ଦୁଇ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ବର:  ଆଜି ଦୁଇଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ବଦଳାଇଛି କଂଗ୍ରେସ । ନିମାପଡା ଓ ବଡଚଣା ବିଧାନସଭା ଆସନ ପାଇଁ ଆଜି ନୂଆ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ବଡଚଣାରୁ କଂଗ୍ରେସ ପ୍ରାର୍ଥୀ ହେବେ ଅଜୟ ସାମଲ । ଏଠାରୁ ନିର୍ବାଚନ ଲଢିବାକୁ ପୂର୍ବତନ ମନ୍ତ୍ରୀ ସୀତାକାନ୍ତ ମହାପାତ୍ର ମନା କରିଦେଇଥିଲେ । ସୀତାକାନ୍ତ ମହାପାତ୍ର ଟିକେଟ୍ ମିଳିବାରେ ବିଳମ୍ବର ଅଭିଯୋଗ ଦର୍ଶାଇ ଶେଷ ମୁହୂର୍ତ୍ତରେ ନିର୍ବାଚନ ଲଢିବାକୁ ମନାକରିଦେଇଥିଲେ । ଏହା ପରେ ଆଜି ସକାଳୁ ନୂଆ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ ।

ସେହିଭଳି ନିମାପଡାରୁ ଲଢିବେ ଦିଲ୍ଲୀପ ନାୟକ । ଆଜି ସେ ନିଜର ନାମାଙ୍କନ ପତ୍ର ଦାଖଲ କରିବେ । ଏଠାରେ ନିର୍ବାଚନ ଲଢିବାକୁ ସତ୍ୟବ୍ରତ ପାତ୍ର ମନାକରିଦେବା ପରେ ନୂଆ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ । ଟିକେଟ ଘୋଷଣାରେ ବିଳମ୍ବ ଯୋଗୁଁ ସେ ଟିକେଟ ଫେରାଇ ଦେଇଥିଲେ। ଟିକେଟ ଫେରାଇବା ସହ ପୁରୀ ଜିଲ୍ଲା ସାଧାରଣ ସମ୍ପାଦକ ପଦରୁ ମଧ୍ୟ ଇସ୍ତଫା ଦେଇଛନ୍ତି ସତ୍ୟବ୍ରତ । ଦିନକୁ ଦିନ କଂଗ୍ରେସ ପାଇଁ ସଙ୍କଟ ବଢ଼ିବାରେ ଲାଗିଛି । କିଏ ଟିକେଟ ଘୋଷଣାରେ ବିଳମ୍ବ ପାଇଁ ଦଳ ଛାଡ଼ୁଛି ତ ଆଉ କିଏ ଟିକେଟ ପାଇ ମଧ୍ୟ ଫେରାଇ ଦେଉଛି ।ଏହା ପୂର୍ବରୁ ପିପିଲି ବିଧାନସଭା ପ୍ରାର୍ଥୀ ଯୁଧିଷ୍ଠିର ସାମନ୍ତରାୟ, ତିର୍ତୋଲ୍ ପ୍ରାର୍ଥୀ ବିଭୁପ୍ରସାଦ ତରାଇ, କବିସୂର୍ଯ୍ୟନଗର ପ୍ରାର୍ଥୀ ସୀତାରାମ ପାଣିଗ୍ରାହୀ ପ୍ରମୁଖ କଂଗ୍ରେସ ଦଳରୁ ନିର୍ବାଚନ ଲଢ଼ିବା ପାଇଁ ଅନିଚ୍ଛା ପ୍ରକାଶ କରିଥିଲେ।