ପିଲାମାନଙ୍କ ସହ ଦିପାବଳୀ ପାଳିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଏଥର ପିଲାମାନଙ୍କ ସହ ଦୀପାବଳି ପାଳିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ସେ ଆଜି ସଂଧ୍ୟାରେ ଏସଓଏସ ଭିଲେଜ ଯିବାର କାର୍ଯ୍ୟକ୍ରମ ରହିଛି । କେବଳ ଏତିକି ନୁହେଁ ବରିଷ୍ଠ ଅଧିକାରୀମାନଙ୍କୁ ମଧ୍ୟ ଶିଶୁପାଳନ କେନ୍ଦ୍ରଗୁଡ଼ିକୁ ଯାଇ ଦୀପାବଳୀ ପାଳନ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏ ନେଇ ମୁଖ୍ୟ ସଚିବ, ଉନ୍ନୟନ କମିଶନର, ଏପିସି, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଜିଲ୍ଲାସ୍ତରରେ ଜିଲ୍ଲାପାଳମାନଙ୍କୁ ମଧ୍ୟ ଏହି ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପକ୍ଷରେ ପୁଲିସ ଡିଜି, ଅନ୍ୟ ବରିଷ୍ଠ ପୁଲିସ ଅଧିକାରୀ ଏବଂ ଏସପି ମାନଙ୍କୁ ବିଭିନ୍ନ ବାଟାଲିୟନରେ ଯବାନ ଓ ସେମାନଙ୍କ ପରିବାର ସହ ଦୀପାବଳି ପାଳନ କରିବାକୁ କୁହାଯାଇଛି ।

ସୂଚନାଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଜମ୍ମୁ ଓ କଶ୍ମୀର ସ୍ଥିତ ନିୟନ୍ତ୍ରଣ ରେଖା ନିକଟକୁ ଯାଇ ବିଏସଏଫ ଓ ସେନା ଯବାନମାନଙ୍କ ସହ ଦୀପାବଳି ପାଳନ କରିବେ ।