ବିନା ହେଲମେଟ୍ ରେ ଗାଡି ଚଲାଇଲେ ବାବୁସାନ, ଚାଲାଣ କାଟିଲା ପୋଲିସ

ଭୁବନେଶ୍ୱର: ଟ୍ରାଫିକ୍ ନିୟମ କଡାକଡି ହେବା ପରେ ଚେକିଂ ଜୋରଦାର ହେଉଛି । ତେବେ ନିୟମ ନ ମାନିଲେ ଚାଲାଣ କାଟୁଛି ପୋଲିସ ।

ତେବେ ହେଲ୍‌ମେଟ୍‌ ନ ପିନ୍ଧି ରାଜଧାନୀ ଭୁବନେଶ୍ୱରରେ ବାଇକ୍‌ ଚଲାଇବା ଅଭିଯୋଗରେ ଓଲିଉଡ ଷ୍ଟାର ବାବୁସାନଙ୍କ ନାଁରେ କଟିଛି ଚାଲାଣ। ଟ୍ରାଫିକ୍ ନିୟମ ଉଲ୍ଲଘଂନ ଅଭିଯୋଗରେ ତାଙ୍କ ନାଁରେ ହଜାରେ ଟଙ୍କାର ଚାଲାଣ କଟିଛି।

ସେ ବିନା ହେଲ୍‌ମେଟ୍‌ରେ ବାଇକ୍‌ ଚଲାଉଥିବା ନେଇ ସୋଶାଲ୍‌ ମିଡିଆରେ ଏକ ଭିଡିଓ ଭାଇରାଲ୍‌ ହୋଇଥିଲା। ଗୋଟିଏ ମିନିଟ୍‌ରୁ ଅଧିକ ସମୟର ଏହି ଭିଡିଓରେ ଦେଖିବାକୁ ମିଳିଛି ବାବୁସାନ୍‌ କିଭଳି ଭାବରେ ବେଫିକର୍ ହୋଇ ଗାଡ଼ି ଚଲାଉଛନ୍ତି।


ଭିଡିଓଟି ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହେବାପରେ କମିଶନରେଟ୍‌ ପୁଲିସ୍‌ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୧୦୦୦ ଟଙ୍କାର ଚାଲାଣ କଟାଯିବା ସହ ଆଗାମୀ ଦିନରେ ଟ୍ରାଫିକ୍‌ ନିୟମକୁ ମାନିବାକୁ କମିଶନରେଟ୍‌ ପୁଲିସ୍‌ ପକ୍ଷରୁ ତାଙ୍କୁ ପରାମର୍ଶ ଦିଆଯାଇଛି। ଏ ନେଇ କମିଶନରେଟ୍ ପୁଲିସ୍ ପକ୍ଷରୁ ଏକ ଟ୍ୱିଟ୍ ମଧ୍ୟ କରାଯାଇଛି। ଏଥିରେ ଲେଖା ହୋଇଛି, ଆମେ ଆମ ଅଭିନେତା ମାନଙ୍କୁ ସମ୍ମାନ କରୁ। କିନ୍ତୁ ଯେତେବେଳେ ବାବୁସାନ୍ ନାଁରେ ଜଣାଶୁଣା ତନ୍ମୟ ବିନା ହେଲ୍‌ମେଟ୍‌ରେ ବାଇକ୍ ଚଲାଇବା ଦେଖିବାକୁ ପାଇଲୁ ଚାଲାଣ କାଟିଲୁ। ସବୁବେଳେ ଟ୍ରାଫିକ୍ ସୁରକ୍ଷା ନିୟମ ପାଳନ କରନ୍ତୁ।