ଝାରସୁଗୁଡା: ବର୍ତମାନ ପିଆଜର ଦର ଯେଉଁଭଳି ରହିଛି, କିଣି ଖାଇବା ଖାଉଟିଙ୍କ ପକ୍ଷେ କଷ୍ଟକର ହୋଇପଡୁଛି । ତେବେ ଏ ସମୟରେ ଯଦି ରାସ୍ତାରେ ପିଆଜ ବର୍ଷା ହେବ ଅର୍ଥାତ୍ ପିଆଜ ଏଣେତେଣେ ପଡିବ । ତେବେ କେଉଁ ଲୋକ ଏହାର ସୁଯୋଗକୁ ହାତ ଛଡା କରିବ କୁହନ୍ତୁ ତ । ତେବେ ଏଭଳି ଘଟଣା ଘଟିଛି ଝାରସୁଗୁଡା ଜିଲ୍ଲା ବେଲପାହାଡ ରେଳ ଫାଟକ ପାଖ ଅଂଚଳରେ ।
ଗତ ସନ୍ଧ୍ୟାରେ ଏକ ବାଇକ୍ରେ ଜଣେ ବ୍ୟକ୍ତି ଗୋଟିଏ ବସ୍ତା ପିଆଜ ନେଇ ଯାଉଥିବା ବେଳେ ତାହା ଗଳି ପଡ଼ିଥିଲା। ବ୍ୟକ୍ତିଜଣକ ଏହା ଜାଣି ନ ପାରି ଚାଲିଯାଇଥିବା ବେଳେ ରାସ୍ତାର ଏଣେତେଣେ ବିଛାଡ଼ି ହୋଇପଡ଼ିଲା ପିଆଜ। ଏହାଦେଖି ବାଟରେ ଯାଉଥିବା ଲୋକଙ୍କ ଖୁସି କହିଲେ ନସରେ।
ସଙ୍ଗେସଙ୍ଗେ ଆରମ୍ଭ ହୋଇଗଲା ପିଆଜ ସାଉଁଟିବାର ପ୍ରତିଯୋଗିତା। ସାଧାରଣ ଖଟିଖିଆ ଲୋକଙ୍କଠାରୁ ଆରମ୍ଭ କି କାର୍ ବାଲା ପର୍ଯ୍ୟନ୍ତ ଏଥିରେ ସାମିଲ ହୋଇ ଯାଇଥିଲେ। ରାସ୍ତାରେ ସାଇକେଲଠୁ ଆରମ୍ଭ କରି କାର୍ ମଧ୍ୟ ଅଟକିଗଲା।
ରାସ୍ତାରୁ ପିଆଜ ଗୋଟାଇବାର ଏହି ଦୃଶ୍ୟ ଏବେ ସୋଶାଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ମାଗଣାରେ ଏପରି ମୂଲ୍ୟବାନ ଜିନିଷ ପାଇବା ପରେ ଲୋକଙ୍କ ଖୁସି କହିଲେ ନ ସରେ। ଏହାର କିଛି ସମୟରେ ଉକ୍ତ ବ୍ୟକ୍ତିଜଣକ ଫେରି ରାସ୍ତାରେ କେବଳ ପିଆଜ ଚୋପା ଉଡ଼ୁଥିବା ଦେଖିବାକୁ ପାଇଥିଲେ। ଏହାପରେ ମନ ଦୁଃଖରେ ଫେରି ଯାଇଥିଲେ।