୧୦ରେ କଂଗ୍ରେସ ପକ୍ଷରୁ ଭାରତ ବନ୍ଦ ଆହ୍ୱାନ

ନୂଆଦିଲ୍ଲୀ :ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ୧୦ରେ ଦେଶବ୍ୟାପୀ ବନ୍ଦ ପାଳନ କରିବ । ଏଥିରେ ଅନ୍ୟ ବିରୋଧୀ ଦଳଗୁଡ଼ିକ ସହଯୋଗ କରିବାକୁ କଂଗ୍ରେସ ପକ୍ଷରୁ ଆହ୍ୱାନ ଦିଆଯାଇଛି । ଦଳର ମୁଖ୍ୟ ଯୋଗାଯୋଗ ଭାରପ୍ରାପ୍ତ ରଣଦୀପ ସୂର୍ଯ୍ୟେୱାଲା କହିଛନ୍ତି ଯେ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ୍ ଦର ବୃଦ୍ଧି ସାଧାରଣ ଲୋକଙ୍କ ପାଇଁ ଅସହ୍ୟ ହୋଇଛି । ଏହାର ପ୍ରତିବାଦରେ ଦଳ ଭାରତ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି । ତୈଳ ଦର ବୃଦ୍ଧି କରି ସରକାର ୧୧ ଲକ୍ଷ କୋଟି ଟଙ୍କା ରାଜକୋଷରୁ ଲୁଟ୍ କରିଛନ୍ତି । କେନ୍ଦ୍ର ସରକାରଙ୍କ ଉତ୍ପାଦ ଶୁଳ୍କ ଓ ରାଜ୍ୟର ଅତ୍ୟଧିକ ଭ୍ୟାଟ୍ ବୃଦ୍ଧିକୁ ତୁରନ୍ତ ହ୍ରାସ କରିବା ପାଇଁ କଂଗ୍ରେସ ଦାବି କରୁଛି । ପେଟ୍ରୋଲ ଓ ଡିଜେଲକୁ ଡିଏସ୍ଟି ପରିସରକୁ ଆଣିବା ପାଇଁ ଦଳ ଦାବିକରୁଛି । ଏହି ଭାରତ ବନ୍ଦ ଡାକରାରେ ବିଭିନ୍ନ ସାମାଜିକ ସଂଗଠନ ଓ ସ୍ୱେଚ୍ଛାସେବୀ ସଂଗଠନ ସାମିଲ ହେବାକୁ ସେ ଆହ୍ୱାନ ଦେଇଛନ୍ତି । ତେବେ ବନ୍ଦ ପାଳନ ସଂପର୍କରେ ଅନ୍ୟ ରାଜନୀତିକ ଦଳ ଓ ସାମାଜିକ ସଂଗଠନଗୁଡ଼ିକ ସେମାନଙ୍କ ଆଭିମୁଖ୍ୟ ସ୍ପଷ୍ଟ କରି ନାହାନ୍ତି । ବିଜେପି ଏହି ବନ୍ଦ ପାଳନକୁ ଅଭିସନ୍ଧିମୂଳକ ବୋଲି କହିଛି ।