ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ଓଏସଏସସି ସଦସ୍ୟଙ୍କ ପିଏସ ବିରଞ୍ଚିଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ସରକାର

ଭୁବନେଶ୍ବର : ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ (ଓଏସଏସସି) ସଦସ୍ୟଙ୍କ କୋଟିପତି ପିଏସ ବିରଞ୍ଚି ନାରାୟଣ ସାହୁଙ୍କୁ ବାଧ୍ୟତାମୂଳକ ଅବସରେ ଦେଇଛନ୍ତି ରାଜ୍ୟ ସରକାର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିବା ପରେ ଏହି ପଦକ୍ଷେପ ନେଇଛନ୍ତି ସରକାର । ଏହା ପୂର୍ବରୁ ଆଜି ଓଏସଏସସି ପକ୍ଷରୁ ତାଙ୍କୁ ନିଲମ୍ବିତ କରାଯିବା ସହ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ରାଜ୍ୟ ସରକାରଙ୍କୁ ସୁପାରିଶ କରାଯାଇଥିଲା ।
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ବିରଞ୍ଚିଙ୍କ ଘର ସମେତ ବିଭିନ୍ନ ଠିକଣାରେ ଜୁଲାଇ ୩୦ ତାରିଖରେ ଚଢ଼ାଉ କରିଥିଲା ଭିଜିଲାନ୍ସ ବିଭାଗ । ଚଢ଼ାଉ ପରେ ସାମନାକୁ ଆସିଥିଲା ତାଙ୍କର ପ୍ରାୟ ସାଢେ ୩ କୋଟି ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି । ତା ମଧ୍ୟରେ ରହିଥିଲା ବିପୁଳ ପରିମାଣର ନଗଦ ଟଙ୍କା । ଏହାସହ ବିପୁଳ ପରିମାଣର ସୁନା ଗହଣା ମଧ୍ୟ ଜବତ ହୋଇଥିଲା । ଏଥି ସହିତ ତାଙ୍କର ପୁରୁଣା ଫାଇଲ ଦରାଣ୍ଡିବା ଆରମ୍ଭ କରିଦେଇଛି ଭିଜିଲାନ୍ସ ବିଭାଗ । ତାଙ୍କ ଆଲମିରାରୁ ମିଳିଥିବା ଛାତ୍ରଛାତ୍ରୀଙ୍କ ଆଇ କାର୍ଡ ଗୁଡିକର ଠିକଣା ଯୋଗାଡ କରୁଛି ଭିଜିଲାନ୍ସ । ଏଥି ସହିତ ଏହି ଛାତ୍ରଛାତ୍ରୀ ମାନେ ଏବେ ଚାକିରୀ କରିସାରିଛନ୍ତି ନା ଚାକିରୀ ପାଇବାକୁ ଅପେକ୍ଷାରେ ଅଛନ୍ତି ତାର ମଧ୍ୟ ଚାଲିଛି ଛାନଭିନ । ଏତେ ସମ୍ପତ୍ତି ଠାବ କରିବା ପରେ ତାଙ୍କୁ ଗିରଫ କରିଥିଲା ଭିଜିଲାନ୍ସ ।

compulsory retirement to ps biranchi