ସାଢ଼େ ଚାରି କୋଟି ଓଡ଼ିଶାବାସୀ ହେଉଛନ୍ତି ମୋର ପରିବାର, ସେମାନଙ୍କ ଜୀବନଧାରଣର ମାନରେ ପରିବର୍ତନ ପାଇଁ ଆପଣମାନେ କାମ କରନ୍ତୁ: ମୁଖ୍ୟମନ୍ତ୍ରୀ

ବରିଷ୍ଠ ଅଧିକାରୀ ସମ୍ମିଳନୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନର ନୂତନ କନଭେନସନ୍ ହଲରେ ବରିଷ୍ଠ ଅଧିକାରୀଙ୍କ ସମ୍ମିଳନୀର ଉଦଘାଟନ କରିଛନ୍ତି । ଏଥିରେ ଯୋଗ ଦେଇଥିବା ବରିଷ୍ଠ ପ୍ରଶାସକ ଓ ଜିଲ୍ଲାପାଳମାନଙ୍କୁ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, “ସାଢ଼େ ଚାରି କୋଟି ଓଡ଼ିଶାବାସୀ ମୋ ପରିବାର । ସେମାନଙ୍କ ଜୀବନଧାରଣରୁ ମାନରେ ପରିବର୍ତନ ଆଣିବା ପାଇଁ ଆପଣମାନେ କାମ କରନ୍ତୁ ।”

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ପରିବାର ଆମ ସମସ୍ତଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ । ଆମେ ଚାହୁଁ ଯେ ଆମର ପିଲାମାନେ ଭଲ ପାଠ ପଢ଼ନ୍ତୁ । ଆମେ ଚାହୁଁ ଯେ ଆମର ଭାଇଭଉଣୀମାନେ ସବୁଠାରୁ ଭଲ ଚାକିରୀ ପାଆନ୍ତୁ । ଆମେ ଚାହୁଁ ଯେ ଆମର ବାପାମା’ଙ୍କୁ ଭଲ ସ୍ୱାସ୍ଥ୍ୟ ସୁବିଧା ମିଳୁ । ମୋର ବି ଗୋଟିଏ ପରିବାର ଅଛି । ସାଢ଼େ ଚାରି କୋଟି ଓଡ଼ିଶାବାସୀଙ୍କୁ ନେଇ ମୋର ପରିବାର । ସେମାନଙ୍କ ଆଶୀର୍ବାଦରେ ମୁଁ ଗତ ୨୦ବର୍ଷ ଧରି ସେବା କରିଆସୁଛି । ମୁଁ ଚାହେଁ, ଆମର ପିଲମାନେ ଗୁଣାତ୍ମକ ଶିକ୍ଷା ପାଆନ୍ତୁ । ଆମର ଭାଇଭଉଣୀମାନେ ଭଲ ଚାକିରୀ କରନ୍ତୁ । ଆମ ପରିବାରର ବରିଷ୍ଠମାନେ ଉତମ ସ୍ୱାସ୍ଥ୍ୟ ସେବା ପାଆନ୍ତୁ ।

ଆପଣମାନେ ସମସ୍ତେ ହେଉଛନ୍ତି ପରିବର୍ତନର ଏହି ଧାରାର ମୁଖ୍ୟ ବାହକ । ମୁଁ ନିଶ୍ଚିତ ଯେ ଏହି ସମ୍ମିଳନୀ ଏହି ଲକ୍ଷ୍ୟ ପୂରଣ ଦିଗରେ ନିଶ୍ଚିତ ଭାବେ ସହାୟକ ହେବ ।

“ମୋ ସରକାର”ର ମୁଖବନ୍ଧରେ ଆମର ପ୍ରଶାସନର ବିଶେଷତ୍ୱ ପ୍ରତିଫଳିତ ହୋଇଛି । ତେଣୁ ଆପଣମାନେ ମୋ ସହିତ ଏହି ଶପଥ ନିଅନ୍ତୁ । (ମୁଖ୍ୟମନ୍ତ୍ରୀ ଉପସ୍ଥିତ ସବୁ ମନ୍ତ୍ରୀ ଓ ଅଧିକାରୀମାନଙ୍କୁ ନିମ୍ନୋକ୍ତ ଶପଥପାଠ କରାଇଥିଲେ) ।

“ଜନସାଧାରଣ ହେଉଛନ୍ତି ଗଣତନ୍ତ୍ର ର ଆତ୍ମା । ଗଣତନ୍ତ୍ରରେ ପ୍ରତିଟି ଅନୁଷ୍ଠାନ ଲୋକଙ୍କ କଲ୍ୟାଣ ପାଇଁ, ଲୋକଙ୍କ ପଇସାରେ, ଲୋକଙ୍କ ସେବା ଓ ସଶକ୍ତିକରଣ ପାଇଁ ସୃଷ୍ଟି କରାଯାଇଛି । ଏହି ପୋଲିସ ଥାନା/ଡାକ୍ତରଖାନା/କାର୍ଯ୍ୟାଳୟ ଲୋକଙ୍କ ସେବା ପାଇଁ ଅଛି ଲୋକମାନେ ହିଁ ଏହାର ପ୍ରକୃତ ମାଲିକ । ଏହି କାର୍ଯ୍ୟାଳୟକୁ ଆସୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଉତମ ବ୍ୟବହାର ପ୍ରଦର୍ଶନ କରାଯିବା ସହ ବୃତିଗତ ଏବଂ ସେବା ମନୋଭାବ ନେଇ ସେମାନଙ୍କର ସମସ୍ୟା ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ । ଲୋକମାନେ ହେଉଛନ୍ତି ପ୍ରକୃତ ସରକାର । ଲୋକମାନେ ହେଉଛନ୍ତି ପ୍ରକୃତ ସରକାର ଏବଂ ଏଠାରେ କାମ କରୁଥିବା ସମସ୍ତ କର୍ମଚାରୀ ଲୋକଙ୍କ ପଇସାରେ ହିଁ ବେତନ ପାଉଛନ୍ତି ।”

ଏହି ସମ୍ମିଳନୀର ଉଦଘାଟନୀ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ନିରଞ୍ଜନ ପୂଜାରୀ, ମନ୍ତ୍ରୀ ଶ୍ରୀ ବିକ୍ରମ କେଶରୀ ଆରୁଖ, ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ କୁମାର ତ୍ରିପାଠୀ ପ୍ରମୁଖ ଉଦବୋଧନ ଦେଇ ଜନସାଧାରଣଙ୍କୁ ଉତମ ସେବା ଯୋଗାଇ ଦେବା ଉପରେ ପ୍ରଶାସନ ସର୍ବାଧିକ ପ୍ରାଥମିକତା ଦେବା ଉପରେ ଗୁରୁତ୍ୱାରୋପ କରିଥିଲେ । ଉନ୍ନୟନ କମିଶନର ଶ୍ରୀ ସୁରେଶ ମହାପାତ୍ର ସ୍ୱାଗତ ଭାଷଣ ଦେଇଥିଲେ ଓ କୃଷି ଉତ୍ପାଦନ କମିଶନର ଶ୍ରୀ ପ୍ରଦିପ୍ତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ରାଜ୍ୟ ମନ୍ତ୍ରୀ ମଣ୍ଡଳର ସଦସ୍ୟବୃନ୍ଦ, ବିଭିନ୍ନ ବିଭାଗର ପ୍ରମୁଖ ସଚିବ, ସଚିବ, ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।