ବିଜେଡି- କଂଗ୍ରେସ ଭିତିରି ସଂପର୍କକୁ ନେଇ କମ୍ପିଲା ବିଧାନସଭା

ଭୁବନେଶ୍ୱର : ବିଜେଡି ଓ କଂଗ୍ରେସ ସମ୍ପର୍କକୁ ନେଇ ବିଜେପି ବିଧାୟକମାନେ ଆଜି ଗୃହରେ ହଟ୍ଟଗୋଳ କରିଥିଲେ । ବିଜେଡି ଓ କଂଗ୍ରେସ ମିଳିମିଶି ବିଧାନସଭାରେ ଗଣତନ୍ତ୍ରକୁ ହତ୍ୟା କରୁଛନ୍ତି ବୋଲି ବିଜେପି ବିଧାୟକମାନେ ଅଭିଯୋଗ କରିଥିଲେ । ହଟ୍ଟଗୋଳ ଯୋଗୁଁ ବାଚସ୍ପପତି ଗୃହକୁ ମୁଲତବୀ କରିବା ପରେ ବିଜେପି ବିଧାୟକମାନେ ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରେ ବସିଥିଲେ । ଗୃହକୁ ସ୍ୱାଭାବିକ କରିବାକୁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥିଲେ ମଧ୍ୟ ତାହା ବିଫଳ ହୋଇଥିଲା ।
ମଙ୍ଗଳବାର ବିଧାନସଭା ଅଧିବେଶନର ପ୍ରଶ୍ନକାଳ ଆରମ୍ଭରେ ବାଚସ୍ପତି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ପ୍ରଶ୍ନ କରିବାକୁ ସୁଯୋଗ ଦେଇଥିଲେ । ଜଳସମ୍ପଦ ମନ୍ତ୍ରୀଙ୍କ ଅନୁପସ୍ଥିତିରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର ଉତ୍ତର ଦେବାକୁ ଯିବା ବେଳେ ବିଜେପି ବିଧାୟକମାନେ ଗୃହର ମଧ୍ୟଭାଗକୁ ଚାଲିଆସି କଂଗ୍ରେସ-ବିଜେଡି ସମ୍ପର୍କକୁ ନେଇ ହଟ୍ଟଗୋଳ କରିଥିଲେ । ବିଜେପି ବିଧାୟକ ରବି ନାଏକ, ପ୍ରଦୀପ ପୁରୋହିତ, ରାଧାରାଣୀ ପଣ୍ଡା, ନୀତେଶ ଗଙ୍ଗଦେବ ପ୍ରମୁଖ ‘ଓଡ଼ିଶାରେ ଗଣତନ୍ତ୍ରକୁ ଖାଇଲା କିଏ- ବିଜେଡି-କଂଗ୍ରେସ ଆଉ କିଏ’ ଓ ‘ବିଜେଡି-କଂଗ୍ରେସ ଭାଇ ଭାଇ’ ବୋଲି ସ୍ଳୋଗାନ୍ ଦେଇଥିଲେ । ବାଚସ୍ପତି ପ୍ରଦୀପ ଅମାତ୍ ହଟ୍ଟଗୋଳରୁ ନିବୃତ୍ତ ହେବା ପାଇଁ ବିଜେପି ସଭ୍ୟମାନଙ୍କୁ କହିଥିଲେ ମଧ୍ୟ ସେମାନେ କିଛି ନଶୁଣି ପାଟିତୁଣ୍ଡ ଜାରି ରଖିଥିଲେ । ତେଣୁ ବାଚସ୍ପତି ମାତ୍ର ୩ ମିନିଟ୍ ପରେ ଅର୍ଥାତ୍ ୧୦ଟା ୩୩ରୁ ୧୧ଟା ୩୦ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କରିଥିଲେ ।

ଗୃହ ମୁଲତବୀ ହେବା ପରେ ବିଜେପି ବିଧାୟକମାନେ ହାତରେ ବ୍ୟାନର୍ ଧରି ଶୋଭାଯାତ୍ରାରେ ଯାଇ ବିଧାନସଭା ପରିସରରେ ଥିବା ଗାନ୍ଧୀ ମୂର୍ତ୍ତି ନିକଟରେ ଧାରଣାରେ ବସିଥିଲେ । ୨୦୧୪ରେ ଭୂପିନ୍ଦର ସିଂହଙ୍କ ଭଳି ବର୍ତ୍ତମାନର ବିରୋଧୀ ଦଳ ନେତା ନରସିଂହ ମିଶ୍ର ବିଜେଡି ଇସାରାରେ ପରିଚାଳିତ ହେଉଛନ୍ତି ବୋଲି ବ୍ୟାନର୍ରେ କାର୍ଟୁନ ମାଧ୍ୟମରେ ଦର୍ଶାଯାଇଥିଲା । ପୁନର୍ବାର ୧୧ଟା ୩୦ରେ ଗୃହ କାର୍ଯ୍ୟ ଆରମ୍ଭ ହେବାମାତ୍ରେ ବିଜେପି ବିଧାୟକମାନେ ଗୃହର ମଧ୍ୟଭାଗକୁ ଚାଲିଆସି ପୁଣି ସ୍ଲୋଗାନ୍ ଦେଇଥିଲେ । ବିରୋଧୀ ଦଳ ନେତା ନରସିଂହ ମିଶ୍ର କିଛି କହିବାକୁ ଉଦ୍ୟମ କରି ନିଜ ଆସନରେ ଠିଆ ହୋଇଥିବା ଦେଖିବାକୁ ମିଳିଥିଲା ।

ବିଜେଡି ବିଧାୟକ ମହେଶ ସାହୁ ନିଜ ଆସନରୁ ଉଠି ଏହାର ବିରୋଧ କରିଥିଲେ । ମାତ୍ର ହଟ୍ଟଗୋଳ ଲାଗି ରହିବାରୁ ବାଚସ୍ପତି ୪ ମିନିଟ୍ ପରେ ଗୃହକୁ ୧୦ ମିନିଟ୍ ପାଇଁ ମୁଲତବୀ ରଖିଥିଲେ । ଏହାପରେ ବାଚସ୍ପତି ନିଜ ପ୍ରକୋଷ୍ଠରେ ସର୍ବଦଳୀୟ ବୈଠକ ଡାକିଥିଲେ । ବିରୋଧୀ ଦଳ ନେତା ନରସିଂହ ମିଶ୍ର, ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ, ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, କଂଗ୍ରେସ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ଓ ବିଜେଡି ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ଏହି ବୈଠକରେ ଯୋଗ ଦେଇଥିଲେ । ଏହି ସମୟରେ ଗୃହର ଅଧ୍ୟକ୍ଷ ଉପବାଚସ୍ପତି ସାନନ୍ଦ ମାରାଣ୍ଡି ଗୃହକୁ ୧୧ଟା ୪୪ରୁ ଅଧଘଣ୍ଟାଏ ପାଇଁ ମୁଲତବୀ ଘୋଷଣା କରିଥିଲେ । କିନ୍ତୁ ସର୍ବଦଳୀୟ ବୈଠକରେ କୌଣସି ନିଷ୍ପତ୍ତି ହୋଇପାରି ନଥିଲା ।

ସର୍ବଦଳୀୟ ବୈଠକ ବିଫଳ ହେବା ପରେ ବାଚସ୍ପତି ଗୃହକୁ ୧୨ଟା ୧୪ରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ । ଅପରାହ୍ନ ୩ଟାରେ ଗୃହକାର୍ଯ୍ୟ ଆରମ୍ଭ ହେବା ପରେ ବିରୋଧୀ ଦଳ ନେତା ଶ୍ରୀ ମିଶ୍ର କହିଥିଲେ ଯେ ଆଜି ଗୃହର ପ୍ରଶ୍ନକାଳ ନଷ୍ଟ ହେଲା । ବିଜେପି ବିଧାୟକମାନଙ୍କର ପ୍ରକୃତ ଦାବି କ’ଣ ତାହା ଜଣାପଡୁନାହିଁ । ବ୍ୟକ୍ତିଗତ ଆକ୍ଷେପ କରି ବିଧାନସଭାର ସମୟ ନଷ୍ଟ କରିବା ଠିକ୍ ନୁହେଁ । ଏହା ବୋଧହୁଏ ବିଧାନସଭା ଇତିହାସରେ ପ୍ରଥମ ଥର ପାଇଁ ଘଟିଛି ।

ବିଜେପିର ବିଧାୟକମାନେ ନିଜ ଇଚ୍ଛାରେ ସମ୍ଭବତଃ ଏପରି କରିନାହାନ୍ତି । ଏହା ବୋଧହୁଏ ତାଙ୍କ ଦଳୀୟ ନିଷ୍ପତ୍ତି । କଂଗ୍ରେସ-ବିଜେଡି ସମ୍ପର୍କ ନେଇ ଯେଉଁ ଅଭିଯୋଗ ଆସୁଛି, ଏଥିରେ କିଏ କାହାକୁ ସମର୍ଥନ କରୁଛି ତାହା ଜଣାପଡୁନାହିଁ । ପ୍ରସଙ୍ଗ ଭିତ୍ତିରେ ସମର୍ଥନ ଭିନ୍ନ ହୋଇଥାଏ । ରାଷ୍ଟ୍ରପତି ନିର୍ବାଚନରେ ଗୋଟିଏ ପାର୍ଟିର ସଭାପତି ମୁଖ୍ୟମନ୍ତ୍ରୀଙ୍କୁ ଫୋନ୍ କରି ସମର୍ଥନ ମାଗୁଛନ୍ତି । ମାତ୍ର କଂଗ୍ରେସ ଦଳର ଅଧ୍ୟକ୍ଷ ସମର୍ଥନ ମାଗିନାହାନ୍ତି । କେନ୍ଦ୍ରର ଗୃହମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ସଚ୍ଚୋଟ ବୋଲି କହୁଛନ୍ତି । ଚିଟଫଣ୍ଡ୍ ଦୁର୍ନୀତି ପ୍ରସଙ୍ଗରେ ମୋତେ ବିଧାନସଭାରେ କୁହାଇ ଦିଆଗଲା ନାହିଁ । ସରକାରୀ ଦଳର ବିଧାୟକ ମୋତେ ବିଧାନସଭାରେ କୁହାଇ ଦିଆଯିବ ନାହିଁ ବୋଲି ଘୋଷଣା କଲେ । ବିଜେପି ବିଧାୟିକା ରାଧାରାଣୀ ପଣ୍ଡାଙ୍କ ପ୍ରତି ହୋଇଥିବା ଅଶାଳୀନ ବ୍ୟବହାର ବିରୋଧରେ କଂଗ୍ରେସ ଦଳ ବିଜେପିକୁ ସମର୍ଥନ କରିଥିଲା ।
ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓଙ୍କ ସମେତ ଅନ୍ୟ ବିଧାୟକଙ୍କ ସହ ମୋର ସୁସମ୍ପର୍କ ରହିଛି । ବିଧାନସଭାରେ ଏମ୍ଏସ୍ପି ଓ ମହାନଦୀ ପ୍ରସଙ୍ଗରେ ତିନୋଟି ଯାକ ଦଳ ଏକାଠି ହୋଇଥିଲେ । ଏହାର ଅର୍ଥ କ’ଣ ମୋର ବିଜେପି ସହ ଭିତିରି ସମ୍ପର୍କ ଅଛି କି ବୋଲି ଶ୍ରୀ ମିଶ୍ର ପ୍ରଶ୍ନ କରିଥିଲେ । କେନ୍ଦ୍ର ଅବହେଳା ନେଇ ଏନ୍ଡିଏ ବିରୋଧରେ ସ୍ୱର ଉତ୍ତୋଳନ କଲେ କଂଗ୍ରେସ ସର୍ବଦା ରାଜ୍ୟ ସରକାରଙ୍କୁ ସମର୍ଥନ କରିବ । କଂଗ୍ରେସ ଦଳର ଯେଉଁ ପୂର୍ବତନ ବିଧାୟକଙ୍କ ଅଭିଯୋଗକୁ ମୋ ବିରୋଧରେ ଆୟୁଧ କରାଯାଉଛି, ତା’ର ଜବାବ ଉପଯୁକ୍ତ ଫୋରମ୍ରେ ଦେବି । ଯେଉଁମାନେ ଭାବୁଛନ୍ତି ମୁଁ କଂଗ୍ରେସ ଛାଡ଼ିଦେବି, ସେମାନେ ଦିବାସ୍ୱପ୍ନ ଦେଖୁଛନ୍ତି । ମୃତ୍ୟୁ ପର୍ଯ୍ୟନ୍ତ ମୁଁ କଂଗ୍ରେସରେ ରହିବି ଓ କଂଗ୍ରେସର ସେବା କରିବି ବୋଲି ବିରୋଧୀ ଦଳ ନେତା ଶ୍ରୀ ମିଶ୍ର କହିଥିଲେ ।