋଲ, ଡିଜେଲ ପ୍ରସ୍ତୁତ ରଖ, ନିର୍ଦ୍ଦେଶ ହେଲେ ଲଗାଇଦେବ ନିଆଁ

ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀଙ୍କ ବିବାଦୀୟ ମନ୍ତବ୍ୟ

ନବରଙ୍ଗପୁର: ପେଟ୍ରୋଲ, ଡିଜେଲ ପ୍ରସ୍ତୁତ ରଖ । ନିର୍ଦ୍ଦେଶ ହେବା ମାତ୍ରେ ନିଆଁ ଲଗାଇ ଦେବ । ପରେ ଯାହା ହେବ ଦେଖାଯିବ । ଏଭଳି ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ପୂର୍ବତନ କଂଗ୍ରେସ ସାଂସଦ ପ୍ରଦୀପ ମାଝୀ ।

ଆଜି ନବରଙ୍ଗପୁର ୧୨ ଘଂଟିଆ ବନ୍ଦ ଡାକରାରେ ଏଭଳି ବିବାଦୀୟ ମନ୍ତବ୍ୟ ଦେଇ ନିଜ କର୍ମୀମାନଙ୍କୁ ଉସକାଉଛନ୍ତି ପ୍ରଦୀପ । ଏଥିନିମନ୍ତେ ସେ ଆଜି ଖୁଲମଖୁଲା ଏପରି କିଛି ଢଙ୍ଗରେ ମୋବାଇଲ୍‌ରେ  କର୍ମୀଙ୍କୁ  ନିର୍ଦ୍ଦେଶ ଦେଇଛନ୍ତି ।   ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ପ୍ରଦୀପ ମାଝୀ ଖୋଲାଖୋଲି ଭାବେ ନିଜ ସମର୍ଥକମାନଙ୍କୁ ହିଂସାତ୍ମକ ଆଚରଣ ନିମନ୍ତେ ପ୍ରୋତ୍ସାହନ ଦେଉଥିବା ଶୁଣିବାକୁ ମିଳୁଛି ।

କୋଷାଗୁମୁଡ଼ା ଅଂଚଳରେ ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା ଅଭିଯୋଗ ଘଟଣାରେ ଦୋଷୀଙ୍କୁ ଗିରଫ ଦାବି ଏବଂ ପୁଲିସ୍‌ ନିଷ୍କ୍ରିୟତା ପ୍ରତିବାଦରେ ଆଜି କଂଗ୍ରେସ ପକ୍ଷରୁ ଏହି ବନ୍ଦ ପାଳନ ଡାକରା ଦିଆଯାଇଛି।