ଆସନ୍ତା ୧୧ ତାରିଖରୁ କଲେଜ ଓ ବିଶ୍ବବିଦ୍ୟାଳୟରେ ହେବ ପାଠପଢ଼ା

ମାର୍ଚ୍ଚ ୧୬ରୁ ୩୧ ଯାଏ ସେମିଷ୍ଟର୍‌ ପରୀକ୍ଷା ହେବ

ଭୁବନେଶ୍ବର : କରୋନା ମହାମାରୀର ପ୍ରକୋପରେ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଶିକ୍ଷା ବ୍ୟବସ୍ଥା ପୁଣି ଟ୍ରାକ୍‌କୁ ଫେରିବା ଆରମ୍ଭ କରିଛି। ୯ ମାସରୁ ଅଧିକ ବନ୍ଦ ରହିବା ପରେ ଖୋଲିବ କଲେଜ ଓ ବିଶ୍ବବିଦ୍ୟାଳୟ। ଆସନ୍ତା ୧୧ ତାରିଖରୁ ଓଡ଼ିଶାର ସମସ୍ତ କଲେଜ ଓ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ପୁଣି ଦେଖିବାକୁ ମିଳିବ ଛାତ୍ରଛାତ୍ରୀଙ୍କ ଗହଳଚହଳ। କଲେଜ ଓ ୟୁନିଭର୍ସିଟି କ୍ଲାସରୁମ୍‌ରେ ପୁଣି ଛାତ୍ରଛାତ୍ରୀ ସିଧାସଳଖ ଅଧ୍ୟାପକଙ୍କ ଠାରୁ ଶିକ୍ଷା ଲାଭ କରିବେ। ଉଚ୍ଚଶିକ୍ଷା ବିଭାଗ ବିଜ୍ଞପ୍ତି ଜାରି କରିଛି।ସେମିଷ୍ଟର ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ପାଇଁ କଲେଜ ଓ ୟୁନିଭର୍ସିଟି ଖୋଲିବ । ମାର୍ଚ୍ଚ ୧୫ ଯାଏ ଚାଲିବ ଡିଗ୍ରୀ କଲେଜ ଓ ବିଶ୍ବବିଦ୍ୟାଳୟ ପାଠପଢ଼ା । ମାର୍ଚ୍ଚ ୧୬ରୁ ୩୧ ଯାଏ ସେମିଷ୍ଟର୍‌ ପରୀକ୍ଷା ହେବ। ଏପ୍ରିଲ ୩୦ରେ ସେମିଷ୍ଟର ପରୀକ୍ଷା ଫଳ ବାହାରିବ । ଫାଇନାଲ ସେମିଷ୍ଟାର ପାଇଁ ଏପ୍ରିଲ ୨ରୁ ଜୁନ ୧୫ ତାରିଖ ଯାଏଁ ପାଠ ପଢାହେବ। ଠିକ୍ ସେହିପରି ଜୁନ ୧୬ରୁ ୩୧ତାରିଖ ଯାଏଁ ଫାଇନାଲ ସେମିଷ୍ଟାର ପରୀକ୍ଷା ଚାଲିବ। ଜୁଲାଇ ୧୫ ସୁଦ୍ଧା ଫାଇନାଲ ସେମିଷ୍ଟାର ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ଉଚ୍ଚ ଶିକ୍ଷା ବିଭାଗ କହିଛି ।ୟୁଜିସି ଗାଇଡଲାଇନ୍ ଅନୁସାରେ ଉଚ୍ଚଶିକ୍ଷା ବିଭାଗ କାର୍ଯ୍ୟସୂଚୀ ଘୋଷଣା କରିଛି। କଲେଜ ଓ ବିଶ୍ବବିଦ୍ୟାଳୟ ସ୍ବତନ୍ତ୍ର ଗାଇଡଲାଇନ୍ ଜାରି କରାଯାଇଛି । ଅନଲାଇନ୍‌ରେ ଯେଉଁ ବିଷୟ ପଢ଼ା ସରିଛି ତାହାକୁ ପୁଣିଥରେ ରେଗୁଲାର କ୍ଲାସ୍‌ ମାଧ୍ୟମରେ ପଢ଼ାଯିବ। ଯେଉଁ କ୍ଷେତ୍ରରେ ସମ୍ଭବ କ୍ଲାସରୁମ୍‌ ଶିକ୍ଷାକୁ ରେକର୍ଡ କରାଯିବ ଏବଂ ଅନୁପସ୍ଥିତ ଥିବା ଛାତ୍ରଛାତ୍ରୀଙ୍କ ସହ ଏହାକୁ ସେୟାର କରାଯିବ।

କ୍ଲାସରୁମ୍ ଏବଂ କ୍ୟାମ୍ପସରେ କୋଭିଡ୍‌ -19 ଗାଇଡଲାଇନ୍‌କୁ କଡ଼ାକଡ଼ି ପାଳନ କରାଯିବ।…

୧- କଣ୍ଟେନମେଣ୍ଟ ଜୋନ୍‌ରେ ରହୁଥିବା ଶିକ୍ଷକ, ଷ୍ଟାଫ୍‌ ଏବଂ ଛାତ୍ରଛାତ୍ରୀ କଲେଜକୁ ଆସିବେ ନାହିଁ।…

୨-  ସମସ୍ତେ ଫେସ୍‌ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ।

୩- ନିୟମିତ ହାତ ଧୋଇବା ଏବଂ ହାତ ସାନିଟାଇଜେସନ୍‌ ଉପରେ ଗୁରୁତ୍ବ ଦିଆଯିବ।

୪- କ୍ଲାସ ରୁମ୍‌, ଲାଇବ୍ରେରୀ ଓ ଲାବୋରଟୋରୀରେ ୬ ଫୁଟର ସାମାଜିକ ଦୂରତା ରକ୍ଷା କରାଯିବ। ଆବଶ୍ୟକ ହେଲେ ଗୋଟିଏ କ୍ଲାସ୍‌କୁ ବିଭିନ୍ନ ବ୍ୟାଚ୍‌ରେ ବିଭକ୍ତ କରାଯାଇ ଦିନରେ ଶିକ୍ଷାଦାନ ସମୟ ବୃଦ୍ଧି କରାଯିବ।

୫- କ୍ୟାମ୍ପସରେ ଛେପ ପକାଇ ପାରିବେନି …

୬- ସମସ୍ତେ ନିଜ ସ୍ବାସ୍ଥ୍ୟ ପ୍ରତି ଦୃଷ୍ଟି ଦେବେ ଏବଂ ଦେହ ଖରାପ ହେଲେ ତୁରନ୍ତ ଜଣାଇବାକୁ କୁହାଯିବ।.

ଏହିସବୁ ଗାଇଡଲାଇନ୍‌ ପାଳନ ସହିତ ଶେଷବର୍ଷ ଅଣ୍ଡର ଗ୍ରାଜୁଏଟ୍ ଏବଂ ପିଜି ଛାତ୍ରଛାତ୍ରୀଙ୍କ ପାଇଁ ଜାନୁଆରୀ ୧୦ ତାରିଖ ଠାରୁ ହଷ୍ଟେଲ ଖୋଲିବ। ସିଲାବସ୍‌ର ୨୫ ପ୍ରତିଶତ ଛାତ୍ରଛାତ୍ରୀ ସେଲଫ ଷ୍ଟଡି ମାଧ୍ୟମରେ ନିଜେ ପଢ଼ିବେ। ରବିବାର ଏବଂ ଅନ୍ୟ ଛୁଟିଦିନକୁ ଛାଡ଼ି ସବୁଦିନ କ୍ଲାସ୍‌ ଚାଲିବ । ଘରୋଇ ବିଶ୍ବବିଦ୍ୟାଳୟ ଗୁଡ଼ିକରେ ମଧ୍ୟ ଏହି ଗାଇଡଲାଇନ୍‌ ପାଳନ କରାଯାଇ ଜାନୁଆରୀ ୧୧ରୁ କ୍ଲାସ ଚାଲିବ।.