ଭୁବନେଶ୍ୱର: ବରିଷ୍ଠ ନେତା ଓ ପୂର୍ବତନ ରାଜ୍ୟ ବିଜେପି ଉପସଭାପତି ଶ୍ରୀ ଅଶୋକ ସାହୁଙ୍କ ବିୟୋଗରେ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଏବଂ ବିରୋଧୀ ଦଳ ନେତା ଶ୍ରୀ ପ୍ରଦୀପ୍ତ କୁମାର ନାଏକ ଗଭୀର ଶୋକ ବ୍ୟକ୍ତ କରିବା ସହ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରି ସ୍ୱର୍ଗତଃ ଆତ୍ମାର ସଦଗତି କାମନା କରିଛନ୍ତି ।
ପୋଲିସ ପ୍ରଶାସନିକ ସେବାରୁ ସ୍ୱେଚ୍ଛାକୃତ ଅବସର ଗ୍ରହଣ ପରେ ସ୍ୱର୍ଗତଃ ସାହୁ ବିଜେପିରେ ସାମିଲ ହୋଇଥିଲେ । ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଭଳି ବହୁ ସଂଗଠନ ସହ ସ୍ୱର୍ଗତଃ ସାହୁ ଜଡିତ ଥିଲେ । ଏହା ପରେ ସେ ବିଜେପିରୁ ପ୍ରାର୍ଥୀ ହୋଇ ୨୦୦୯ ସାଧାରଣ ନିର୍ବାଚନରେ କନ୍ଧମାଳ ଲୋକସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢିଥିଲେ । ପାର୍ଟୀର ବିଭିନ୍ନ ସାଂଗଠନିକ ପଦବୀରେ ରହିବା ପରେ ସ୍ୱର୍ଗତଃ ସାହୁ ରାଜ୍ୟ ଉପସଭାପତି ଭାବେ ଦାୟୀତ୍ୱ ତୁଲାଇଥିଲେ । ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ୬୮ ବର୍ଷୀୟ ସ୍ୱର୍ଗତଃ ସାହୁ ଆଜି ପ୍ରାତଃ ସମୟରେ ଚିକିତ୍ସିତ ଅବସ୍ଥାରେ ଏକ ଘରୋଇ ହସପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଶେଷ ସମୟରେ ତାଙ୍କର ଧର୍ମପତ୍ନୀ, ପୁଅ, ଝିଅ, ଜ୍ୱାଇଁ, ନାତି ନାତୁଣି ଏବଂ ପରିବାରସଦସ୍ୟଗଣ ଉପସ୍ଥିତ ଥିଲେ ।
ସ୍ୱର୍ଗତଃ ସାହୁଙ୍କ ବିୟୋଗ ପାର୍ଟୀ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କହିବା ସହ ଏଭଳି ଦୁଃଖଦ ସମୟରେ ପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱର୍ଗତଃ ସାହୁଙ୍କ ପରିବାରବର୍ଗଙ୍କୁ ଅସୀମ ଧର୍ଯ୍ୟ ଓ ସାହାସ ପ୍ରଦାନ କରିବାକୁ ଶ୍ରୀ ମହାନ୍ତି ଏବଂ ଶ୍ରୀ ନାଏକ ପ୍ରାର୍ଥନା କରିଛନ୍ତି । ସ୍ୱର୍ଗତଃ ସାହୁଙ୍କ ବିୟୋଗରେ ରାଜ୍ୟ ବିଜେପିର ବହୁ ନେତୃବୃନ୍ଦ ଶୋକବ୍ୟକ୍ତ କରିଛନ୍ତି ।