‘ବନ୍ଦେ ଉତ୍କଳ ଜନନୀ’ ଗାନ ପାଇଁ ଅଟକିବ ଟ୍ରାଫିକ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ଅପିଲ ପରେ ସମୂହ ‘ବନ୍ଦେ ଉତ୍କଳ ଜନନୀ’ ଗାନ ନେଇ ରାଜ୍ୟ ତଥା ରାଜ୍ୟ ବାହାରେ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଛି । ସେହିଭଳି କମିଶନରେଟ୍ ପୋଲିସ ପକ୍ଷରୁ ମଧ୍ୟ ଏନେଇ ପ୍ରସ୍ତୁତି କରାଯାଇଛି । ସଙ୍ଗୀତ ଗାନ କାର‌୍ୟ୍ୟକ୍ରମର ୫ ମିନିଟ ପୂର୍ବରୁ ଟ୍ରାଫିକ୍ ବନ୍ଦ ରଖିବାକୁ ନିଷ୍ପତି ହୋଇଛି । ରାସ୍ତାରେ ଯାତାୟାତ କରୁଥିବା ଲୋକେ ସଠିକ୍ ସ୍ଥାନରେ ଗାଡ଼ି ରହି ସମୂହ ସଙ୍ଗୀତ ଗାନ ନେଇ ପ୍ରସ୍ତୁତ ରହିବେ । ଏବଂ ଜରୁରୀକଳୀନ ସେବାରେ ଥିବା ଗାଡ଼ି ଯାଆ ଆସ କରିବା ପାଇଁ ରାସ୍ତାର ବାମ ପାର୍ଶରେ ଜାଗା ଛାଡ଼ିବା ପାଇଁ ଟ୍ୱିଟ୍ ଯୋଗେ ଭୁବନେଶ୍ୱର ଡିସିପିଙ୍କ ପକ୍ଷରୁ ସୂଚିତ କରାଯାଇଛି । ଏଥିସହିତ ସମସ୍ତଙ୍କୁ ଯାତାୟାତ ସମୟରେ ଗାଡ଼ି ରଖି ସମୂହ ଗାନରେ ସାମିଲ ହେବା ପାଇଁ ଭୁବନେଶ୍ୱର ଡିସିପି ପକ୍ଷରୁ ଅନୁରୋଧ କରାଯାଇଛି । ରାଜଧାନୀର କଳିଙ୍ଗ ଷ୍ଟାଡିୟମରେ ମଧ୍ୟ ସମୂହ ଗାନ ନେଇ ବ୍ୟାପକ ଆୟୋଜନ ହୋଇଛି । ଏହି ସବୁ ସମୟରେ ସାମାଜିକ ଦୂରତ୍ୱ ପାଳନ ସହ ସଙ୍ଗୀତ ଗାନ ପାଇଁ ପରାମର୍ଶ ଦିଆଯାଇଛି ।

କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ଏବଂ ସେମାନଙ୍କ ମନୋବଳ ବୃଦ୍ଧି କରିବା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଅର୍ଥାତ ଆଜି ସନ୍ଧ୍ୟା ୫ଟା ୩୦ ମିନିଟରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିବାକୁ ଅପିଲ୍ କରିଛନ୍ତି । ଦେଶ ବିଦେଶରେ ବି ଥିବା ଓଡିଆ ସାମାଜିକ ଦୂରତା ରଖି ଏହାକୁ ଗାନ କରିବାସୁ କହିଛନ୍ତି ନବୀନ ।