ଥମୁନି ଓଡ଼ିଶାରେ ଶୀତ: ସୋନପୁର ସବୁଠାରୁ ଥଣ୍ଡା ସହର

ଭୁବନେଶ୍ୱର: ବର୍ଷା ପରେ ପୁଣିଥରେ ଶୀତର ପ୍ରକୋପ ବଢ଼ିଛି । ଆଜି ରାଜ୍ୟରେ ଶୀତ ଫେରିଥିବା ଜଣାପଡିଛି । ସୋନପୁର ସବୁଠାରୁ ଅଧିକ ଥଣ୍ଡା ସହର ପାଲଟିଛି । ଏଠାରେ ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରି ସେଲସିୟସ୍ ରହିଛି । ସେହିଭଳି ରାଜ୍ୟର ୩ଟି ସହରର ତାପମାତ୍ରା ୧୦ ଡିଗ୍ରି ସେଲସିୟସ୍ ତଳକୁ ରହିଥିବା ଜଣାପଡିଛି ।

ପ୍ରକାଶ ଯେ, ଆଜି ଅନୁଗୁଳରେ ସର୍ବନିମ୍ନ ତାପମାତ୍ରା ୯ ଡିଗ୍ରି ସେଲସିଅସ୍ ରହିଥିବା ବେଳେ ଫୁଲବାଣୀରେ ୧୦ ଡିଗ୍ରି ସେଲସିଅସ୍ ରହିଛି। ମୋଟାମୋଟିଭାବେ କହିବାକୁ ଗଲେ ଆଭ୍ୟନ୍ତରୀଣ ଓଡ଼ିଶାରେ ୪ରୁ ୫ ଡିଗ୍ରି ସେଲସିଅସ୍ ଯାଏ ତାପମାତ୍ରା ହ୍ରାସ ପାଇଛି।

ସକାଳୁ ଉପକୂଳ ଓଡ଼ିଶା ସମେତ ମଧ୍ୟ ଓଡ଼ିଶାରେ ପ୍ରବଳ କୁହୁଡ଼ି ଦେଖିବାକୁ ମିଳିଛି। କେନ୍ଦ୍ରାପଡ଼ା ଜିଲ୍ଲାର ପାଟକୁରା, ସୁନ୍ଦରଗଡ଼ ଜିଲ୍ଲାର ରାଉରକେଲାରେ ମଧ୍ୟ ଦେଖିବାକୁ ମିଳିଛି ବହଳିଆ କୁହୁଡ଼ିଆ ଆସ୍ତରଣ । ସେହିପରି କନ୍ଧମାଳ ଜିଲ୍ଲାର ବାଲିଗୁଡ଼ାରେ ବି ସକାଳୁ ସକାଳୁ ଦେଖିବାକୁ ମିଳିଛି କୁହୁଡ଼ିର ପ୍ରଭାବ । ସକାଳେ ସକାଳେ କୁହୁଡ଼ି ପରିମାଣ ଏତେ ରହିଛି ଯେ ସାଧାରଣ ଗାଡ଼ିମୋଟର ଯାତାୟତ ବି ପ୍ରଭାବିତ ହୋଇଥିବା ଜଣାଯାଇଛି।

ତେବେ ଆସନ୍ତା ୮ ଓ ୯ ତାରିଖରେ ରାଜ୍ୟର କେତେକ ସ୍ଥାନରେ ଝିପିଝିପି ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।