ଡରଉଛି ଜାଡ, ଶୀତରେ ଥରୁଛି ସାରା ଓଡିଶା

ରାଜ୍ୟରେ ଶୀତ ଲହରୀ  ୨୬ ବର୍ଷ ପରେ ଭୁବନେଶ୍ୱରରେ ସର୍ବାଧିକ ଶୀତ , ୧୩ ସହରରେ ପାରା ୮ ଡିଗ୍ରୀ ତଳେ

ଭୁବନେଶ୍ୱର : ସାରା ରାଜ୍ୟରେ ହାଡ଼ଭଙ୍ଗା ଶୀତ ଜାରି ରହିଛି । ପ୍ରବଳ ଶୀତରେ ଥରୁଛି ସାରା ଓଡ଼ିଶା । ଶୀତ ପ୍ରକୋପରେ ଉପକୂଳ ଓଡ଼ିଶାରୁ ପଶ୍ଚିମ ଓଡ଼ିଶା ପର୍ଯ୍ୟନ୍ତ ରାଜ୍ୟବାସୀ ଥରହର ହେଉଛନ୍ତି । ଦାରିଙ୍ଗବାଡ଼ି ଓ କେନ୍ଦୁଝରର କାଞ୍ଜିପାଣିରେ ବରଫପାତ ହୋଇଛି । ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀ ରେକର୍ଡ ହୋଇଛି । ଘନ କୁହୁଡ଼ିର ଆସ୍ତରଣ ସକାଳ ୧୦ଟା ପର୍ଯ୍ୟନ୍ତ ଲାଗି ରହୁଛି । ରବିବାର ଭୁବନେଶ୍ୱରରେ ତାପମାତ୍ରା ୮.୨ ଡିଗ୍ରୀ ରେକର୍ଡ କରାଯାଇଛି । ଦୀର୍ଘ ୨୬ ବର୍ଷ ଧରି ଏଭଳି ଶୀତ ଭୁବନେଶ୍ୱରରେ ଅନୁଭୂତ ହୋଇନଥିଲା । ୧୯୯୨ ଡିସେମ୍ବରରେ ଭୁବନେଶ୍ୱରରେ ୬.୨ ଡିଗ୍ରୀ ରେକର୍ଡ କରାଯାଇଥିଲା । କଟକରେ ମଧ୍ୟ ତାପମାତ୍ରା ୮.୨ ଡିଗ୍ରୀ ରେକର୍ଡ କରାଯାଇଛି । ରବିବାର ରାଜ୍ୟର ୧୩ଟି ସହର ୮ ଡିଗ୍ରୀ ତଳେ ରହିଛି । ଭୁବନେଶ୍ୱର ପାଣିପାଗ କାର୍ଯ୍ୟାଳୟ ତରଫରୁ କୁହାଯାଇଛି ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ଏପରି ଶୀତ ଲହରୀ ଜାରି ରହିବ । ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୩ ଡିଗ୍ରୀକୁ ଖସିଆସିଛି । ଦାରିଙ୍ଗବାଡ଼ି ଆଖପାଖ ଅଞ୍ଚଳରେ ରବିବାର ତୁଷାରପାତ ହୋଇଥିବା ଦେଖିବାକୁ ମିଳିଥିଲା । ସେହିଭଳି ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୪.୫ ଡିଗ୍ରୀ ରେକର୍ଡ କରାଯାଇଛି ।


ଦାରିଙ୍ଗବାଡ଼ି ଓ ଫୁଲବାଣୀ ,ଜି.ୟୁଦୟଗିରୀ ଓ କେନ୍ଦୁଝରରରେ ତୁଷାରପାତ

ଦାରିଙ୍ଗବାଡ଼ି ଓ ଫୁଲବାଣୀ ପରେ ସବୁଠୁ ଅଧିକ ଶୀତ ଅନୁଭୂତ ହେଉଛି ଅନୁଗୁଳରେ । ଏଠାରେ ସର୍ବନିମ୍ନ ତାପମାତ୍ରା ୫.୬ ଡିଗ୍ରୀକୁ ଖସି ଆସିଛି । କେନ୍ଦୁଝରରେ ସର୍ବନିମ୍ନ ତାପମାତ୍ରା ୬.୪ ଡିଗ୍ରୀ ରେକର୍ଡ କରାଯାଇଥିଲା ବେଳେ ଭବାନୀପାଟଣାରେ ୬.୫, ଝାରସୁଗୁଡ଼ା ଓ ଟିଟିଲାଗଡ଼ରେ ୭ ଡିଗ୍ରୀ ରେକର୍ଡ କରାଯାଇଛି । ବଲାଙ୍ଗୀରରେ ସର୍ବନିମ୍ନ ତାପମାତ୍ରା ୭.୧ ଡିଗ୍ରୀ ରହିଥିବା ବେଳେ କୋରାପୁଟରେ ୭.୨, ସମ୍ବଲପୁରରେ ୭.୩, ବାଲେଶ୍ୱରରେ ୭.୮, ସୁନ୍ଦରଗଡ଼ରେ ୮.୦ ଓ ହୀରାକୁଦରେ ୮.୭ ଡିଗ୍ରୀ ରହିଥିଲା । ସମଗ୍ର କନ୍ଧମାଳ ଜିଲ୍ଲା ଏବେ ପ୍ରବଳ ଜାଡ଼ରେ ଥରୁଛି । ବିଭିନ୍ନ ଅଞ୍ଚଳରେ ଏବେ ହାଡ଼ଭଙ୍ଗା ଶୀତ ଅନୁଭୁତ ହେଉଥିବାରୁ ଜନଜୀବନ ଏକରକମ ଅଚଳ ହୋଇପଡ଼ିଛି । ହାଡ଼ଭଙ୍ଗା ଶୀତ ସହିତ ଗତକାଲି ଠାରୁ ଦାରିଙ୍ଗବାଡ଼ିରେ ଆରମ୍ଭ ହୋଇଥିବା ବରଫପାତ ରବିବାର ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳିଥିଲା । ସମଗ୍ର ଦାରିଙ୍ଗବାଡ଼ି ଅଞ୍ଚଳ ରବିବାର ବରଫର ଚାଦରରେ ଘୋଡ଼ାଇ ହୋଇରହିଥିଲା । ଦାରିଙ୍ଗବାଡ଼ି ଓ ସିମନବାଡ଼ି ଗ୍ରାମରେ ରହିଥିବା ବିଭିନ୍ନ ଚାରିଚକିଆ ଯାନ ଉପରେ ୨ଇଞ୍ଚ ବରଫର ମୋଟା ଆସ୍ତରଣ ଦେଖିବାକୁ ମିଳିଥିଲା ।

ସେହିପରି ଫୁଲବାଣୀ ଟାଉନର କେତେକ ଅଞ୍ଚଳ ଓ ଫିରିଙ୍ଗିଆର ବନ୍ଧଗଡ଼, ଖଜୁରୀପଡ଼ାର ବିଲାବାଡ଼ି ଏବଂ ଆଖପାଖ ଅଞ୍ଚଳର ଚାଳ ଛପର ଘର ଉପରେ ପ୍ରବଳ ମାତ୍ରାରେ ତୁଷାରପାତ ଦେଖିବାକୁ ମିଳିଥିଲା । ଦାରିଙ୍ଗବାଡ଼ି ଅଞ୍ଚଳରେ ୨ ଇଞ୍ଚ ବହଳର ବରଫପାତ ହୋଇଥିବା ଦେଖିବାକୁ ମିଳିଛି । ବରଫପାତ ଦେଖିବାକୁ ପର୍ଯ୍ୟଟକମାନଙ୍କ ପ୍ରବଳ ଭିଡ଼ ସିମନବାଡ଼ି ଓ ଦାରିଙ୍ଗବାଡ଼ିରେ ଜମୁଛି । ରବିବାର ଦିନ ପ୍ରବଳ ଶୀତ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି । ପ୍ରବଳ ଥଣ୍ଡା ଯୋଗୁଁ ଲୋକେ ଘରୁ ଦିନ ୧୦ଟା ପର୍ଯ୍ୟନ୍ତ ବାହାରି ପାରିନଥିଲେ । ପ୍ରବଳ ଜାଡ଼ ଯୋଗୁଁ ବୃଦ୍ଧବୃଦ୍ଧାଙ୍କ ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ଦିନକୁ ଦିନ ତାପମାତ୍ରା ହ୍ରାସ ପାଉଥିବା ବେଳେ ଏହିପରି ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ଲାଗି ରହିବ ବୋଲି ପାଣିପାଗ ବିଭାଗ ପୁର୍ବାନୁମାନ କରିଛି । ଅନୁଗୁଳ ଜିଲ୍ଲାରେ ପ୍ରଥମ ଥର ପାଇଁ ତାପମାତ୍ର ସର୍ବନିମ୍ନ ସ୍ତରରେ ପହଞ୍ଚିଛି । ରବିବାର ତାପମାତ୍ରା ସର୍ବନିମ୍ନ ୫.୬ଡିଗ୍ରୀ ସେଲସିୟସ୍ରେ ପହଞ୍ôଚଛି ।

ତଥ୍ୟ ମୁତାବକ ୨୦୦୩ ଜାନୁଆରୀ ୧୮ରେ ଓ ୨୦୧୨ ଜାନୁଆରୀ ୧୦ରେ ସର୍ବନିମ୍ନ ୬ ଡିଗ୍ରୀ ତାପମାତ୍ରା ଅନୁଗୁଳରେ ରେକର୍ଡ କରାଯାଇଥିଲା । କିନ୍ତୁ ରବିବାର ଜିଲ୍ଲାରେ ଶୀତ ସବୁ ରେକର୍ଡ ଭାଙ୍ଗିଦେଇଛି । କେନ୍ଦୁଝର ଜିଲ୍ଲା ପ୍ରବଳ ଜାଡ଼ରେ ଥରୁଥିବାବେଳେ ତାପମାତ୍ରା ୬.୪ଡିଗ୍ରୀ ଛୁଇଁଛି । ଶନିବାର ରାତିରେ ଜିଲ୍ଲାର କାଞ୍ଜିପାଣି ଘାଟୀ ଅଞ୍ଚଳରେ ବରଫପାତ ହୋଇଥିବା ଜଣାପଡିଛି । ସେହିପରି ନୟାକୋଟ, ପର୍ଯ୍ୟଟନସ୍ଥଳ ଖଣ୍ଡାଧାର, ସଦର ବ୍ଲକର ଭାଲୁପାହାଡ଼ି ସମେତ ଆଉ କେତେକ ସ୍ଥାନରେ ତୁଷାରପାତ ହୋଇଥିବା ଖବର ମିଳିଛି । ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ରବିବାର ସର୍ବନିମ୍ନ ୬.୪ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି । କେନ୍ଦୁଝରରେ ଶୀତ ପୂର୍ବ ବର୍ଷର ରେକର୍ଡ ଭାଙ୍ଗିଛି । କାଞ୍ଜିପାଣି ଅଞ୍ଚଳରେ ତୁଷାର ହେଉଥିବା ଯୋଗୁଁ ଘାଟି ଅଞ୍ଚଳରେ ରହୁଥିବା ଆଦିବାସୀ, ଜୁଆଙ୍ଗ ଗ୍ରାମଗୁଡ଼ିକର ଲୋକେ ପ୍ରବଳ ଶୀତରୁ ରକ୍ଷା ପାଇବା ପାଇଁ ନିଆଁ ପାଖରେ ବସି ରାତି ବିତାଉଥିବା ଜଣାପଡିଛି ।