ରାଜସ୍ଥାନ,ମଧ୍ୟପ୍ରଦେଶ ଓ ଛତିଶଗଡରେ ଆରମ୍ଭ ହେଲା ‘କଂଗ୍ରେସରାଜ’ ଶପଥ ନେଲେ ତିନି ନୂଆ ମୁଖ୍ୟମନ୍ତ୍ରୀ

ଛତିଶଗଡ଼

ବରିଷ୍ଠ କଂଗ୍ରେସ ନେତା ଭୂପେଶ ବାଘେଲା ଛତିଶଗଡ଼ର ନୂତନ ମୁଖ୍ୟମନ୍ତ୍ରୀ ଭାବେ ସନ୍ଧ୍ୟାରେ ଶପଥ ଗ୍ରହଣ କରିଛନ୍ତି। ରାୟପୁରର ବଲବୀର ସିଂହ ଜୁନେଜା ଇନ୍‌ଡୋର୍‌ ଷ୍ଟାଡିୟମ ଠାରେ ଆୟୋଜିତ ଏହି ଶପଥ ଗ୍ରହଣ ଉତ୍ସବରେ ଛତିଶଗଡ଼ର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଭୂପେଶ ବାଘେଲା ପଦ ଓ ଗୋପନୀୟତାର ଶପଥ ନେଇଥିଲେ। ମୁଖ୍ୟମନ୍ତ୍ରୀ ବାଘେଲାଙ୍କ ଶପଥ ଗ୍ରହଣ ଉତ୍ସବରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ, ବରିଷ୍ଠ କଂଗ୍ରେସ ନେତା ମୋତିଲାଲ ଭୋରା ପ୍ରମୁଖ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।
ପୂର୍ବରୁ ଏହି ଶପଥ ଗ୍ରହଣ ଉତ୍ସବ ସାଇନ୍ସ କଲେଜ ପଡ଼ିଆରେ ଆୟୋଜନ ପାଇଁ ସ୍ଥିର କରା ଯାଇଥିବା ବେଳେ ପ୍ରବଳ ବର୍ଷା କାରଣରୁ ଶେଷ ମୁହୂର୍ତ୍ତରେ ଏହାକୁ ରାୟପୁରର ବଲବୀର ସିଂହ ଜୁନେଜା ଇନ୍‌ଡୋର୍‌ ଷ୍ଟାଡିୟମକୁ ସ୍ଥାନାନ୍ତର କରା ଯାଇଥିଲା।

ମଧ୍ୟପ୍ରଦେଶ

ମଧ୍ୟପ୍ରଦେଶରେ ଆଜି ଠାରୁ ଆରମ୍ଭ ହୋଇଛି ‘କମଳରାଜ’। ମଧ୍ୟପ୍ରଦେଶ ପିସିସି ସଭାପତି କମଳନାଥ କଂଗ୍ରେସ ବିଧାୟକ ଦଳ ନେତାଭାବେ ନିର୍ବାଚିତ ହେବା ପରେ ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି।
ମଧ୍ୟପ୍ରଦେଶରେ ମ୍ୟାଜିକ୍‌ ନମ୍ବର ଠାରୁ ମାତ୍ର ୨ଟି ଆସନରୁ ବଞ୍ଚିତ ହୋଇ୧୧୪ଟି ଆସନରେ ବିଜୟୀ ହୋଇଥିଲା। ତେବେ ବିଜେପିର ବିରୋଧୀଭାବେ ଜଣାଶୁଣା ବିଏସପି ଓ ସମାଜବାଦୀ ପାର୍ଟି କଂଗ୍ରେସକୁ ସମର୍ଥନ ଦେବା ପାଇଁ ଘୋଷଣା କରିବା ପରେ ମଧ୍ୟପ୍ରଦେଶରେ କଂଗ୍ରେସ ସରକାର ଗଠନ କରିବା ନିଶ୍ଚିତ ହୋଇଯାଇଥିଲା। ତେବେ କମଳନାଥ ଓ କଂଗ୍ରେସ ପ୍ରଚାର କମିଟି ଅଧ୍ୟକ୍ଷ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମଧ୍ୟର ମୁଖ୍ୟମନ୍ତ୍ରୀ ପଦବି ପାଇଁ ଟଣା ଓଟରା ଲାଗିବା ପରେ ଶେଷରେ ରାହୁଳ ଗାନ୍ଧୀ ହସ୍ତକ୍ଷେପ କରି କମଳନାଥଙ୍କୁ ମଧ୍ୟପ୍ରଦେଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ପାଇଁ ସ୍ଥିର କରିଥିଲେ।
ଏହି ଶପଥଗ୍ରହଣ ଉତ୍ସବରେ କେବଳ କମଳନାଥ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଦଳର ଅନ୍ୟ ମନ୍ତ୍ରୀ ମାନେ ପରେ ଶପଥ ଗ୍ରହଣ କରିବେ। ଏହି ଶପଥଗ୍ରହଣ ଉତ୍ସବରେ କ୍‌ଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧୀ, ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ, ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଜେଡିଏସ ରାଷ୍ଟ୍ରୀୟ ଅଧ୍ୟକ୍ଷ ଏଚ ଡି ଦେବଗୌଡ଼ା, ଜାମ୍ମୁ ଓ କାଶ୍ମୀରର ପୂର୍ବତନ ପ୍ରଧାନମନ୍ତ୍ରୀ ଫାରୁକ ଅବଦୁଲ୍ଲା, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶରଦ ଯାଦବ,ଏନସିପି ନେତା ଶରତ ପାଓ୍ଵାର, ମଧ୍ୟପ୍ରଦେଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ , ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ, ଓଡ଼ିଶା ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ବିରୋଧୀ ଦଳ ନେତା ନରସିଂହ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ରାଜସ୍ଥାନ

ରାଜସ୍ଥାନର ଅଶୋକ ଗେହଲଟ୍‌ଙ୍କ ଶପଥ ଗ୍ରହଣ ଉତ୍ସବରେ ଭାଜପା ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ସିନ୍ଧିଆ ଯୋଗଦେଇ ସୃଷ୍ଟି କରିଛନ୍ତି ଏକ ନୂଆ ଇତିହାସ।
ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଭାବେ ଆଜି ଶପଥ ନେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହଲଟ୍‌। ରାଜ୍ୟପାଳ କଲ୍ୟାଣ ସିଂହ ତାଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। ଅଶୋକ ଗେହଲଟ୍ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ସଚିନ୍ ପାଇଲଟ୍ ଉପ-ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି।
ଜୟପୁର ସ୍ଥିତ ଆଲବର୍ଟ ହଲ୍ ପରିସରରେ ଏହି ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଗେହଲଟ୍ ତୃତୀୟ ଥର ପାଇଁ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଏହା ପୂର୍ବରୁ ସେ ୧୯୯୮ରୁ ୨୦୦୩ ଓ ୨୦୦୮ରୁ ୨୦୧୩ ପର‌୍ୟ୍ୟନ୍ତ ମୁଖ୍ୟମନ୍ତ୍ରୀ ହୋଇଥିଲେ। ନିର୍ବାଚନ ଫଳାଫଳ ଆସିବାର ଦୁଇ ଦିନ ପର‌୍ୟ୍ୟନ୍ତ ମାନସମନ୍ଥନ କରିବା ପରେ ଅଶୋକ ଗେହଲଟ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ହେବେ ବୋଲି ନିଷ୍ପତ୍ତି ହୋଇଥିଲା। ସଚିନ୍‌ ପାଇଲଟ ବି ମୁଖ୍ୟମନ୍ତ୍ରୀ ଦୌଡ଼ରେ ସାମିଲ ଥିଲେ। ସେଥିପାଇଁ ସମସ୍ୟା ସୃଷ୍ଟି ହୋଇଥିଲା।