କୋଲକତା : କୋଇଲା ଖଣି କ୍ଷେତ୍ରକୁ ବ୍ୟବସାୟିକ ଖଣି ଖନନ ପାଇଁ ଖୋଲିଦେବାକୁ ଭାରତ ସରକାରଙ୍କ ନିଷ୍ପତ୍ତିକୁ କୋଲ ଇଣ୍ଡିଆର କର୍ମଚାରୀମାନେ ବିରୋଧ କରିଛନ୍ତି । ସରକାରଙ୍କ ଏହି ନିଷ୍ପତ୍ତି ପ୍ରତିବାଦରେ କୋଲ ଇଣ୍ଡିଆ ୟୁନିୟନଗୁଡ଼ିକ ଆସନ୍ତା ଜୁଲାଇ ୨ରୁ ୩ ଦିନିଆ ଧର୍ମଘଟ ଡାକରା ଦେଇଛନ୍ତି ।
ଗତ ମାସରେ ଭାରତ ସରକାର ଭାରତର କୋଇଲା ଖଣି କ୍ଷେତ୍ରକୁ ବ୍ୟବସାୟିକଭିତ୍ତିରେ ଖନନ ପାଇଁ ଖୋଲିଦେବା ସହ ଘରୋଇ କମ୍ପାନିଙ୍କ ପ୍ରବେଶକୁ ଅନୁମତି ଦେଇଥିଲେ । ଆସନ୍ତା ଜୁଲାଇ ୧୮ ତାରିଖରେ ସରକାର କୋଇଲା ଖଣି ନିଲାମ ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଥିବାରୁ ଶ୍ରମିକ ୟୁନିୟନମାନେ ଧର୍ମଘଟ ଡାକରା ଦେଇଛନ୍ତି ।
କୋଲ ଇଣ୍ଡିଆର ୫ଟି ପଂଜୀକୃତ ୟୁନିୟନ ଏହି ଧର୍ମଘଟ ଡାକରା ଦେଇଛନ୍ତି । ଏହି ୫ଟି ୟୁନିୟନରେ କୋଲ୍ ଇଣ୍ଡିଆର ମୋଟ ୨.୮ ଲକ୍ଷ କର୍ମଚାରୀଙ୍କ ୯୦ ପ୍ରତିଶତ ସଦସ୍ୟ ଅଛନ୍ତି । ଅଲ ଇଣ୍ଡିଆ କୋଲ ଓ୍ଵାର୍କର୍ସ ଫେଡେରେସନର ସଭାପତି ଡିଡି ରାମନନ୍ଦନ କହିଛନ୍ତି ଯେ ଆସନ୍ତା ୧୮ ତାରିଖରେ ସରକାର କୋଇଲା ଖଣି ନିଲାମ ପ୍ରକ୍ରିୟା ଆରମ୍ଭ କରିବାରୁ ଥିବାବେଳେ ସେହିଦିନ ଧର୍ମଘଟ ପାଇଁ ସରକାରଙ୍କୁ ନୋଟିସ ଦିଆଯିବ । ଗତ ୧୧ ତାରିଖରେ କୋଲ ଇଣ୍ଡିଆର ୪ଟି ୟୁନିୟନ ଡ୍ରାଇ ଡେ (କାମ ଛାଡ) ଆନ୍ଦୋଳନ କରିଥିଲେ । କୋଇଲା କ୍ଷେତ୍ରର ଘରୋଇକରଣ, ଠିକା କର୍ମଚାରୀଙ୍କୁ ଅଧିକ ବେତନ, ଆହତ କର୍ମଚାରୀଙ୍କ ପରିବାରକୁ ଚାକିରି ଆଦି ଦାବି କରି ସେମାନେ ଆନ୍ଦୋଳନ କରୁଛନ୍ତି ।