ଭୁବନେଶ୍ୱର: ରାଜ୍ୟରେ କିଛି ଦିନ ହେବ ପାଗ କୋହଲା ରହିବା ସହ ସ୍ୱଳ୍ପ ବର୍ଷା ଲାଗି ରହିଛି । ଯାହା ଆସନ୍ତାକାଲି ଠାରୁ ପାଗରେ ପରିବର୍ତନ ଦେଖାଯିବ । ବର୍ଷା ପରେ ଶୀତ ବଢ଼ିବ ବୋଲି ଜଣାପଡିଛି ।
ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ଜଣାପଡିଛି ଯେ,ଆଜିଠାରୁ ଶୀତ ବଢିବା ସହ ପୁରୀ, ଯାଜପୁର, ଢେଙ୍କାନାଳ, ନୟାଗଡ଼, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ଗଞ୍ଜାମ, କନ୍ଧମାଳ, କେନ୍ଦୁଝର ଓ ମୟୂରଭଂଜରେ ଆସନ୍ତା ୨୪ ଘଂଟା ମଧ୍ୟରେ ସାମାନ୍ୟ ବର୍ଷା ହେବାର ସମ୍ଭାବନା ରହିଛି। ବର୍ଷା ସହ ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିପାରେ ବୋଲି ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି। ତେବେ ୧୦ ତାରିଖ ପରଠାରୁ ରାଜ୍ୟରେ ବର୍ଷା କମିବା ସହ ଶୀତ ବଢ଼ିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।
ତେବେ ବର୍ଷା ପରେ ପରେ ପୁଣି ଲେଉଟିବ ଶୀତ । ଆସନ୍ତାକାଲିଠାରୁ ତାପମାତ୍ରା ୩ରୁ ୪ ଡିଗ୍ରୀକୁ ଖସି ଆସିବ । ସେହିଭଳି ରାଜ୍ୟର ୪ ଜିଲ୍ଲାରେ ଶୀତର ଲହରି ପାଇଁ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ସୋନପୁର, କେନ୍ଦୁଝର, ମୟୁରଭଂଜ, ବାଲେଶ୍ୱର ଏବଂ ଅନୁଗୁଳରେ ଆସନ୍ତାକାଲିଠାରୁ ଥଣ୍ଡାର ପରିମାଣ ବଢିବା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଉଲ୍ଲେଖ ଥାଉ କି, ବିହାର ଓ ଏହାର ପାଖ ଅଂଚଳରେ ଘୂର୍ଣ୍ଣିବଳୟ ରହିଥିବାରୁ ଏପରି ସ୍ଥିତି ଓଡିଶାରେ ଦେଖିବାକୁ ମିଳିଛି । ଗତ ବୁଧବାର ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବା ହେତୁ ପାଗ ପୂରାପୂରି କୋହଲା ରହିଛି। ସାରା ରାଜ୍ୟରେ ଶୀତର ଲହରୀ ଖେଳିଯାଇଛି।