ଭୁବନେଶ୍ବର : ହାଡ଼ଭଙ୍ଗା ଶୀତରେ ଥରୁଛି କନ୍ଧମାଳ । ଖସୁଛି ପାରଦ, ବଢ଼ୁଛି ଥଣ୍ଡା । ସାରା ଜିଲ୍ଲାରେ ଜାରି ରହିଛି ଶୀତ ଲହରୀ । ଗତକାଲି ଫୁଲବାଣୀର ତାପମାତ୍ରା ୮ଡିଗ୍ରୀ ଥିବା ବେଳେ ଆଜି ଏହା ୬.୫ ଡିଗ୍ରୀକୁ ଖସିଆସିଛି । ସେହିପରି ରବିବାର ଦାରିଙ୍ଗବାଡ଼ିର ତାପମାତ୍ରା ୭.୫ ଡିଗ୍ରୀ ସେଲସିୟସ ଥିବା ବେଳେ ଆଜି ଏହା ୭ ଡିଗ୍ରୀ ରହିଛି। ସେପଟେ ଉତ୍ତର ଭାରତରେ ବି ଶୀତ ଲହରି ଜାରି ରହିଛି । ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଦିଲ୍ଲୀ, ରାଜସ୍ଥାନ ଆଦି ସ୍ଥାନରେ ଜନଜୀବନ ପ୍ରଭାବିତ ହୋଇଛି ।
ଜାଡରେ ଥରୁଛି କନ୍ଧମାଳ । ଘନ କୁହୁଡ଼ି ଯୋଗୁଁ ରାସ୍ତା ଦେଖାଯାଉନି । ସକାଳ ୯ ନହେଲେ କୁହୁଡ଼ି ଛାଡ଼ୁନି । ସ୍ବେଟର, ସାଲ୍, କ୍ୟାପ୍, ମଫଲର ସବୁ ଥିଲେ ବି ଉଷୁମ ପାଇଁ ନିଆଁ ଜାଳିବାକୁ ବାଧ୍ୟ ହେଉଛନ୍ତି ଲୋକେ । ବିଶେଷକରି ଜିଲ୍ଲାର ଫୁଲବାଣୀ, ଦାରିଙ୍ଗବାଡି, ବେଲଘର, ତୁମୁଡିବନ୍ଧ, କୋଟଗଡ, ବାଲିଗୁଡା, ଜି.ଉଦୟଗିରି, ରାଇକିଆ, ଫିରିଙ୍ଗିଆ ଆଦି ବିଭିନ୍ନ ସ୍ଥାନରେ ତାପମାତ୍ରା ଖସିବାରେ ଲାଗିଛି । ଫୁଲବାଣୀରେ ତାପମାତ୍ରା ୬.୫କୁ ଖସିଆସିଥିବା ବେଳେ ଦାରିଙ୍ଗବାଡିର ତାପମାତ୍ରା ଏହାଠାରୁ ବି କମ୍ ରହିଛି । ସଂଧ୍ୟା ହେଲେ ମାଡ଼ି ଆସୁଛି ଶୀତ । ଦୋକାନ ବଜାର ଖାଁ ଖାଁ ସାଙ୍ଗକୁ ରାସ୍ତା ଘାଟ ଜନ ଶୂନ୍ୟ ହୋଇପଡ଼ୁଛି । ଜାଡ଼ ବଢ଼ୁଥିବାରୁ ବୃଦ୍ଧ ବୃଦ୍ଧା ବେଶୀ କଷ୍ଟ ଭୋଗୁଛନ୍ତି । ତେବେ ଥଣ୍ଡାର ମଜା ନେବାକୁ କନ୍ଧମାଳକୁ ରାଜ୍ୟ ତଥା ରାଜ୍ୟ ବାହାରୁ ପର୍ୟ୍ୟଟକ ଛୁଟୁଛନ୍ତି । ଆଗକୁ ଶୀତ ଆହୁରି ବଢ଼ିବ ବୋଲି କହିଛନ୍ତି ପାଣିପାଗ ବିଶେଷଜ୍ଞ
କେବଳ କନ୍ଧମାଳ କାହିଁକି ଆଭ୍ୟନ୍ତରୀଣ ଓଡିଶାର ହାଲ ଏପରି । ଉତ୍ତର ଓଡ଼ିଶା ସମେତ କୋରାପୁଟ, ମାଲକାନଗିରି ଆଦି ସ୍ଥାନରେ ଅବସ୍ଥା ଅଳ୍ପ ବହୁତେ ଏଭଳି । ଆଗକୁ ସ୍ଥିତି ଆହୁରି ସଙ୍ଗିନ ହେବ ଓ ୨୬ ତାରିଖରୁ ପାରଦ ଆହୁରି ୩ରୁ ୪ ଡିଗ୍ରୀ ପର୍ୟ୍ୟନ୍ତ ହ୍ରାସ ପାଇବ । ଉତ୍ତର ଓଡିଶାରେ ଏବେ ତାପମାତ୍ରା ହାରାହାରିଠାରୁ ୪ରୁ ୫ ଡିଗ୍ରୀ କମ୍ ରହୁଛି। ରାଜ୍ୟର ୧୦ଟି ସହରର ତାପମାତ୍ରା ୧୦ ଡିଗ୍ରୀ ତଳକୁ ଖସି ଆସିଛି । ଆସନ୍ତା ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ଶୀତ ଲହରି ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି ।
ଦେଶର ଅଧିକାଂଶ ଭାଗରେ ବି ଶୀତ ଲହରି ଅନୁଭୁତ ହେଉଛି । ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ହରିୟାଣା, ଦିଲ୍ଲୀ, ରାଜସ୍ଥାନ ଆଦି ରାଜ୍ୟରେ ଶୀତ ଲହରି ସାଙ୍ଗକୁ କୁହୁଡି ପଡୁଥିବାରୁ ଜନଜବୀନ ପ୍ରଭାବିତ ହୋଇଚି । ଦିଲ୍ଲୀରେ ହାଡଭଙ୍ଗା ଶୀତ ସାଙ୍ଗକୁ ପ୍ରଦୂଷଣ ସହର ବାସିନ୍ଦାଙ୍କୁ ଅଣନିଶ୍ବାସୀ କରିପକାଇଛି । ଏପରି ସ୍ଥଳେ ଲୋକଙ୍କୁ ବାହାରକୁ ନବାହାରିବା ପାଇଁ ଲୋକଙ୍କୁ ସଚେତନ କରାଯାଉଛି ।