ରାଜ୍ୟକୁ ଥରାଉଛି ଶୀତ

ଭୁବନେଶ୍ୱର: ଆଜି ସାରା ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେଉଥିବା ଜଣାଯାଇଛି। ତେବେ ରାଜ୍ୟର ସୋନପୁର ଜିଲ୍ଲାରେ ସବୁଠୁ ଅଧିକ ଅନୁଭୂତ ହେଉଛି।  ବିଭିନ୍ନ ସ୍ଥାନରେ ତୁଷାରପାତ ହୋଇଥିବା ଖବର ମିଳିଛି ।  ଝାରସୁଗୁଡ଼ା, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରେ ତାପମାତ୍ରା ହ୍ରାସ ପାଇବା ପରେ କେତେକ ଅଂଚଳରେ ତୁଷାରପାତର ଚିତ୍ର ସାମ୍ନାକୁ ଆସିଛି।  ଝାରସୁଗୁଡ଼ା ଜିଲ୍ଲାରେ ଗତ ଦୁଇ ଦିନ ହେଲା ପ୍ରବଳ ଶୀତ ଲହରୀ ଅନୁଭୂତ ହେଉଛି। ସାରା ଜିଲ୍ଲା ଶୀତରେ ଥରୁଛି । ଶନିବାର ସକାଳେ ଲଇକେରା ଅଞ୍ଚଳରେ କିଛି ସ୍ଥାନରେ ତୁଷାରପାତ ହୋଇଥିବା ଜଣାଯାଇଛି ।

ଗତକାଲି ସନ୍ଧ୍ୟାରୁ ଥଣ୍ଡା ପବନ ବହିବା ସାଙ୍ଗକୁ ଶୀତ ଲହରୀ ଓ ଘନ କୁହୁଡ଼ି ଜନ ଜୀବନକୁ ଅସ୍ତ୍ୟବ୍ୟସ୍ତ କରିପକାଉଛି । ଚଳିତ ବର୍ଷର ଏହି ଶୀତ ପୂର୍ବ ବର୍ଷମାନଙ୍କର ରେକର୍ଡ ଭାଙ୍ଗିଛି ବୋଲି କୁହାଯାଇଛି । ଶନିବାର ସକାଳୁ ୮ ଡିଗ୍ରିରୁ ବି କମ୍ ତାପମାତ୍ରା ହୋଇଯାଇଥିବା ଦେଖିବାକୁ ମିଳିଥିଲା। ଜିଲ୍ଲାର ଲଇକେରା ବ୍ଲକ ଅଞ୍ଚଳରେ ଅଧିକ ଶୀତ ଅନୁଭୂତ ହୋଇଥାଏ। ଆଜି ସକାଳୁ ଧାନ କ୍ଷେତଗୁଡିକରେ ପତଳା ବରଫ ଆବରଣ ଦେଖିବାକୁ ମିଳିଥିଲା । ଏହାକୁ ଦେଖିବାକୁ ଜନସାଧାରଣରେ ଉତ୍ସାହ ଦେଖାଯାଇଥିଲା ।

ସୁନ୍ଦରଗଡ଼ର କୋଇଡ଼ାରେ ବି ତୁଷାରପାତ ହୋଇଥିବାର ସୂଚନା ମିଳିଛି।ସେଠାରେ ତାପମାତ୍ରା ୩ ଡିଗ୍ରି ତଳକୁ ଖସିଥିବା କୁହାଯାଉଛି। ଆଜି ସକାଳେ ରାଉରକେଲା ଓ ସୁନ୍ଦରଗଡ଼ରେ ବି ଅସହ୍ୟ ଥଣ୍ଡା ଅନୁଭୂତ ହୋଇଛି ।

ଠିକ୍ ସେହିପରି କେନ୍ଦୁଝର ଜିଲ୍ଲାର ଯୋଡ଼ା ବ୍ଲକ ଆସେଇଁକଳା ଗ୍ରାମପଞ୍ଚାୟତର ପୁଟୁଙ୍ଗାରେ ପାଳ ଗଦା ଉପରେ ତୁଷାରପାତ ହୋଇଥିବାର ଦେଖିବାକୁ ମିଳିଛି। କାଞ୍ଜିପାଣି ଘାଟିରେ ବି ତୁଷାରପାତ ହୋଇଥିବାର ସୂଚନା ମିଳିଛି।