ରାଜ୍ୟ ପୁଲିସରେ ୯୦୫ ନୂଆ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ

ଭୁବନେଶ୍ୱର: ରାଜ୍ୟ ପୁଲିସରେ ନୂଆ ପଦବୀକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ରାଜ୍ୟରେ ୯୦୫ ନୂଆ ପୁଲିସ ପଦବୀକୁ ମଞ୍ଜୁରି ଦେଇଥିବା ଜଣାଯାଇଛି। ଏଥିରେ ଓଡ଼ିଶାର ୨୨୦ ଥାନାରେ ୯୦୫ ନୂଆ ପଦବୀରେ ନିଯୁକ୍ତିକୁ ମଞ୍ଜୁରି ଦିଆଯାଇଛି। ଏହାଛଡ଼ା ରାଜ୍ୟରେ ୬ଟି ନୂଆ ଥାନାକୁ ବି ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳିଛି।

ଏହାଫଳରେ ଖଣ୍ଡଗିରି, ଅନୁଗୁଳ, ଝାରସୁଗୁଡ଼ା, ଭଞ୍ଜନଗର, ଭଦ୍ରକ ଗ୍ରାମାଞ୍ଚଳ ଥାନା ଓ ତିହିଡ଼ି ଥାନାର ପରିସୀମାକୁ ଭଙ୍ଗାଯାଇ ଦୁଇ ଭାଗ କରାଯିବ। ଏହାଫଳରେ ୬ଟି ନୂତନ  ଥାନା କାର୍ଯ୍ୟକ୍ଷମ ହେବ ବୋଲି ଜଣାଯାଇଛି।


ରାଜ୍ୟ ପୁଲିସରେ ୯୦୫ଟି ନୂଆ ପଦବୀକୁ ଅନୁମୋଦନ ମିଳିବା ପରେ ପୁଲିସ ମହାନିର୍ଦେଶକ ଅଭୟ ଟୁଇଟ୍ ଜରିଆରେ  ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେ ନିଜର ଟୁଇଟରରେ ଲେଖିଛନ୍ତି, ‘ଓଡ଼ିଶାର ୨୨୦ ପୁଲିସ୍ ଷ୍ଟେସନ୍ ପାଇଁ ୯୦୫ ପଦବୀ ମଞ୍ଜୁର ପାଇଁ ଆମେ ଗଭୀର ଭାବେ କୃତଜ୍ଞ | ଏହା ଆମକୁ ଅପରାଧ ନିୟନ୍ତ୍ରଣ କରିବାରେ ଏବଂ ଓଡ଼ିଶାର ଅଧିବାସୀଙ୍କୁ ସେବା ପ୍ରଦାନରେ ଉନ୍ନତି ଆଣିବାରେ ସାହାଯ୍ୟ କରିବ |’