କାଳିଆ ଦ୍ଵିତୀୟ ପର୍ଯ୍ୟାୟ ଟଙ୍କା ପ୍ରଦାନକୁ ନେଇ ରାଜ୍ୟସରକାରଙ୍କୁ ଟାର୍ଗେଟ କଲେ ବିଜେପି ଓ କଂଗ୍ରେସ

ଭୁବନେଶ୍ଵର :ରାଜ୍ୟରେ ଚାଷୀଙ୍କୁ କାଳିଆ ଯୋଜନା ଆଧାରରେ ପ୍ରଥମ ପର୍ଯ୍ୟାୟ କିସ୍ତି ଦିଆଯିବା ପରେ ଏବେ ଦ୍ଵିତୀୟ କିସ୍ତି ଦେବାକୁ ସରକାର ଘୋଷଣା କରିଥିଲେ। ତେବେ ଏହାକୁ ନେଇ ବିଜେପି ଓ କଂଗ୍ରେସ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏପରିକି ବିଜେପି ବିଷୋଦଗାର ମଧ୍ୟ କରିଛି। କାଳିଆ ଯୋଜନାରେ କେତେ ଚାଷୀଙ୍କୁ ତାଲିକାଭୁକ୍ତ କରାଯାଇ ସହାୟତା ରାଶି ଯୋଗାଇ ଦିଆଯାଇଛି ଏବଂ କେତେ ବାକି ଅଛନ୍ତି ସେମାନଙ୍କ ତାଲିକା ସ୍ପଷ୍ଟ କରନ୍ତୁ ବୋଲି ଦୁଇ ବିରୋଧୀ ଦଳ ଦାବି କରିଛନ୍ତି। 

ନଭେମ୍ବରରେ କାଳିଆ ଦ୍ଵିତୀୟ ପର୍ଯ୍ୟାୟ ଟଙ୍କା ପ୍ରଦାନ ପ୍ରସଙ୍ଗକୁ ନେଇ ଆଜି ବିଜେପି ସରକାରଙ୍କ ଉପରେ ବର୍ଷିଛି। ବିଜେପିର ଉପସଭାପତି ସମୀର ମହାନ୍ତି କହିଛନ୍ତି ଯେ, ରାଜ୍ୟ ସରକାର ୭୫ ଲକ୍ଷ ଚାଷୀଙ୍କୁ କାଳିଆରେ ସାମିଲ କରିଥିଲେ। ୫୧ ଲକ୍ଷ ଚାଷୀ ପାଇଲେ, ଆଉ ୨୪ ଲକ୍ଷ କେବେ ପାଇବେ। ପିଏମ କିଷାନ ପାଇଁ ୨୨ଲକ୍ଷ ଚାଷୀଙ୍କ ନାଁ ଦେଲେ, ବାକି ତାଲିକା କେବେ। ଲୋକଙ୍କ ମୋବାଇଲକୁ ମେସେଜ ଆସିଲା ଟଙ୍କା ଆସିଲା ନାହିଁ। ସେମାନଙ୍କୁ କେବେ କାଳିଆ ଟଙ୍କା ମିଳିବ ସ୍ପଷ୍ଟ କରନ୍ତୁ ସରକାର। କେତେ ଚାଷୀ ତାଲିକାଭୁକ୍ତ ହୋଇଥିଲେ, କେତେ ସହାୟତା ପାଇଲେ। ଆଉ କେତେ ଚାଷୀ ଟଙ୍କା ପାଇବେ ଶ୍ଵେତପତ୍ର ଜରିଆରେ ପ୍ରକାଶ କରନ୍ତୁ। 

ସେହିପରି କଂଗ୍ରେସର ପୂର୍ବତନ ସଭାପତି ଜୟଦେବ ଜେନା ସରକାରଙ୍କୁ କଡା ସମାଲୋଚନା କରିଛନ୍ତି। ସେ ଟାର୍ଗେଟ କରି କହିଛନ୍ତି କି, କାଳିଆ ଯୋଜନା, କାଳିଆ ଟଙ୍କା ବିଜେଡିର ଏକ ନିର୍ବାଚନୀ ପ୍ରତିଶ୍ରୁତି। ନିର୍ବାଚନ ବେଳେ କହିଥିଲେ ସରକାରର ପ୍ରଥମ ଦିନରେ ଟଙ୍କା ମିଳିବ। କେତେ ଚାଷୀଙ୍କୁ ଟଙ୍କା ଦେଇଛନ୍ତି ତାହା ସ୍ପଷ୍ଟ କରନ୍ତୁ। ନବୀନ ଜଣେ ମିଥ୍ୟାବାଦୀ। ମୁଖ୍ୟମନ୍ତ୍ରୀଙ୍କର ଭୋଟ ପାଇଁ ମିଥ୍ୟା ବାହାନା ଥିଲା କାଳିଆ।