ଶ୍ରେଣୀ କକ୍ଷରେ ହିଁ ଦେଶର ଭବିଷ୍ୟତ ଗଠନ ହେବ: ମୁଖ୍ୟମନ୍ତ୍ରୀ

ଆଦର୍ଶ ବିଦ୍ୟାଳୟର ୪୮୯ ଶିକ୍ଷକ ଓ ୭ ଅଧ୍ୟକ୍ଷଙ୍କୁ ନିଯୁକ୍ତି ପତ୍ର

ଭୁବନେଶ୍ୱର: ଓଡ଼ିଶା ଆଦର୍ଶ ବିଦ୍ୟାଳୟର ନବନିଯୁକ୍ତ ୪୮୯ ଜଣ ଶିକ୍ଷକ ଓ ୮ଜଣ ଅଧ୍ୟକ୍ଷଙ୍କ ଗାର୍ମଦର୍ଶନ କାର୍ଯ୍ୟକ୍ରମ ଆଜି ରବିନ୍ଦ୍ର ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ କହିଥିଲେ, ଶିକ୍ଷାଦାନ ଏକ ମହାନ ବୃତି । ଶ୍ରେଣୀ କକ୍ଷରେ ହିଁ ଦେଶର ଭବିଷ୍ୟତ ଗଠନ କରାଯାଇଥାଏ । ତେଣୁ କେବଳ ପୁସ୍ତକଗତ ଶିକ୍ଷା ଦାନ ଉପରେ ସୀମିତ ନ ରହି ଛାତ୍ରଛାତ୍ରୀଙ୍କ ଚରିତ୍ର ଗଠନ ଓ ସେମାନଙ୍କ ମଧ୍ୟରେ ନୈତିକ ମୂଲ୍ୟବୋଧର ବିକାଶ ଉପରେ ଶିକ୍ଷକମାନେ ଗୁରୁତ୍ୱ ଦେବା ପାଇଁ ପରାମର୍ଶ ଦେଇଥିଲେ ।

ଗୁଣାତ୍ମକ ଶିକ୍ଷା ପ୍ରତି ତାଙ୍କ ସରକାରର ପ୍ରତିବଦ୍ଧତାକୁ ଦୋହରାଇ ମୁଖ୍ୟମନ୍ତ୍ରୀ କହିଥିଲେ, ବର୍ତମାନ ରାଜ୍ୟରେ ୨୧୪ଟି ଆଦର୍ଶ ବିଦ୍ୟାଳୟ ଥିବାବେଳେ ଖୁବ୍ ଶୀଘ୍ର ଆଉ ୧୦୦ଟି ଆଦର୍ଶ ବିଦ୍ୟାଳୟ ଖୋଲାଯିବ । ଆଦର୍ଶ ବିଦ୍ୟାଳୟ ଉତମ ଶିକ୍ଷାଦାନ ସହିତ ପିଲାଙ୍କ ସ୍ୱପ୍ନକୁ ସାକାର କରିବାରେ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଥିଲେ ।

ଏହି ଅବସରରେ ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିବା ଆଦର୍ଶ ବିଦ୍ୟାଳୟର ପ୍ରଥମ ବ୍ୟାଚର ପିଲାଙ୍କ ମଧ୍ୟରେ ଉଲ୍ଲେଖନୀୟ କୃତୀତ୍ୱ ହାସଲ କରିଥିବା ୯ଜଣ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ ଓ ଆଦର୍ଶ ବିଦ୍ୟାଳୟର ନୂଆ ୱେବସାଇଟ୍ ର ଲୋକାର୍ପଣ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, ଆଦର୍ଶ ବିଦ୍ୟାଳୟ ସଂଗଠନର ଉପଦେଷ୍ଟା ଡଃ ବିଜୟ ସାହୁ, ବିଭାଗୀୟ ଶାସନ ସଚିବ ଓ ପ୍ରକଳ୍ପ ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ ।