କଂଗ୍ରେସ ଘୋଷଣା କଲା ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା

ଭୁବନେଶ୍ୱର: ଓଡିଶା ପାଇଁ କଂଗ୍ରେସ ଘୋଷଣା କଲା ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଆଜି ଶେଷ ତାରିଖ ହୋଇଥିବା ବେଳେ ଆସନ୍ତାକାଲି ଠାରୁ ପ୍ରଚାର ମୈଦାନରେ ପ୍ରାର୍ଥୀଙ୍କୁ ଦେଖିବାକୁ ମିଳିବ । ଆଉ ଏସବୁ ଭିତରେ ଆଜି କଂଗ୍ରେସ ନିଜର ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି । ଏହି ଷ୍ଟାର ପ୍ରଚାରକ ତାଲିକାରେ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧିଙ୍କ ନେତୃତ୍ୱରେ ପ୍ରଚାର ମୈଦାନକୁ ଓହ୍ଲାଇବ ଦଳ । ସେହିଭଳି କ୍ରିକେଟରରୁ ରାଜନେତା ପାଲଟିଥିବା ନବଜୋତ ସିଂ ସିଦ୍ଧୁ ଓ ମହମ୍ମଦ ଆଝାରୁଦ୍ଦିନଙ୍କୁ ମଧ୍ୟ ପ୍ରଚାର ମୈଦାନରେ ଦେଖିବାକୁ ମିଳିବ ।

ଚଳିତ ନିର୍ବାଚନରେ ପ୍ରଥମ ଥର ପାଇଁ ପ୍ରିୟଙ୍କା ଗାନ୍ଧୀଙ୍କୁ ପ୍ରଚାର ମୈଦାନରେ ଦେଖିବାକୁ ମିଳିବ । ଏହାପୂର୍ବରୁ ପ୍ରିୟଙ୍କାଙ୍କ ପ୍ରଚାର କେବଳ ଆମେଠି ଓ ରାୟବରେଲୀ ମଧ୍ୟରେ ସୀମିତ ରହିଥିଲା । କିନ୍ତୁ ଚଳିତଥର କଂଗ୍ରେସ ଦଳକୁ ବଳ ଦେବାକୁ ପ୍ରଚାର ମୈଦାନକୁ ପ୍ରିୟଙ୍କା ଓହ୍ଲାଇବାକୁ ଯାଉଥିବା ବେଳେ କ୍ରିକେଟରରୁ ରାଜନେତା ପାଲଟିଥିବା ନବଜୋତ ସିଂ ସିଦ୍ଧୁଙ୍କୁ ମଧ୍ୟ ଓଡିଶାରେ ପ୍ରଚାର କରୁଥିବାର ନଜର ଆସିପାରନ୍ତି । ସେହିଭଳି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ସମେତ ଓଡିଶା କଂଗ୍ରେସର ହେଭିୱେଟ ନେତା ତଥା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ନରସିଂହ ମିଶ୍ର, ଚିରଞ୍ଜିବୀ ବିଶ୍ୱାଳ, ପ୍ରଦୀପ ମାଝୀଙ୍କ ଭଳି ତୁଙ୍ଗ ନେତାଙ୍କୁ ପ୍ରଚାର ମୈଦାନରେ ଦେଖିବାକୁ ମିଳିବ । ଏହାଛଡା ଯୁବବର୍ଗର ଭୋଟରଙ୍କୁ ଆକୃଷ୍ଟ କରିବାକୁ ସଚିନ ପାଇଲଟ ଓ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଭଳି ୟୁଥ୍ ଆଇକନଙ୍କୁ ପ୍ରଚାର ମୈଦାନକୁ ଓହ୍ଲାଇବ ଦଳ । ସେହିଭଳି ସେଲିବ୍ରିଟି ଭାବେ ବଲିଉଡ ହିରୋଇନ ନଗମା, ବିଜୟାଶନ୍ତିଙ୍କୁ ଦଳ ପ୍ରଚାର ମୈଦାନକୁ ଓହ୍ଲାଇବ । ତେବେ କଂଗ୍ରେସର ଏହି ଷ୍ଟାର ପ୍ରଚାରକ ଉଭୟ ବିଜେଡି ଓ ବିଜେପି ଉପରେ କେତେ ଭାରି ପଡିବେ ତାହା ଉପରେ ସମସ୍ତଙ୍କର ନଜର ରହିବ ।