ନିର୍ଦ୍ଧାରିତ ଅବଧି କାର୍ଯ୍ୟଦିବସ ପୂର୍ବରୁ ବିଧାନସଭା ବନ୍ଦକୁ ନେଇ ସରକାରଙ୍କ ଉପରେ ବର୍ଷିଲେ ବିଜେପି ଓ କଂଗ୍ରେସ

ଭୁବନେଶ୍ୱର: ନିର୍ଦ୍ଧାରିତ ଅବଧିର ୧୭ଟି କାର୍ଯ୍ୟଦିବସ ପୂର୍ବରୁ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ କରାଯିବା ପ୍ରସଙ୍ଗକୁ ନେଇ କଂଗ୍ରେସ ଓ ବିଜେପି ତୀବ୍ର ବିରୋଧ କରିଛନ୍ତି | କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି ଯେ ଅଧିଵେଶନ ୧୯ ଯାଏଁ ଚାଲିବାର ଥିଲା। ଗୃହରେ କୌଣସି କାର୍ଯ୍ୟଦିଵସ ନାହିଁ ର ଆଳରେ ବନ୍ଦ କରିଵା ଉଚିତ ହୋଇନାହିଁ । ଯଦି ଆଗୁଆ ବନ୍ଦ କରିଵାର ଥିଲା, ତେବେ କାହିଁକି ଵିଜ୍ଞପ୍ତି ପ୍ରକାଶ କରିଥିଲ ? ରାଜ୍ୟପାଳ ଓ ସରକାରଙ୍କ ମଞ୍ଜୁରୀରେ ହିଁ ବିଜ୍ଞପ୍ତି ପ୍ରକାଶ ପାଏ। ତାରା କହିଛନ୍ତି ଯେ ଆଗରୁ ଅଧିବେଶନ ୯୦ ଦିନ ଚାଲୁଥିଲା। ବିଜେଡି ସରକାର ତାକୁ ୬୦ ଦିନକୁ କମାଇଦେଲେ। ସେତିକି ସମୟ ବି ଗୃହ ଚାଲୁନଥିବାବେଳେ ଲୋକଙ୍କୁ ଠକିବା ପାଇଁ ଏ ବ୍ୟବସ୍ଥା ହୋଇଛି ଯାହାକି ଅତି ନିନ୍ଦନୀୟ।

ଅନ୍ୟପଟେ ରାଜ୍ୟରେ ଅନେକ ସମସ୍ୟା, ଅନେକ ପ୍ରସଙ୍ଗ ଥାଇ ମଧ୍ୟ କଣ ପାଇଁ ଅଧିବେଶନ ସାରିଦେଲେ ବୋଲି ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ କରିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ । ବିଧାୟକଙ୍କ ପ୍ରଶ୍ନ ନଶୁଣି, ତାଙ୍କୁ କହିବାକୁ ନଦେଇ ଏକ ନିର୍ଦ୍ଦିଷ୍ଟ ଦଳର ଚାପରେ ବାଚସ୍ପତି ଅଧିବେଶନକୁ ତରବର ଭାବେ ଆଗୁଆ ସାରିଦେବା ଦୁର୍ଭାଗ୍ୟଜନକ ଓ ଅଗଣତାନ୍ତ୍ରିକ ବୋଲି ବିଷ୍ଣୁ କହିଛନ୍ତି । ଧାର୍ଯ୍ୟ ସମୟ ପୂର୍ବରୁ ବିଧାନସଭା ସରିବା ସରକାରଙ୍କ ଅପାରଗତା କହି ସମାଲୋଚନା କରିଛନ୍ତି ବିଷ୍ଣୁ ।

ଏଠାରେ ସୂଚନା ଥାଉ କି ନଭେମ୍ବର ୧୩ ତାରିଖରୁ ଆରମ୍ଭ ହୋଇଥିବା ଶୀତ ଅଧିବେଶନ ଡିସେମ୍ବର ୧୯ତାରିଖ ପର୍ଯ୍ୟନ୍ତ ଚାଲିବା କଥା। ତେବେ ମୋଟ ୧୩ଟି କାର୍ଯ୍ୟଦିବସ ହୋଇଥିଲା, ଯେଉଁଥିରେ ୧୨ଟି ସରକାରୀ କାର୍ଯ୍ୟଦିବସ ରହିଥିଲା। ଏହି ଅଧିବେଶନରେ ମୋଟ ୫ଟି ବିଲ୍ ଆଗତ ହୋଇ ଗୃହରେ ଅନୁମୋଦନ ଲାଭ କରିଥିବାବେଳେ ୧୬୩୬ଟି ଅଣତାରକା ପ୍ରଶ୍ନ ଓ ୨୨୬୧ଟି ତାରକା ପ୍ରଶ୍ନର ଉତ୍ତର ସରକାରଙ୍କ ପକ୍ଷରୁ ଗୃହରେ ଉପସ୍ଥାପନ କରାଯାଇଥିଲା।