ଉଷାଶ୍ରୀ ହତ୍ୟାକାଣ୍ଡ ମାମଲା: ଅବସରପ୍ରାପ୍ତ କର୍ଣ୍ଣେଲଙ୍କୁ ଆଜୀବନ ଜେଲ୍‌

ପତ୍ନୀଙ୍କୁ ହତ୍ୟା ପରେ ୩୦୦ଖଣ୍ଡ କରିଥିବା ଘଟଣା

ଭୁବନେଶ୍ୱର: ବହୁଚର୍ଚ୍ଚିତ ନୂଆପଲ୍ଲୀ ଥାନା ଆଇଆରସି ଭିଲେଜରେ ଘଟିଥିବା ଉଷାଶ୍ରୀ ଘଟଣାର ରାୟ ପ୍ରକାଶ ପାଇଛି । ଏହି ମାମଲାର ଅଭିଯୁକ୍ତ ଉଷାଶ୍ରୀଙ୍କ ସ୍ୱାମୀ ଅବସରପ୍ରାପ୍ତ କର୍ଣ୍ଣେଲ ସୋମନାଥ ପରିଡାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି ।

୨୦୧୩ ଜୁନ୍‌ ୨୧ ତାରିଖ  ରାତିରେ ଦୋଷୀ ସୋମନାଥ ପରିଡ଼ା  ତାଙ୍କ ପତ୍ନୀଙ୍କୁ ହତ୍ୟାକରିବା ପ‌ରେ ୩୦୦ ଖଣ୍ଡ କରି ବହୁ ସଂଖ୍ୟକ ଟିଫିନ୍ ବାକ୍ସରେ ଭର୍ତି କରି ଦେଇଥିଲେ। ଦୀର୍ଘ ୭ ବର୍ଷ ଧରି ଏହି ବହୁଚର୍ଚ୍ଚିତ ମାମଲାର ବିଚ‌ାର ଚାଲିବା ପରେ ଆଜି ରାୟ ପ୍ରକାଶ ପାଇଛି। ଶେଷ ପର୍ଯ୍ୟନ୍ତ ନିଜକୁ ନିର୍ଦ୍ଦୋଷ ବୋଲି କହୁଥିବା ପତ୍ନୀହନ୍ତା କର୍ଣ୍ଣେଲଙ୍କୁ ଆଜି  ଭୁବନେଶ୍ୱରର ଜିଲ୍ଲା ଦୌରାଜଜ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡ ଶୁଣାଇଛନ୍ତି।

ସୂଚନାଯୋଗ୍ୟ, ୨୦୧୩ ଜୁନ୍‌ ୨୧ ତାରିଖରେ ସୋମନାଥ ପରିଡ଼ା ନାମକ ଜଣେ ଅବସରପ୍ରାପ୍ତ ସେନା ଡାକ୍ତର(କର୍ଣ୍ଣେଲ) ପତ୍ନୀ ଉଷାଶ୍ରୀ ପରିଡ଼ାଙ୍କୁ ୩ଶହ ଖଣ୍ଡ କରି ହତ୍ୟା କରିଥିଲେ।  ଏହି ଘଟଣା ସାରା ରାଜ୍ୟରେ ଚାଂଚଲ୍ୟ ସୃଷ୍ଟି କରିଥିଲା। ପ୍ରଥମେ ପ୍ରଥମେ ସୋମନାଥ ପୁଲିସକୁ ଭୁଆଁ ବୁଲାଇବାକୁ ଯାଇ କହିଥିଲେ ପତ୍ନୀ ଉଷାଶ୍ରୀ ଆତ୍ମହତ୍ୟା କରିଛନ୍ତି। ସେ କେବଳ ତାଙ୍କ ମୃତଦେହକୁ ଶିରିଡ଼ିଠାରେ ସତ୍କାର କରିବାକୁ ଖଣ୍ଡଖଣ୍ଡ କରିଥିଲେ। ଶେଷରେ ପୋଲିସ ସୋମନାଥଙ୍କୁ ହତ୍ୟା ଓ ପ୍ରମାଣ ନଷ୍ଟ କରିବା ଅଭିଯୋଗ ଗିରଫ କରି କୋର୍ଟ ଚାଲାଣ କରିଥିଲା।