ବରିଷ୍ଠ କଂଗ୍ରେସ ନେତା ଜୟପାଲ ରେଡ୍ଡୀଙ୍କ ପରଲୋକ

ହାଇଦ୍ରାବାଦ: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜୟପାଲ ରେଡ୍ଡୀଙ୍କର ଆଜି ପରଲୋକ ହୋଇଯାଇଛି। ହାଇଦ୍ରାବାଦର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୭ ବର୍ଷ ହୋଇଥିଲା। ଆସନ୍ତାକାଲି ହାଇଦ୍ରାବାଦରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯିବ ବୋଲି ଜଣାପଡ଼ିଛି।

ଜୟପାଲ ରେଡ୍ଡୀ ନିମୋନିଆରେ ପୀଡ଼ିତ ଥିଲେ। ତେଣୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ରବିବାର ରାତି ପ୍ରାୟ ସାଢ଼େ ଗୋଟେ ବେଳେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।

ଶ୍ରୀ ରେଡ୍ଡୀ ୪ ଥର ବିଧାୟକ ହୋଇଥିଲେ। ସେ ୧୯୬୯ରୁ ୧୯୮୪ ମଧ୍ୟରେ ମେଡକ ଆସନରୁ ଚାରି ଥର ଆନ୍ଧ୍ର ପ୍ରଦେଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ସେ ୫ ଥର ଲୋକସଭାକୁ ନିର୍ବାଚିତ ହୋଇଥିବା ବେଳେ ୨ ଥର ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ସେ କେନ୍ଦ୍ରରେ ବିଭିନ୍ନ ମନ୍ତ୍ରଣାଳୟର ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ଆଇ.କେ ଗୁଜରାଲ୍‌ଙ୍କ ସରକାରରେ ସେ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଥିଲେ। କଂଗ୍ରେସ ନେତୃତ୍ୱାଧୀନ ୟୁପିଏ-୧ ସରକାରରେ ସେ ନଗର ଉନ୍ନୟନ ଓ ସଂସ୍କୃତି ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ। ୟୁପିଏ-୨ ସରକାରରେ ମଧ୍ୟ ସେ ନଗର ଉନ୍ନୟନ, ପେଟ୍ରୋଲିୟମ୍, ଆର୍ଥ ସାଇନ୍ସ, ଓ ବିଜ୍ଞାନ ଏବଂ ପ୍ରଯୁକ୍ତି ମନ୍ତ୍ରଣାଳୟର ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିଲେ।

ସ୍ୱର୍ଗତ ରେଡ୍ଡୀ ପ୍ରଥମେ କଂଗ୍ରେସରେ ଥିଲେ। ତେବେ ଦେଶରେ ଜରୁରୀ ପରିସ୍ଥିତି ଜାରି ହୋଇଥିବା ବେଳେ ସେ ଏହାକୁ ବିରୋଧ କରି କଂଗ୍ରେସ ଛାଡ଼ିଥିଲେ। ୧୯୭୭ରେ ସେ ଜନତା ଦଳରେ ଯୋଗ ଦେଇଥିଲେ। ୧୯୮୦ ମସିହାରେ ସେ ଇନ୍ଦିରା ଗାନ୍ଧିଙ୍କ ବିପକ୍ଷରେ ଲଢ଼ି ଲୋକସଭା ନିର୍ବାଚନ ହାରି ଯାଇଥିଲା। ସେ ମେଡକ ଲୋକସଭା ଆସନରୁ ଏହି ନିର୍ବାଚନ ଲଢ଼ିଥିଲେ। ୧୯୮୫ରୁ ୧୯୮୮ ପର୍ଯ୍ୟନ୍ତ ସେ ଜନତା ପାର୍ଟିର ସାଧାରଣ ସଂପାଦକ ଭାବେ କାର୍ଯ୍ୟ କରିଥିଲେ। ସେ ପ୍ରଥମେ ୧୯୮୪ ମସିହାରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ତେବେ ୨୧ ବର୍ଷ ପରେ ସେ ପୁଣି କଂଗ୍ରେସକୁ ଫେରିଥିଲେ ଓ ୧୯୯୯ ମସିହାରେ ତୃତୀୟ ଥର ପାଇଁ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ଏହା ପରେ ୨୦୦୪ ଓ ୨୦୦୯ରେ ମଧ୍ୟ ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ୧୯୯୦ରୁ ୧୯୯୬ ଓ ୧୯୯୭ରୁ ୧୯୯୮ ପର୍ଯ୍ୟନ୍ତ ସେ ରାଜ୍ୟସଭା ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ।

୧୯୪୨ ମସିହା ଜାନୁଆରୀ ୧୬ ତାରିଖରେ ହାଇଦ୍ରାବାଦର ମଦଗୁଲ୍‌ରେ ଶ୍ରୀ ରେଡ୍ଡୀ ଜନ୍ମ ହୋଇଥିଲେ। ଏବେ ଏହା ତେଲେଙ୍ଗାନାରେ ଆସୁଛି। ସେ ହାଇଦ୍ରାବାଦର ଓସ୍‌ମାନିଆ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଥିଲେ। ତାଙ୍କର ଦୁଇ ଜଣ ପୁଅ ଓ ଜଣେ ଝିଅ ଅଛନ୍ତି। ତାଙ୍କ ମୃତ୍ୟୁରେ କଂଗ୍ରେସ ପକ୍ଷରୁ ଶୋକପ୍ରକାଶ କରାଯାଇଛି।ସୂଚନାଯୋଗ୍ୟ, ଗତ ଶନିବାର କଂଗ୍ରେସ ବରିଷ୍ଠ ନେତ୍ରୀ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶୀଲା ଦୀକ୍ଷିତଙ୍କୁ ହରାଇଥିଲା।