ଧର୍ମେନ୍ଦ୍ରଙ୍କୁ ଫୋନ କରି ସ୍ଵାସ୍ଥ୍ୟବସ୍ଥା ବୁଝିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ପରେ ଏବେ କରୋନା କବଳରେ କେନ୍ଦ୍ର ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତାଙ୍କ ଠାରେ କରୋନା ଲକ୍ଷଣ ଦେଖାଯିବା ପରେ ସେ କରୋନା ଟେଷ୍ଟ କରିଥିଲେ । ଯେଉଁଥିରେ ତାଙ୍କ ରିପୋର୍ଟ ପଜିଟିଭ ଆସିଛି ଏବଂ ଡାକ୍ତରଙ୍କ ପରାମର୍ଶ ଆଧାରରେ ତାଙ୍କୁ ଚିକିତ୍ସା ପାଇଁ ହରିୟାଣାର ଗୁରୁଗ୍ରାମରେ ଥିବା ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ସେ ସୁସ୍ଥ ଥିବା ଟୁଇଟ କରି ସୂଚନା ଦେଇଛନ୍ତି ।

ପ୍ରକାଶ ଥାଉ କି, ରବିବାର ଗୃହମନ୍ତ୍ରୀ ଅମିତ ଶାହା କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ତାଙ୍କୁ ମଧ୍ୟ ସେହି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ୫୧ବର୍ଷୀୟ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭାରତର ୨ୟ କେନ୍ଦ୍ର ମନ୍ତ୍ରୀ ଯିଏ କି କୋଭିଡ-୧୯ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ସେପଟେ ଧର୍ମେନ୍ଦ୍ର କରୋନା ପଜିଟିଭ ସମ୍ପର୍କରେ ଜାଣିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ସହ ଫୋନ ଯୋଗେ କଥା ହୋଇ ତାଙ୍କର ସ୍ଵାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ। ଏଥିସହ ତାଙ୍କର ଆଶୁ ଆରୋଗ୍ୟ ଓ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ୍, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦିୟୁରପ୍ପା ଏବଂ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରୈମୟା ମଧ୍ୟ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେହିପରି ତାମିଲନାଡୁର ରାଜ୍ୟପାଳ ବନୱାରିଲାଲ ପୁରୋହିତ ମଧ୍ୟ ଏହି ଭୂତାଣୁରେ ସଂକ୍ରମିତ ହୋଇ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।