ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରସ୍ତାବ : ଖୋଲା ବଜାରକୁ ଛଡ଼ାଯାଉ କୋଭିଡ୍-୧୯ ଟିକା
ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଅଧିକ ଟିକା ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ
ଭୁବନେଶ୍ୱର: କୋଭିଡ୍-୧୯ ଟିକା ସରକାରୀ ଯୋଗାଣ ଶୃଙ୍ଖଳ ବାହାରେ, ଅର୍ଥାତ୍ ଖୋଲା ବଜାରରେ ଉପଲବ୍ଧ କରାଯାଉ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଲେଖିଥିବା ପତ୍ରରେ ପ୍ରସ୍ତାବ ଦେଇଛନ୍ତି। ଏହାଦ୍ୱାରା କ୍ରୟ କରିବାକୁ ସମର୍ଥ ଲୋକେ ନିଜେ ଟିକା କ୍ରୟ କରି ନେଇପାରିବେ। ଫଳରେ ଟିକା କିଣିବାକୁ ଅସମର୍ଥ ବର୍ଗଙ୍କ ପ୍ରତି ସରକାର ଧ୍ୟାନ ନିବିଷ୍ଟ କରିପାରିବେ।
ପତ୍ରରେ ପ୍ରଧାନମନ୍ତ୍ରୀଙ୍କୁ ସେ ଲେଖିଛନ୍ତି, ଏହି ଅଭୂତପୂର୍ବ କୋଭିଡ୍ ସଙ୍କଟ ମୁକାବିଲା ନିମନ୍ତେ କେନ୍ଦ୍ର ଓ ରାଜ୍ୟମାନେ ଏକ ଟିମ୍ ଭଳି କାମ କରିବା କଥାକୁ ମୁଁ ପୂର୍ଣ୍ଣ ସମର୍ଥନ କରୁଛି। ସ୍ୱାସ୍ଥ୍ୟକର୍ମୀ, ପ୍ରତ୍ୟକ୍ଷ ସେବା ଯୋଗାଣକାରୀ ଏବଂ ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତିଙ୍କ ସମେତ ଏପର୍ଯ୍ୟନ୍ତ ଓଡ଼ିଶା ୪୭ ଲକ୍ଷ କୋଭିଡ୍ ଟିକା ଦେଇସାରିଛି। ଓଡ଼ିଶାରେ ଟିକାର ନଷ୍ଟ ହାର ମଧ୍ୟ ସମଗ୍ର ଦେଶ ତୁଳନାରେ ସର୍ବନିମ୍ନ। ଏହାଛଡ଼ା, ଦୈନିକ ୩ ଡୋଜ୍ ଟିକା ଦେବାକୁ ମଧ୍ୟ ଆମେ ସମର୍ଥ।
ଟିକା ନେଇଥିବା ଲୋକମାନଙ୍କ ଠାରୁ ସକାରାତ୍ମକ ମତାମତ ମିଳୁଛି। କିନ୍ତୁ, ଚାହିଦା ମୁତାବକ ଟିକା ମିଳୁ ନ ଥିବାରୁ ଟିକାକରଣ ଅଗ୍ରଗତିରେ ବାଧା ଆସୁଛି। ଦୈନିକ ୩ ଲକ୍ଷ ଟିକାକରଣ ଲାଗି ଆମକୁ ୨୫ ଲକ୍ଷ ଟିକା ଯୋଗାଇ ଦେବାକୁ ଅନୁରୋଧ କରିଥିଲି। ରାଜ୍ୟର ସମସ୍ତ ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କ ବ୍ୟକ୍ତିଙ୍କୁ ଟିକା ଦେବାକୁ ଆମକୁ ୧୬୦ ଦିନ ଲାଗିବ। କେନ୍ଦ୍ର ସରକାର ଟିକା ଯୋଗାଣ ବୃଦ୍ଧି ପାଇଁ ଯୋଜନା କରୁଥିବେ ବୋଲି ମୁଁ ସୁନିଶ୍ଚିତ।
କେନ୍ଦ୍ର ସରକାରଙ୍କୁ ଆହୁରି କେତୋଟି ପ୍ରସ୍ତାବ ଦେଇ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି, ବିଶ୍ୱର ବିଭିନ୍ନ ସରକାର ଓ ବିଶ୍ୱସନୀୟ ପ୍ରତିଷ୍ଠାନ ସବୁ ଅନୁମୋଦନ କରିଥିବା କୋଭିଡ୍ ଟିକାର ଯୋଗାଣ ମଧ୍ୟ ବୃଦ୍ଧି କରାଯାଉ। ଭାରତରେ ଟିକା ପ୍ରସ୍ତୁତି ପାଇଁ ବ୍ୟାପକ ସୁବିଧା ଥିବାରୁ ଟିକା ଉତ୍ପାଦନ ବୃଦ୍ଧି ନିମନ୍ତେ ସମ୍ପୃକ୍ତ କମ୍ପାନିଗୁଡ଼ିକୁ କେନ୍ଦ୍ର ଓ ରାଜ୍ୟ ସରକାର ସହଯୋଗ କରିବା ଉଚିତ।
ଏହା ବ୍ୟତିରେକେ, କୋଭିଡ୍ ସଂକ୍ରମଣ ହାର ସର୍ବାଧିକ ଥିବା ଅଳ୍ପ କେତୋଟି ମେଟ୍ରୋପଲିଟାନ୍ ସହରମାନଙ୍କରେ ବୟସ କଟକଣା ହଟାଯାଇ ଟିକାକରଣକୁ ପ୍ରାଥମିକତା ଦିଆଯିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ମେଟ୍ରୋପଲିଟାନ୍ ସହର ଦେଶ ଅର୍ଥନୀତିର ପେଣ୍ଠ ହୋଇଥିବାରୁ କୌଣସି ପ୍ରକାର ଲକ୍ଡାଉନ୍ ଘୋଷଣା କରାଗଲେ ଶ୍ରମିକମାନେ ଗୃହାଭିମୁଖୀ ହେବେ ଓ ଦେଶର ବାକି ଅଞ୍ଚଳକୁ ଏହା ପ୍ରଭାବିତ କରିବ।