ବିଜେଡିରେ ଯୋଗଦେଲେ କଂଗ୍ରେସର ୨୦୧୪ବିଧାୟକ ପ୍ରାର୍ଥୀ ପ୍ରଦୀପ ଦିଶାରୀ

ଭୁବନେଶ୍ୱର : ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛ ନେତୃତ୍ୱ ଏବଂ ଜନହିତକର କାର୍ଯ୍ୟକ୍ରମ ପ୍ରତି ଆକୃଷ୍ଟ ହୋଇ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀରେ ୨୦୧୪ ସାଧାରଣ ନିର୍ବାଚନରେ କଂଗ୍ରେସର ବିଧାୟକ ପ୍ରାର୍ଥୀ ହୋଇଥିବା ଅନୁସୂଚିତ ଜନଜାତି ନେତା ପ୍ରଦୀପ କୁମାର ଦିଶାରୀ ତାଙ୍କର ୨୦୦ରୁ ଊଦ୍ଧ୍ୱର୍ ସମର୍ଥକଙ୍କ ସହ ନବୀନ ନିବାସରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ଆଜି ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି ।
ବିଜେଡି ପ୍ରତି ଆସ୍ଥା ପ୍ରକଟ କରି ଦଳରେ ଯୋଗ ଦେଇଥିବା ଶ୍ରୀ ଦିଶାରୀଙ୍କୁ ମାନ୍ୟବର ସଭାପତି ଶ୍ରୀଯୁକ୍ତ ପଟ୍ଟନାୟକ ସ୍ୱାଗତ କରିବା ସହ କହିଥିଲେ ଯେ ଆଜି ଶ୍ରୀ ଦିଶାରୀ ବିଜୁ ଜନତା ଦଳରେ ଯୋଗ ଦେଇଥିବାରୁ ମୁଁ ବହୁତ ଖୁସି । ଏହି ଯୋଗଦାନ କଳାହାଣ୍ଡି ଜିଲ୍ଲା ସହ ଲାଞ୍ଜିଗଡ଼ ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ଶକ୍ତି ବୃଦ୍ଧି ହେବାରେ ସହାୟକ ହେବ ।
ଯୋଗଦେବା ଅବସରରେ ଶ୍ରୀ ଦିଶାରୀ କହିଥିଲେ ଯେ ସ୍ୱାସ୍ଥ୍ୟ, ଗମନାଗମନ ଓ ଶିକ୍ଷା କ୍ଷେତ୍ରରେ ଓଡ଼ିଶା ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସରକାର ଯେଉଁ ପ୍ରକାର ଯୋଜନା କାର୍ଯ୍ୟକାରୀ କରାଇଛନ୍ତି, ସେଗୁଡିକ ଠିକ୍‍ ଭାବେ ରୂପାୟନ ହେବା ସହ ଲୋକଙ୍କ ପାଖରେ ପହଞ୍ôଚପାରୁଛି । ଯାହାଫଳରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଆଜି ଓଡ଼ିଶାର ଜଣେ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଭାବେ ଘରେ ଘରେ ପରିଚିତ ହୋଇପାରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଧାରା ଓ ନେତୃତ୍ୱରେ ମୁଁ ଅନୁପ୍ରାଣିତ ହୋଇ ଆଜି ବିଜେଡିରେ ଯୋଗ ଦେଇଛି । ଆଗାମୀ ଦିନରେ ଜିଲ୍ଲାରେ ବିଜେଡିକୁ କିପରି ମଜଭୁତ କରାଯାଇପାରିବ, ସେଥିଲାଗି ଦଳର ନିର୍ଦ୍ଦେଶମତେ କାର୍ଯ୍ୟ କରିବି ବୋଲି ଶ୍ରୀ ଦିଶାରୀ କହିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ବିଧାୟକ ଶ୍ରୀ ବଳଭଦ୍ର ମାଝୀ, ଶ୍ରୀ ଅନାମ ନାଏକଙ୍କ ସମେତ ବହୁ ଦଳୀୟ କର୍ମକର୍ତ୍ତା ଉପସ୍ଥିତ ଥିଲେ ।