କଂଗ୍ରେସ କଳି : ଶ୍ରୀକାନ୍ତଙ୍କୁ ବୁଡାଇବ ‘ଚକ୍ରାନ୍ତ’

ଭୁବନେଶ୍ୱର: ଜନତା ଦଳରେ ସେ କୁଆଡେ ଗୃହଭେଦୀ ବିଭୀଷଣ ଥିଲେ । ନିଜ ଦଳର ନେତାଙ୍କ ଗୋଡ ଟାଣୁଥିଲେ ଶ୍ରୀକାନ୍ତ ଜେନା । ଏମିତିକି ବିଜୁ ବାବୁଙ୍କ ଅବୁଝା ପୁଅର ଟ୍ୟାଗ ପାଇଥିବା ଶ୍ରୀକାନ୍ତ କାଳେ ବିଜୁ ବାବୁଙ୍କୁ ଚକ୍ରାନ୍ତ କରି ପ୍ରଧାନମନ୍ତ୍ରୀ କରାଇ ନଦେବା କଳଙ୍କ ରହିଛି ତାଙ୍କ ନାଁରେ । ଆଉ ଏବେ କଂଗ୍ରେସରେ ସେ କେଁ ପୂରାଉଛନ୍ତି । ଦଳରେ କିଛି ନେତାଙ୍କୁ ହାତ କରି ସେ ଏମିତି ଖେଳ ଖେଳୁଛନ୍ତି ଯେ, କଂଗ୍ରେସ ଦିନକୁ ଦିନ ରସାତଳକୁ ଯାଉଛି । ରାଜ୍ୟ ରାଜନୀତିରେ ଚକ୍ରାନ୍ତ ଜେନା ଟାଇଟଲ ପାଇଥିବା ଶ୍ରୀକାନ୍ତ ଜେନାଙ୍କ ଚକ୍ରାନ୍ତ ହିଁ ତାଙ୍କୁ ଖାଇବ ବୋଲି ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଚାଲିଛି ।

ଦଳ ଭିତରେ ଅସ୍ଥିରତା ସୃଷ୍ଟି କରିବା ଓ ଦଳୀୟ ନେତାଙ୍କ ବିରୋଧରେ ଷଡ୍୍ଯନ୍ତ୍ର କରିବା ଘଟଣା ବରିଷ୍ଠ କଂଗ୍ରେସ ନେତା ଶ୍ରୀକାନ୍ତ ଜେନାଙ୍କ ପାଇଁ ମହଙ୍ଗା ପଡ଼ିଛି । ଦଳ ବିରୋଧୀ ଚକ୍ରାନ୍ତ ତାଙ୍କୁ ଶେଷରେ ଧରା ପକାଇ ଦେଇଛି । ଏହି ଘଟଣା ପାଇଁ ତାଙ୍କୁ ଦଳର ଇସ୍ତାହାର କମିଟି ଅଧ୍ୟକ୍ଷ ପଦରୁ ରାହୁଲ ଗାନ୍ଧି ବିଦା କରି ଦେଇଛନ୍ତି । କୁହାଯାଉଛି କଂଗ୍ରେସରେ କନ୍ଦଳ ସୃଷ୍ଟି କରିବା ନେଇ ଶ୍ରୀକାନ୍ତଙ୍କ ବିରୋଧରେ ପିସିସି ପକ୍ଷରୁ ଏଆଇସିସିରେ ଅଭିଯୋଗ କରାଯାଇଥିଲା । ଯାହାକୁ ଭିତ୍ତି କରି ପ୍ରଥମ ପର୍ଯ୍ୟାୟରେ ତାଙ୍କୁ ଦଳର ଇସ୍ତାହାର କମିଟିରୁ ବିଦା କରି ଅପମାନିତ କରାଗଲା । କାରଣ ଏହି ଇସ୍ତାହାର କମିଟି ଗଠନ ଅଳ୍ପଦିନ ତଳେ କରାଯାଇଥିଲା । ଏକଥା କୁହାଯାଉଛି ତାଙ୍କ ବିରୋଧରେ ଆଉ କିଛି କାର୍ଯ୍ୟାନୁଷ୍ଠାନ ମଧ୍ୟ ଆସନ୍ତା ୧୧ ତାରିଖ ୫ ରାଜ୍ୟର ନିର୍ବାଚନ ଫଳାଫଳ ଆସିବା ପରେ ନିଆଯାଇପାରେ । କେବଳ ଶ୍ରୀକାନ୍ତ ନୁହନ୍ତି ତାଙ୍କ ଇସାରାରେ ନାଚୁଥିବା ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ । ତାଙ୍କୁ ଦଳରୁ ନିଲମ୍ବିତ କରାଯାଇପାରେ ଏଭଳି ଏକ ଚର୍ଚ୍ଚା ମଧ୍ୟ ଚାଲିଛି । ପୂର୍ବରୁ କଂଗ୍ରେସ ପକ୍ଷରୁ ଦଳିତ ସମାବେଶ ହୋଇସାରିଥିଲା ବେଳେ ପୁଣି ସମାନ କାର୍ଯ୍ୟକ୍ରମ ଦଳର ବିନା ଅନୁମତିରେ ସଗରିଆ କରିଛନ୍ତି । ଆଉ ତାଙ୍କ ସମାବେଶର ମୁଖ୍ୟ ହେଉଛନ୍ତି ଶ୍ରୀକାନ୍ତ ଜେନା ।

ଶ୍ରୀକାନ୍ତ ଅତି ଚତୁରାତର ସହ ତାଙ୍କର ଚକ୍ରାନ୍ତ ଆରମ୍ଭ କରିଛନ୍ତି । ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ସହ ରହି ଦଳର ଜନସମ୍ପର୍କ ଯାତ୍ରାରେ ସାମିଲ ହେଲେ । ଏପରିକି ଯେଉଁ ଶ୍ରୀକାନ୍ତ ଦଳିତ ଓ ପଛୁଆବର୍ଗ ନେତୃତ୍ୱ ନେବା କଥା ବୋଲି ସବୁବେଳେ କହି ଆସୁଥିଲେ ସେ ବାଲେଶ୍ୱର ସଭାରେ କଂଗ୍ରେସ ଆସିଲେ ନିରଂଜନ ମୁଖ୍ୟମନ୍ତ୍ରୀ ହେବେ ବୋଲି କହିଲେ । ଲଙ୍କାପୁରରେ ହରିଶ ବ୍ଦ ଭଳି ଶ୍ରୀକାନ୍ତଙ୍କ ମୁହଁରେ ନିରଂଜନଙ୍କ ପ୍ରଶଂସା ସମସ୍ତଙ୍କୁ ଚକିତ କରିଥିଲା । ଏପଟେ ନିରଂଜନଙ୍କ ସହ ରହିଥିବା ଉପରକୁ ଧାରଣା ସୃଷ୍ଟି କରି ଭିତରେ ଚେର କାଟିବାରେ ଲାଗିଲେ । ବିଧାୟକ ଦଳକୁ ବିଭାଜିତ କରିବା ପାଇଁ ଚାଲ ଚଳାଇଲେ । ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କୁ ତାଙ୍କ ପଦବୀରୁ ହଟାଇବା ପାଇଁ ସୁଚିନ୍ତିତ ଯୋଜନା କଲେ । ବିଧାନସଭାରେ କଂଗ୍ରେସର ମାତ୍ର ୧୫ ଜଣ ବିଧାୟକ ଅଛନ୍ତି । ଏମାନଙ୍କ ଭିତରୁ ଯଦି ଜଣେ ବି ଇସ୍ତଫା ଦିଅନ୍ତି ତେବେ କଂଗ୍ରେସ ଆଉ ବିଧାନସଭରେ ବିରୋଧୀ ଦଳ ମାନ୍ୟତା ପାଇବନାହିଁ । ଏକଥା ଜାଣି କୃଷ୍ଣଚନ୍ଦ୍ର ସଗରିଆଙ୍କୁ ମୋହରା ବନାଇଲେ । କୁହାଯାଏ ଶ୍ରୀକାନ୍ତଙ୍କ ଇସାରାରେ ସଗରିଆ କଂଗ୍ରେସ ଟିକଟରେ ବିଧାୟକ ହୋଇଥିଲେ ବି ଏଆଇସିସି କିମ୍ବା ପିସିସିକୁ ନ ଜଣାଇ ସିଧାସଳଖ ବାଚସ୍ପତିଙ୍କୁ ଭେଟି ବିଧାୟକ ପଦରୁ ଇସ୍ତଫା ଦେଇଥିଲେ । ସେମାନେ ଜାଣିଥିଲେ ଯେ, ସଗରିଆ ଇସ୍ତଫା ଦେଲେ କଂଗ୍ରେସ ବିଧାୟକ ଦଳ ମାନ୍ୟତା ପାଇବ ନାହିଁ ଓ ନରସିଂହ ମିଶ୍ର ବିରୋଧୀଦଳ ନେତା ପଦ ହରାଇବେ । କିନ୍ତୁ ଏମାନେ ବୋଧହୁଏ ଜାଣି ନ ଥିଲେ ଯେ, ସମତାକ୍ରାନ୍ତିର ବିଧାୟକ ଜର୍ଜ ତିର୍କୀ କଂଗ୍ରେସ ବିଧାୟକ ଭାବେ ଯୋଗ ଦେଇ ସାରିଛନ୍ତି । ସମସ୍ତଙ୍କର ଧାରଣା ଥିଲା ଜର୍ଜ ତିର୍କୀ ସ୍ୱାଧୀନ ବିଧାୟକ । ପ୍ରକୃତରେ ଯଦି ସେ ସ୍ୱାଧୀନ ବିଧାୟକ ହୋଇଥାନ୍ତେ ତେବେ କଂଗ୍ରେସରେ ଯୋଗଦେଲା ପରେ କଂଗ୍ରେସ ବିଧାୟକ ଦଳର ସଦସ୍ୟ ଭାବେ ବିବେଚିତ ହୋଇପାରି ନ ଥାନ୍ତେ । କିନ୍ତୁ ଚକ୍ରାନ୍ତକାରୀ ଜାଣି ନ ଥିଲେ ଯେ, ତିର୍କୀ ହେଉଛନ୍ତି ସମତାକ୍ରାନ୍ତିର ବିଧାୟକ । ଏଣୁ ଗୋଟିଏ ଦଳ ଆଉ ଗୋଟିଏ ଦଳ ସହ ମିଶିବାର ବ୍ୟବସ୍ଥା ଥିବାରୁ ତିର୍କୀ ସଙ୍ଗେ ସଙ୍ଗେ କଂଗ୍ରେସ ବିଧାୟକ ହୋଇପାରିଲେ । ଆଉ ଚକ୍ରାନ୍ତକାରୀଙ୍କ ଚକ୍ରାନ୍ତ ଫେଲ ମାରିଲା । ସଗରିଆଙ୍କୁ ଧରି ଶ୍ରୀକାନ୍ତ ଏହି ଚାଲ ଖେଳିଥିବା କଥା ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲା । ଦଳର ତଳସ୍ତରରୁ ଉପରସ୍ତର ଯାଏ କାହାରି ପାଖରେ ଆଉ ଏକଥା ଅବୁଝା ରହିଲାନାହିଁ ।

କେବଳ ଏତିକି ନୁହେଁ ସଗରିଆଙ୍କୁ ଦଳର ଦଳିତ ସେଲର ଅଧ୍ୟକ୍ଷ ପଦରୁ ବାଦ ଦେବା ପରେ ତାଙ୍କୁ ଧରି ସବୁ ଚାଲ ଖେଳୁଛନ୍ତି ଶ୍ରୀକାନ୍ତ ବୋଲି କୁହାଯାଉଛି । ଦଳର ଏସ୍ସି ସେଲ ଅଧ୍ୟକ୍ଷ ଭାବେ ବିଭୁ ପ୍ରସାଦ ତରାଇ ଦାୟିତ୍ୱ ଗ୍ରହଣ କରିବା ପରେ ଦଳିତମାନଙ୍କର ଏକ ସମାବେଶ ଦଳ ପକ୍ଷରୁ ନିକଟରେ ସ୍ୱାଧୀନତା ସଂଗ୍ରାମୀ ଭବନପଡ଼ିଆରେ କରିଥିଲେ । ଏଥିରେ ପିସିସି ସଭାପତି, ବିରୋଧୀଦଳ ନେତାଙ୍କ ସମେତ ଦଳର ପ୍ରମୁଖ ନେତାମାନେ ଯୋଗଦେଇଥିଲେ । କିନ୍ତୁ ଶ୍ରୀକାନ୍ତ ଯାଇ ନ ଥିଲେ । ଗୁରୁବାର ସଗରିଆ ସେହିପଡ଼ିଆରେ ଦଳିତମାନଙ୍କ ସମାବେଶ କରିଛନ୍ତି । ଆଉ ଏଥିରେ ମୁଖ୍ୟ ଆକର୍ଷଣ ରହିଛନ୍ତି ଶ୍ରୀକାନ୍ତ । ଦଳର ଗୋଟିଏ ସମାବେଶ ପରେ ତାକୁ ଚ୍ୟାଲେଞ୍ଜ ଦେଇ ଆଉ ଏକ ସମାବେଶ କରିବା ଘଟଣା ଦଳୀୟ ବିଶୃଙ୍ଖଳା ସୂଚନା ଦେଉଛି । ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କୁ ଚ୍ୟାଲେଞ୍ଜ ଦେଇ ଏଭଳି ସମାବେଶ କରାଯିବା ଘଟଣାକୁ ନେଇ ଚର୍ଚ୍ଚା ଚାଲିଛି । ଏ ସମ୍ପର୍କରେ ମଧ୍ୟ ଏଆଇସିସିକୁ ଅବଗତ କରାଯିବ ବୋଲି କିଛି ନେତା କହୁଛନ୍ତି ।

ଏବେ ଶ୍ରୀକାନ୍ତଙ୍କୁ ରାଜ୍ୟ ଇସ୍ତାହାର କମିଟି ଅଧ୍ୟକ୍ଷ ପଦରୁ ବାଦ ଦିଆଯିବା ବେଳେ ତାଙ୍କ ସ୍ଥାନରେ ବରିଷ୍ଠ ନେତା ଗଣେଶ୍ୱର ବେହେରାଙ୍କୁ ନିଯୁକ୍ତି ମିଳିଛି । ଏଥିସହ ଇସ୍ତାହାର କମିଟି ପୁନର୍ଗଠନରେ ଆବାହକ ପଦରୁ ଶରତ ରାଉତ ମଧ୍ୟ ବାଦ୍ ପଡିଛନ୍ତି । ନୂଆ ୧୦ ଜଣିଆ କମିଟିରେ ନରସିଂହ ମିଶ୍ର, ପ୍ରସାଦ ହରିଚନ୍ଦନ ଓ ଶ୍ୟାମସୁନ୍ଦର ହାଁସଦା ସ୍ଥାନ ପାଇଛନ୍ତି । ୨୦୧୯ ନିର୍ବାଚନକୁ ଆଖିରେ ରଖି ଏହି କମିଟି ଗଠନ ହୋଇଛି । ପୂର୍ବରୁ ଇସ୍ତାହାର କମିଟି ଅଧ୍ୟକ୍ଷ ହେବାର କିଛି ଦିନ ପରେ ଶ୍ରୀକାନ୍ତ ରାଜ୍ୟରେ କଂଗ୍ରେସ କ୍ଷମତାକୁ ଆସିଲେ ଜଣେ ପଛୁଆବର୍ଗର ନେତା ମୁଖ୍ୟମନ୍ତ୍ରୀ ଓ ଅନୁସୂଚିତ ଜାତି ଓ ଜନଜାତି ବର୍ଗରୁ ଦୁଇଜଣ ଉପମୁଖ୍ୟମନ୍ତ୍ରୀ ହେବେ କହି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଆଡକୁ ତୀର ମାରିଥିଲେ । କଂଗ୍ରେସ ନିର୍ବାଚନୀ ଇସ୍ତାହାରରେ ଏହାକୁ ସ୍ଥାନ ଦେବା ପାଇଁ ଦଳୀୟ ନେତାଙ୍କୁ ମଧ୍ୟ ଚିଠି ଲେଖିଥିଲେ । ଆଉ ଏବେ ତାଙ୍କୁ ଇସ୍ତାହାର କମିଟିରୁ ବାଦ୍ ଦିଆଯିବା କଂଗ୍ରେସ ପଛୁଆ ବର୍ଗ ବିରୋଧୀ ମନୋଭାବର ପ୍ରତିଫଳନ ବୋଲି ଶ୍ରୀକାନ୍ତ କହି ବୁଲୁଛନ୍ତି । ହେଲେ ତାଙ୍କ ସ୍ଥାନରେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ବେହେରାଙ୍କୁ ନିଯୁକ୍ତି ଶ୍ରୀକାନ୍ତ ଅଭିଯୋଗକୁ କାଟ୍୍ କରୁଛି । ସିଏ ଯାହାହେଉ ଆସନ୍ତା ନିର୍ବାଚନ ପୂର୍ବରୁ ଚକ୍ରାନ୍ତ ଜେନାଙ୍କ ପକ୍ଷ ଚ୍ଛେଦନ ହୋଇଛି ବୋଲି କୁହାଯାଉଛି ।