ବରଗଡରେ ବଢ଼ୁଛି ସାଇବର କ୍ରାଇମ: ଜିଲ୍ଲାପାଳ ଓ ଏସପିଙ୍କ ନାମରେ ଜାଲ ଫେସବୁକ ଆକାଉଂଟ

ବରଗଡ଼: ବରଗଡ଼ ଜିଲାରେ ସାଇବର୍‌ କ୍ରାଇମରେ ଅପରାଧୀମାନେ ସକ୍ରିୟ ହୋଇ ପଡିଛନ୍ତି। ଅପରାଧୀମାନେ ଖୋଦ ବରଗଡ଼ ଜିଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ଏବଂ ଏସ୍‌ପି ପଦ୍ମିନୀ ସାହୁଙ୍କ ନାମରେ ଜାଲ ଫେସବୁକ ଆକାଉଣ୍ଟ ଖୋଲିବା ପୋଲିସ ପ୍ରଶାସନ ପାଇଁ ଚ୍ୟାଲେଞ୍ଜ ହୋଇପଡିଛି। ଜିଲାପାଳଙ୍କ ନାମରେ ଖୋଲାଯାଇଥିବା ଜାଲ ଫେସବୁକ ଆକାଉଣ୍ଟରେ ଜିଲାପାଳ ପ୍ରଧାନ ଏବଂ ଜିଲାପାଳ ଙ୍କ ଅଫିସର ଏକ ଫଟୋ ଦିଆଯାଇଛି । ସେହିପରି ଏସ୍‌ପିଙ୍କ ନାମରେ ଖୋଲାଯାଇଥିବା ଜାଲ ଫେସବୁକ ଆକାଉଣ୍ଟରେ ଏସ୍‌ପି ସାହୁଙ୍କ ଫଟୋ ସହିତ ଏସପିଙ୍କ କାର୍ଯ୍ୟାଳୟର ଏକ ମ୍ୟପ୍‌କୁ ଦିଆଯାଇଛି।

 collector and sp fake fb account

ଏଭଳିଭାବେ ଜାଲ ଫେସବୁକ ଆକାଉଣ୍ଟ ଖୋଲି ସମ୍ପୃକ୍ତ ଅପରାଧୀମାନେ ଅନେକଙ୍କ ପାଖକୁ ଫ୍ରେଣ୍ଡ ରିକ୍ୟୁଏଷ୍ଟ ପଠାଇବା ପରେ କିଛି ଲୋକ ତାହା ଜାଲ ଆକାଉଣ୍ଟ ବୋଲି ଜାଣି ନ ପାରି ତାହା ଗ୍ରହଣ ମଧ୍ୟ କରିଛନ୍ତି। ତେବେ ଏହା ଜାଲିଆତି ବୋଲି ଜାଣିବା ପରେ ଲୋକେ ସେହି ଫେସବୁକ ଆକାଉଣ୍ଟରୁ ଅନଫ୍ରେଣ୍ଡ ହେବା ସହିତ ବ୍ଲକ କରୁଥିବା ସୂଚନା ମିଳିଛି।ବରଗଡ଼ ଟାଉନ ଥାନାରେ ଏ ନେଇ ଏକ ମାମଲା ରୁଜୁ ହୋଇଛି। ଏଥିସହ ଏହାର ଅଧିକ ତଦନ୍ତ ଜାରି ରହିଛି ବୋଲି ଟାଉନ ଥାନା ଆଇଆଇସି ସଦାନନ୍ଦ ପୂଜାହାରୀ କହିଛନ୍ତି।