ଜାଡରେ ଥରୁଛି ସାରା ଓଡ଼ିଶା

ଦାରିଙ୍ଗବାଡ଼ିରେ ବରଫପାତ


ଭୁବନେଶ୍ୱର : ପ୍ରବଳ ଶୀତରେ ଥରୁଛି ସାରା ଓଡ଼ିଶା । ଶୀତ ପ୍ରକୋପରେ ଉପକୂଳ ଓଡ଼ିଶାରୁ ପଶ୍ଚିମ ଓଡ଼ିଶା ପର୍ଯ୍ୟନ୍ତ ରାଜ୍ୟବାସୀ ଥରହର ହେଉଛନ୍ତି । ଅସ୍ତବ୍ୟସ୍ତ ହୋଇପଡ଼ିଛି ଜନଜୀବନ । କେଉଁଠି ପାଣି ବରଫ ପାଲଟିଯାଉଛି ତ ଆଉ କେଉଁଠି ଘନ କୁହୁଡ଼ିର ଆସ୍ତରଣ । ଭୁବନେଶ୍ୱର ପାଣିପାଗ କାର୍ଯ୍ୟାଳୟ ତରଫରୁ କୁହାଯାଇଛି ଯେ ଶୀତ ଲହରୀ ଗତ ୫ ବର୍ଷର ରେକର୍ଡ ଭାଙ୍ଗିଛି । ରାଜ୍ୟର ଅଧିକାଂଶ ସ୍ଥାନରେ ଶନିବାର ୧୦ ଡିଗ୍ରୀରୁ କମ୍ ତାପମାତ୍ର ରେକର୍ଡ କରାଯାଇଥିବା ବେଳେ ଆଗକୁ ଆହୁରି ଶୀତ ବଢ଼ିବ ବୋଲି ପୂର୍ବାନୁମାନ କରାଯାଇଛି । ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ପବନ ବହୁଥିବାରୁ ଓଡ଼ିଶାର ଉତ୍ତର ଓ ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରବଳ ଶୀତ ପଡ଼ିଛି । ଆହୁରି ଦୁଇ ଦିନ ତଥା ନୂଆ ବର୍ଷ ପର୍ଯ୍ୟନ୍ତ ଏପରି ଶୀତ ଲହରୀ ଲାଗିରହିବ ।

ପ୍ରବଳ ଜାଡ଼ରେ ଶନିବାର ଫୁଲବାଣୀ କେନ୍ଦୁଝର ଅଞ୍ଚଳରେ ତୁଷାରପାତ ହୋଇଛି । ଗତ ମଙ୍ଗଳବାରଠାରୁ ଲଗାତାର ତାପମାତ୍ରା ହ୍ରାସ ପାଉଥିବା ବେଳେ ଶନିବାର ସକାଳୁ ଦାରିଙ୍ଗବାଡ଼ିରେ ଚଳିତ ବର୍ଷର ପ୍ରଥମ ବରଫପାତ ଦେଖିବାକୁ ମିଳିଛି । ଶନିବାର ଭୁବନେଶ୍ୱରରେ ସକାଳେ ତାପମାତ୍ରା ୧୧ ଡିଗ୍ରୀ ଥିଲା ବେଳେ ସନ୍ଧ୍ୟାରେ ୧୪ ଡିଗ୍ରୀ ଥିଲା । କଟକରେ ସର୍ବନିମ୍ନ ତାପମାତ୍ରା ସକାଳେ ୧୧ ଡିଗ୍ରୀ ଥିଲା ବେଳେ ସନ୍ଧ୍ୟାରେ ୧୬ ଡିଗ୍ରୀ ରହିଥିଲା । ଦାରିଙ୍ଗବାଡ଼ିରେ ତାପମାତ୍ରା ୬ ଡିଗ୍ରୀ ଥିବାର ରେକର୍ଡ଼ କରାଯାଇଥିଲା । ଆଭ୍ୟନ୍ତରୀଣ ଅଞ୍ଚଳମାନଙ୍କରେ ଚଳିତ ବର୍ଷର ତାପମାତ୍ର ସର୍ବନିମ୍ନ ସ୍ତରରେ ପହଞ୍ଚି ୪ ଡିଗ୍ରୀ ରହିଥିବା ବେସରକାରୀ ସୂତ୍ରରୁ ପ୍ରକାଶ । ଆଭ୍ୟନ୍ତରୀଣ ଇଲାକାରେ ଏହା ଆହୁରି କମ୍ ରହୁଥିବା ସ୍ଥାନୀୟ ଅଞ୍ଚଳବାସୀ କହିଛନ୍ତି । ପ୍ରବଳ ଜାଡ଼ ଯୋଗୁଁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଦାରିଙ୍ଗବାଡ଼ିର ବ୍ଲକ ପାଣିପାଗ କର୍ମଚାରୀ ପୁରୁଷୋତ୍ତମ ସାହୁ କହିଛନ୍ତି, ପ୍ରବଳ ଶୀତ ଓ ବରଫପାତ ଯୋଗୁଁ ଅଞ୍ଚଳବାସୀ ନାନା ସମସ୍ୟାରେ ରହୁଛନ୍ତି । ଆକାଶ ମେଘମୁକ୍ତ ରହିଥିବାରୁ ଏହିପରି ଅବସ୍ଥା କିଛିଦିନ ଲାଗି ରହିପାରେ ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ଦାରିଙ୍ଗବାଡ଼ିରେ ପ୍ରବଳ ଜାଡ଼ ସହିତ ଲଗାତାର ତୁଷାରପାତ ଓ ଆଜି ବରଫପାତ ହେଉଥିବା ଯୋଗୁଁ ଶୀତର ମଜା ଉଠାଇବା ପାଇଁ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାରହଜାର ପର୍ଯ୍ୟଟକମାନେ ଦାରିଙ୍ଗବାଡ଼ିର ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକରେ ଭିଡ଼ ଜମାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ଗତ ୩ରୁ ୪ ଦିନ ଧରି ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ଶୀତ ଲହରୀ ଅନୁଭୂତ ହେଉଛି । ଜିଲ୍ଲାର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ପ୍ରବଳ ଶୀତ ଅନୁଭୂତ ହେବା ସହ ୧୦ ଡିଗ୍ରୀ ତଳକୁ ପାରଦ ଖସିଛି । ସୁନ୍ଦରଗଡ଼ ଭଳି ଆଭ୍ୟନ୍ତରୀଣ ଓଡ଼ିଶା ତଥା କନ୍ଧମାଳ, କେନ୍ଦୁଝର ଓ ବାଲେଶ୍ୱର ଜିଲ୍ଲାରେ ମଧ୍ୟ ୧୦ ଡିଗ୍ରୀ ତଳେ ରହୁଛି ତାପମାତ୍ରା । କେନ୍ଦୁଝର ଜିଲ୍ଲାରେ ଚଳିତବର୍ଷ ଶୀତର ପ୍ରକୋପ ସମସ୍ତ ରେକର୍ଡ ଭାଙ୍ଗିଛି । ପୂର୍ବ ବର୍ଷମାନଙ୍କ ଅପେକ୍ଷା ଚଳିତବର୍ଷ ଥଣ୍ଡା ଅଧିକ ଅନୁଭୂତ ହେଉଛି । ଶନିବାର ସକାଳ ୮ଟା ୩୦ରେ କେନ୍ଦୁଝର ତାପମାତ୍ରା ୬.୯ ସେଲସିୟସ ରହିଥିଲା । ଏପଟେ ଜିଲ୍ଲାର କେତେକ ସ୍ଥାନରେ ତୁଷାରପାତ ହୋଇଥିବା ଖବର ମିଳିଛି । ପାଣିପାଗ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବଡ଼ଦିନ ଡିସେମ୍ବର ୨୫ରେ କେନ୍ଦୁଝରର ସର୍ବନିମ୍ନ ତାପମାତ୍ରା ୭.୨ଡିଗ୍ରୀ ସେଲସିୟସ ରହିଥିଲା । ୨୬ରେ ତାପମାତ୍ରା ବୃଦ୍ଧି ପାଇ ୯.୧ ଡିଗ୍ରୀ ସେଲସିୟସକୁ ଛୁଇଁଥିଲା । ୨୭ରେ ତାପମାତ୍ରା ୧୦.୬ ଡିଗ୍ରୀକୁ ଛୁଇଁଥିବାବେଳେ ୨୮ରେ ତାପମାତ୍ରା ପୁନର୍ବାର ହ୍ରାସ ପାଇ ୯.୮ଡିଗ୍ରୀ ସେଲସିୟସ ରହିଥିଲା । ଆଗାମୀ ଦିନରେ ତାପମାତ୍ରା ଆହୁରି ହ୍ରାସ ପାଇବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି ।

ପ୍ରବଳ ଥଣ୍ଡାରେ କେନ୍ଦୁଝର ଜିଲ୍ଲାର ବାଂଶପାଳ ବ୍ଲକର କେତେକ ଅଞ୍ଚଳରେ ତୁଷାରପାତ ହୋଇଥିବା ଜଣାପଡ଼ିଛି । ସେହିପରି କେନ୍ଦୁଝର ସଦର ବ୍ଲକର କାଦଗଡ଼ ଭାଲୁପାଳସାହି ଅଞ୍ଚଳରେ ଶୁକ୍ରବାର ବିଳମ୍ବିତ ରାତ୍ରିରେ ତୁଷାରପାତ ହୋଇଥିବା ଖବର ମିଳିଛି । କାଦଗଡ଼ ଭାଲୁପାଳସାହି ପାହାଡ଼ ତଳେ ରହିଥିବା ଯୋଗୁଁ ଅନ୍ୟ ଅଞ୍ଚଳ ଅପେକ୍ଷା ଏଠାରେ ଅଧିକ ଥଣ୍ଡା ଅନୁଭୂତ ହୋଇଥାଏ । ଶୁକ୍ରବାର ବିଳମ୍ବିତ ରାତ୍ରିରେ ଭାଲୁପାଳସାହିର ଯାଦବ ଚରଣ ସାହୁ, କୁନା ସାହୁ ଓ କେଦାରନାଥ ଅମାନ୍ତଙ୍କ ବାଡ଼ିରେ ତୁଷାର ପଡ଼ିଥିବା ଦେଖାଯାଇଥିଲା । ସ୍ଥାନୀୟ ଲୋକେ ଏହା ଦେଖିବା ପାଇଁ ଭିଡ଼ ଜମାଇଥିଲେ । ଏ ଅଞ୍ଚଳରେ କେବେ ଏଭଳି ତୁଷାରପାତ ହୋଇନଥିଲା ବୋଲି ଅଞ୍ଚଳବାସୀ ପ୍ରକାଶ କରିଛନ୍ତି । ସେହିଭଳି କାଞ୍ଜିପାଣିର ଆଭ୍ୟନ୍ତରୀଣ ଅଞ୍ଚଳରେ ମଧ୍ୟ ତୁଷାରପାତ ହୋଇଥିବା ଖବର ମିଳିଛି ।