ପୁଣି ଫେରିଲା ଶୀତ: ଆସନ୍ତାକାଲି ଯାଏଁ ରାଜ୍ୟରେ ରହିବ ଥଣ୍ଡା

ଭୁବନେଶ୍ୱର: ପୁଣିଥରେ ଶୀତ ଲେଉଟିଛି । ଆଜି ରାଜ୍ୟର ୮ଟି ସହରରେ ତାପମାତ୍ରା ୧୦ ଡିଗ୍ରୀରୁ ତଳକୁ ରହିଥିବା ଜଣାପଡିଛି । ସୋନପୁରରେ ସର୍ବନିମ୍ନ ତାପମାତ୍ରାରେ ୬.୮ ଡିଗ୍ରୀ ରହିଥିବାବେଳେ ଅଭ୍ୟନ୍ତରୀଣ ଓ ଉତର ଓଡ଼ିଶାରେ ପ୍ରବଳ ଥଣ୍ଡା ଅନୁଭୂତ ହୋଇଛି । ତେବେ ୧୩ ତାରିଖ ଅର୍ଥାତ୍ ଆସନ୍ତାକାଲି ଯାଏଁ ରାଜ୍ୟରେ ଶୀତର ପରିମାଣ ଜାରି ରହିବ ବୋଲି ଜଣାପଡିଛି ।

ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ବାଲେଶ୍ବର, ସୋନପୁର, ବୌଦ୍ଧ, ବଲାଙ୍ଗୀର ଓ ପୁରୀ ଜିଲ୍ଲାର କେତେକ ସ୍ଥାନରେ ତାପମାତ୍ରା ଆହୁରି ୩ରୁ ୫ ଡିଗ୍ରୀ ଖସିବ। ଆସନ୍ତା ୨ରୁ ୩ ଦିନ ମଧ୍ୟରେ ବାକି ଅଂଚଳରେ ବି ପାଖାପାଖି ଦୁଇ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇବ ବୋଲି ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଆହୁରି କୁହାଯାଇଛି ଯେ ଭୁବନେଶ୍ବର ସମେତ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ଥଣ୍ଡା ବଢ଼ିବ। ଏବେ ରାତିର ତାପମାତ୍ରା ଯେତିକି ରହିଛି ଆଉ ପାଖାପାଖି ୨ ଡିଗ୍ରୀ କମିବା ସହ କଳାହାଣ୍ଡି, କନ୍ଧମାଳ ଓ ‌ କୋରାପୁଟ ଜିଲ୍ଲାରେ ବି ଘନ କୁହୁଡ଼ି ଲାଗିରହିବ। ତାହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସତର୍କତା ଅବଲମ୍ବନ କରିବାକୁ ପରାମର୍ଶ ଦିଆଯାଇଛି। ୧୩ ତାରିଖ ପରେ ରାତିର ତାପମାତ୍ରା ସାମାନ୍ୟ ବଢ଼ିପାରେ। ତେବେ ଥଣ୍ଡାରେ ସେତେଟା ପରିବର୍ତନ ଆସିବ ନାହିଁ।