ବଲିଉଡ୍ ଅଭିନେତା ସୋନୁ ସୁଦ୍‌ଙ୍କୁ ପ୍ରଶଂସା କଲେ ନବୀନ

ଭୁବନେଶ୍ୱର: ଲକ୍‌ଡାଉନ୍‌ ଯୋଗୁ ଦେଶର ବିଭିନ୍ନ କୋଣରେ ପ୍ରବାସୀ ଶ୍ରମିକ ମାନେ ଫସି ରହିଛନ୍ତି। ସେମାନଙ୍କୁ ନିଜ ନିଜ ରାଜ୍ୟରେ ପହଞ୍ଚାଇବାକୁ ବସ୍ ଓ ଟ୍ରେନ୍‌ର ବ୍ୟବସ୍ଥା କରାଯାଇଛି। ତେବେ ସମସ୍ତେ ଏ ସୁବିଧା ପାଇପାରି ନାହାନ୍ତି। ଲକ୍‌ଡାଉନ୍ ବେଳେ ବହୁ ଶ୍ରମିକ ଛୁଆପିଲା ଧରି ମାଇଲ ମାଇଲ୍ ବାଟ ଚାଲି ନିଜ ଭିଟାମାଟି ଅଭିମୁଖେ ଯାଉଥିବା ଦେଖିବାକୁ ମିଳିଛି। ଆଉ ଏଭଳି ଦୃଶ୍ୟ ଦେଖି ପ୍ରବାସୀମାନଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ବଲିଉଡ୍ ଅଭିନେତା ସୋନୁ ସୁଦ୍। ସେ ହଜାର ହଜାର ପ୍ରବାସୀଙ୍କୁ ସେମାନଙ୍କ ନିଜ ନିଜ ରାଜ୍ୟକୁ ବସ୍‌ ଯୋଗେ ପଠାଇ ସାରିଛନ୍ତି। ତାଙ୍କ ଦ୍ୱାରା ଓଡ଼ିଶାର ୧୭୭ ଜଣ ମହିଳା ମଧ୍ୟ ଉପକୃତ ହୋଇଛନ୍ତି, ଯେଉଁମାନେ କେରଳରେ ଫସି ରହିଥିଲେ। ସୋନୁ ସେମାନଙ୍କୁ ବିମାନ ଯୋଗେ ଓଡ଼ିଶା ପଠାଇଥିଲେ। ଗତକାଲି ଏହି ମହିଳାମାନେ ଓଡ଼ିଶା ଆସିଥିଲେ। ଆଉ ସୋନୁଙ୍କ ଏହି କାର୍ଯ୍ୟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁବ୍ ପ୍ରଶଂସା କରିଛନ୍ତି।

ଏ ନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଏକ ଟ୍ୱିଟ୍ କରାଯାଇଛି। ଏଥିରେ ଲେଖା ହୋଇଛି, ଲକ୍‌ଡାଉନ୍‌ ଯୋଗୁ କେରଳରେ ଫସିଥିବା ଓଡ଼ିଆ ଝିଅମାନଙ୍କୁ ସୁରକ୍ଷିତ ଭାବେ ସେମାନଙ୍କ ଘରେ ପହଞ୍ଚାଇଥିବାରୁ ବଲିଉଡ୍ ଅଭିନେତା ସୋନୁ ସୁଦ୍‌ଙ୍କୁ ଧନ୍ୟବାଦ। ତାଙ୍କର ଏହି ମାନବିକତା ପ୍ରଶଂସାଯୋଗ୍ୟ।