ପ୍ଲାଜମା ଦାନକୁ ଉତ୍ସାହିତ କରିବାକୁ ମନ୍ତ୍ରୀମାନଙ୍କୁ ଜିଲ୍ଲା ଦାୟିତ୍ୱ ଦେଲେ ମୁଖ୍ୟମନ୍ତ୍ରୀ

ପ୍ଲାଜମା ଚିକିତ୍ସାରେ ଉତ୍ସାହ ଜନକ ସଫଳତା: ସୁସ୍ଥ ହୋଇ ଫେରିଲେ କଟକର ୪୮ ବର୍ଷୀୟ ମହିଳା

ଭୁବନେଶ୍ୱର: କୋଭିଡ ରୋଗର ଚିକିତ୍ସାରେ ପ୍ଲାଜମା ଥେରାପି ଆମ ରାଜ୍ୟରେ ଉତ୍ସାହ ଜନକ ସଫଳତା ଆଣିଛି । ଆନନ୍ଦର କଥା ଏହି ଚିକିତ୍ସା ପଦ୍ଧତି ଦ୍ୱାରା କଟକର ଜଣେ ୪୮ବର୍ଷୀୟ ମହିଳା ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଡାକ୍ତର ଓ ରୋଗୀମାନଙ୍କ ମଧ୍ୟରେ ଆଶା ସଂଚାର କରିଛି ପ୍ଲାଜମା ଥେରାପି । ଆତ୍ମବିଶ୍ୱାସ ମଧ୍ୟ ବୃଦ୍ଧି କରିଛି ।

ଗତ ସପ୍ତାହରୁ ରାଜ୍ୟରେ ଆରମ୍ଭ ହୋଇଛି ପ୍ଲାଜମା ଥେରାପି । କଟକରେ ପ୍ଲାଜମା ବ୍ୟାଙ୍କ ଉଦଘାଟନ ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ମୋ ପାଇଁ ପ୍ରତିଟି ଲୋକଙ୍କ ଜୀବନ ମୂଲ୍ୟବାନ । ଓଡ଼ିଶାବାସୀଙ୍କୁ ସର୍ବୋତମ ଚିକତ୍ସା ସୁବିଧା ଯୋଗାଇବା ମୋର ଲକ୍ଷ୍ୟ । ପ୍ଲାଜମା ଥେରାପି ଏ ଦିଗରେ ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଦେଶରେ ପ୍ଲାଜମା ଥେରାପି ଚିକତ୍ସା ସୁବିଧା ମିଳୁଥିବା ଅଳ୍ପ କେତୋଟି ରାଜ୍ୟ ମଧ୍ୟରେ ଓଡ଼ିଶା ଅନ୍ୟତମ ।

କଟକର ଏସସିବି ଓ ରାଉଲକେଲାର ଆଇଜିଏଚ୍ ରେ ପ୍ଲାଜମା ବ୍ୟାଙ୍କ ପ୍ରତିଷ୍ଠା ହେବା ସହ କଟକ, ଭୁବନେଶ୍ୱର ଓ ବ୍ରହ୍ମପୁରରେ ଆରମ୍ଭ ହୋଇଛି ପ୍ଲାଜମା ଥେରାପି ଭୁବନେଶ୍ୱର ଓ ବ୍ରହ୍ମପୁରରେ ମଧ୍ୟ ପ୍ଲାଜମା ବ୍ୟାଙ୍କ ରାଯିବା ପାଇଁ ସ୍ଥିର କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିବେଦନ କ୍ରମେ କୋଭିଡରୁ ଆରୋଗ୍ୟ ଲାଭ କରୁଥିବା ବ୍ୟକ୍ତିମାନେ ପ୍ଲାଜମା ଦାନ ପାଇଁ ଆଗେଇ ଆସୁଥିବା ଆନନ୍ଦର କଥା ।

ଜଣେ କୋଭିଡରୁ ସୁସ୍ଥ ହେବାର ଚାରି ସପ୍ତାହ ପରେ ପ୍ଲାଜମା ଦାନ କରିପାରିବେ । ଜଣେ ବ୍ୟକ୍ତି ଚାହିଁଲେ ଏକାଧିକବାର(ପ୍ରତି ଦୁଇ ସପ୍ତାହରେ ଥରେ) ପ୍ଲାଜମା ଦେଇପାରିବେ । ଗୋଟିଏ ୟୁନିଟ୍ ପ୍ଲାଜମା ଦ୍ୱାରା ଦୁଇ ଜଣଙ୍କ ଚିକିତ୍ସା କରାଯାଇପାରିବ ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ଆଜି ଦିନକ ମଧ୍ୟରେ ୮୦୮ ଜଣ ରୋଗୀ କୋଭିଡରୁ ଆରୋଗ୍ୟ ଲାଗ କରିଥିବାବେଳେ ସମୁଦାୟ ୧୫୨୦୦ଜଣ ରୋଗୀ ଆରୋଗ୍ୟ ଲାଭ କରିଛନ୍ତି ।

ଗୁରୁତର କୋଭିଡ ରୋଗୀଙ୍କ ଚିକିତ୍ସାରେ ପ୍ଲାଜମା ଥେରାପିର ମହତ୍ୱପୂର୍ଣ୍ଣ ଭୂମିକାକୁ ଦୃଷ୍ଟିରେ ରଖି ପ୍ଲାଜମା ଦାନକୁ ଉତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମନ୍ତ୍ରୀମଣ୍ଡଳର ସଦସ୍ୟମାନଙ୍କୁ ବିଭିନ୍ନ ଜିଲ୍ଲାର ଦାୟିତ୍ୱ ଦେଇଛନ୍ତି । ମନ୍ତ୍ରୀମାନେ ସେମାନଙ୍କୁ ଦାୟିତ୍ୱ ଦିଆଯାଇଥିବା ଜିଲ୍ଲା ଗସ୍ତ କରି ଆରୋଗ୍ୟ ଲାଭ କରିଥିବା କୋଭିଡ ରୋଗୀମାନଙ୍କ ସହିତ ଯୋଗାଯୋଗ ରଖି ସେମାନଙ୍କୁ ପ୍ଲାଜମା ଦାନ ପାଇଁ ଉତ୍ସାହିତ କରିବେ ଏବଂ ଏଥିପାଇଁ ଆବଶ୍ୟକ ବ୍ୟବସ୍ଥା ମଧ୍ୟ କରିବେ । ନିୟମିତ ବ୍ୟବଧାନରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ପ୍ଲାଜମା ଦାନର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବେ ବୋଲି କହିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁଯାୟୀ, ମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କୁ ପୁରୀ ଜିଲ୍ଲାର ଦାୟିତ୍ୱ ଦିଆଯାଇଥିବାବେଳେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କୁ କନ୍ଧମାଳ ଓ ଗଞ୍ଜାମର ଦାୟିତ୍ୱ ଦିଆଯାଇଛି । ସେହିପରି ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କୁ ବରଗଡ, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କୁ ଭଦ୍ରକ ଓକେନ୍ଦ୍ରାପଡା, ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ଝାରସୁଗୁଡା ଓ ବୌଦ୍ଧ, ମନ୍ତ୍ରୀ ପ୍ରତାପ ଜେନାଙ୍କୁ ମୟୁରଭଞ୍ଜ ଓ କଟକ, ମନ୍ତ୍ରୀ ଅରୁଣ କୁମାର ସାହୁଙ୍କୁ ନୟାଗଡ ଓ ଖୋର୍ଦ୍ଧା, ମନ୍ତ୍ରୀ ସୁଦାମ ମାର୍ଣ୍ଡୀଙ୍କୁ ସୋନପୁର, ମନ୍ତ୍ରୀ ସୁଶାନ୍ତ ସିଂଙ୍କୁ ବଲାଙ୍ଗୀର ଓ ସମ୍ବଲପୁର, ମନ୍ତ୍ରୀ ନବ କିଶୋର ଦାସଙ୍କୁ କଳାହାଣ୍ଡି ଓ ନୂଆପଡା, ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କୁ ଦେବଗଡ ଓ ସୁନ୍ଦରଗଡ, ମନ୍ତ୍ରୀ ଜଗନ୍ନାଥ ସାରକାଙ୍କୁ ଗଜପତି ଓ କୋରାପୁଟ, ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ଢ଼େଙ୍କାନାଳ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କୁ ଅନୁଗୁଳ, ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କୁ ଯାଜପୁର, ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କୁ ବାଲେଶ୍ୱର, ମନ୍ତ୍ରୀ ପ୍ରେମାନନ୍ଦ ନାୟକଙ୍କୁ କେନ୍ଦୁଝର, ମନ୍ତ୍ରୀ ରଘୁନନ୍ଦନ ଦାସଙ୍କୁ ନବରଙ୍ଗପୁର ଓ ଜଗତସିଂହପୁର, ମନ୍ତ୍ରୀ ପଦ୍ମିନୀ ଦିଆନଙ୍କୁ ରାୟଗଡା ଓ ମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କୁ ମାଲକାନଗିରିର ଦାୟିତ୍ୱ ଦିଆଯାଇଛି ।