ଶୀତରେ ଥରୁଛି ଓଡ଼ିଶା; ଆଜି ବି ସବୁଠାରୁ ଥଣ୍ଡା ସହର ସୋନପୁର

ଭୁବନେଶ୍ୱର: ଶୀତରେ ଥରୁଛି ଓଡ଼ିଶା । ଚାରିଆଡେ ଶୀତର ପରିମାଣ ଏତେ ମାତ୍ରାରେ ରହିଛି ଯେ, ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗତକାଲି ଭଳି ଆଜିର ସ୍ଥିତି ମଧ୍ୟ ସମାନ ରହିଥିଲା । ଆଜି ୧୦ଟି ସହରରେ ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସିଯାଇଥିଲା । ତେବେ ଲଗାତାର ୩ଦିନ ଧରି ସୋନପୁର ସବୁଠାରୁ ଥଣ୍ଡା ସହରରେ ପରିଣତ ହୋଇଛି । ଯାହାର ତାପମାତ୍ରା ୫.୪ ଡିଗ୍ରୀ ରହିଛି ।

ଅନୁଗୁଳରେ ୫.୬ ଡିଗ୍ରୀ, ଫୁଲବାଣୀରେ ୬.୩ ଡିଗ୍ରୀ, ଦାରିଙ୍ଗବାଡିରେ ୭ ଡିଗ୍ରୀ, ଟିଟଲାଗଡରେ ୬.୫ ଡିଗ୍ରୀ, ଭବାନୀପାଟଣାରେ ୯ ଡିଗ୍ରୀ, କେନ୍ଦୁଝରରେ ୮.୪ ଡିଗ୍ରୀ, ଝାରସୁଗୁଡାରେ ୮.୯ ଡିଗ୍ରୀ, ସମ୍ବଲପୁରରେ ୮.୭ ଡିଗ୍ରୀ, ବଲାଙ୍ଗିରରେ ୮.୫ ଡିଗ୍ରୀ, ବାଲେଶ୍ଵରରେ ୮.୫ ଡିଗ୍ରୀ, କଟକରେ ୯.୫ ଡିଗ୍ରୀ, ସୁନ୍ଦରଗଡରେ ୮.୫ ଓ ବାରିପଦାରେ ୯.୪ ଡିଗ୍ରୀ, କୋରାପୁଟରେ ୯.୨ ଓ ଭୁବନେଶ୍ୱର ୧୦.୬ ଡିଗ୍ରୀ ରହିଛି ବୋଲି ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

ଆହୁରି କିଛି ଦିନ ରାଜ୍ୟରେ ଶୀତ ଲହରି ଜାରି ରହିବ। ଅସହ୍ୟ ଜାଡ଼ ଯୋଗୁଁ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ବାଲେଶ୍ୱର, ଅନୁଗୋଳ, ଢେଙ୍କାନାଳ, ସୋନପୁର, ବୌଦ୍ଧ, କଟକ, ପୁରୀ, ଖୋର୍ଦ୍ଧା, କଳାହାଣ୍ଡି ଓ ବଲାଙ୍ଗିର ପାଇଁ ଆଇଏମ୍ ଡି ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।