କରୋନା ପାଇଁ ଖର୍ଚ୍ଚକାଟ : ନୂଆ ନିଯୁକ୍ତି ଉପରେ କଟକଣା, ସରକାରୀ ବ୍ୟୟ ହ୍ରାସ ପାଇଁ ନିର୍ଦ୍ଦେଶ

ରାଜ୍ୟ ସରକାରଙ୍କ ଘୋଷଣା: ୨ବର୍ଷ ଯାଏ ସରକାରୀ ନିଯୁକ୍ତି ବନ୍ଦ

ଭୁବନେଶ୍ୱର : କରୋନା ମହାମାରୀ ଓ ଲକଡାଉନ ଯୋଗୁଁ ରାଜ୍ୟର ଅର୍ଥନୀତି ଗୁରୁତରଭାବେ ପ୍ରଭାବିତ ହୋଇଛି । ଫଳରେ ଓଡ଼ିଶା ସରକାରଙ୍କ ରାଜସ୍ୱ ଚିନ୍ତାଜନକଭାବେ ହ୍ରାସ ପାଇଛି ଓ ରାଜ୍ୟ ଏକ ଆର୍ଥିକ ସଂକଟର ସମ୍ମୁଖୀନ ହେଉଛି । ଏହାକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ବ୍ୟାପକ ଖର୍ଚ୍ଚକାଟ ଘୋଷଣା କରିଛନ୍ତି । ଏହା ମାଧ୍ୟମରେ ସରକାରୀ ବ୍ୟୟକୁ ହ୍ରାସ କରିବା, ନୂଆ ନିଯୁକ୍ତି ଉପରେ ରୋକ, ନୂଆ ଗାଡ଼ି କ୍ରୟ ଓ ଅଫିସରଙ୍କ ଗସ୍ତ ଉପରେ କଟକଣା ଲଗାଯାଇଛି । ଏହି ଖର୍ଚ୍ଚକାଟ ସମ୍ପର୍କରେ ରାଜ୍ୟ ଅର୍ଥବିଭାଗର ପ୍ରମୁଖ ଶାସନ ସଚିବ ଅଶୋକ ମୀନା ସବୁ ବିଭାଗର ମୁଖ୍ୟମାନଙ୍କୁ ପତ୍ର ଲେଖି ଅବଗତ କରାଇଛନ୍ତି ।

ଖର୍ଚ୍ଚକାଟ ପାଇଁ ସରକାର ନିମ୍ନଲିଖିତ  ପ୍ରମୁଖ  ନିଷ୍ପତ୍ତି ନେଇଛନ୍ତି:

୧. ଆସନ୍ତା ଦୁଇ ବର୍ଷ ପାଇଁ ନୂଆ ଗାଡ଼ି କ୍ରୟ ଉପରେ ସଂପୂର୍ଣ୍ଣ କଟକଣା ଲଗାଯାଇଛି । ଏହା ସହିତ ଗାଡ଼ି ଭଡ଼ାରେ ଆଣିବା ପାଇଁ ଅର୍ଥବିଭାଗର ମଂଜୁରୀ ଆବଶ୍ୟକ ହେବ ।

୨.ସରକାରୀ ବାବୁମାନେ ବିମାନ କିମ୍ବା ପ୍ରଥମ ଶ୍ରେଣୀ ରେଳଯାତ୍ରା କରିପାରିବେ ନାହିଁ ।

୩. ସରକାରୀ ଅଧିକାରୀଙ୍କ ଗସ୍ତ ଉପରେ କଟକଣା ଲଗାଯାଇଛି । ଗସ୍ତ ବଦଳରେ ଭିଡିଓ କନଫରେନ୍ସିଂର ଉପଯୋଗ କରିବାକୁ କୁହାଯାଇଛି ।

୪. କେବଳ ସ୍ୱାସ୍ଥ୍ୟ ସଂପର୍କିତ ନିଯୁକ୍ତି ବ୍ୟତୀତ ଅନ୍ୟ ସମସ୍ତ ବିଭାଗର ନିଯୁକ୍ତି ଉପରେ କଟକଣା ଲଗାଯାଇଛି । ଯେଉଁ ପଦବୀଗୁଡ଼ିକ ଗତ ୫ ବର୍ଷ ଧରି ଖାଲି ଅଛି ସେଗୁଡ଼ିକୁ ଉଠାଇଦିଆଯିବ ।

୫. କେବଳ ସ୍ୱାସ୍ଥ୍ୟ ବିଭାଗ ବ୍ୟତୀତ ଅନ୍ୟକୌଣସି ବିଭାଗନୂଆ ସରକାରୀ ସ୍କିମ ଆରମ୍ଭ କରିପାରିବେ ନାହିଁ । ଜନ ସେବା ଲାଗି କୌଣସି ସ୍କିମ ଜରୁରୀ ମନେହେଲେ ଅର୍ଥ ବିଭାଗର ଅନୁମତି ନେଇ ତାହା ଆରମ୍ଭ କରାଯାଇପାରିବ ।

୬. ପ୍ରଶାସନିକ ବ୍ୟୟଗୁଡ଼ିକୁ ହ୍ରାସ କରିବାକୁ ପଦକ୍ଷେପ ନିଆଯିବ ।

୭. କୃଷି, ଜୀବିକା ଓ କରୋନା ମୁକାବିଲା ସଂପର୍କିତ ରାଜ୍ୟ ସ୍କିମକୁ ଛାଡ଼ିଦେଲେ ଅନ୍ୟ ସମସ୍ତ ରାଜ୍ୟ ସରକାରୀ ସ୍କିମଗୁଡ଼ିକର ବ୍ୟୟକୁ ସର୍ବନିମ୍ନ ସ୍ତରରେ ରଖାଯିବ ।

୮. ସ୍ୱାସ୍ଥ୍ୟ ବିଭାଗ ବ୍ୟତୀତ ଅନ୍ୟ ସରକାରୀ ବିଭାଗଗୁଡ଼ିକରେ କୌଣସି ନୂଆ ଉପକରଣ କିଣାଯାଇପାରିବ ନାହିଁ । ତେବେ ଡିଜିଟାଲ ଯୋଗାଯୋଗ ଉପକରଣଗୁଡ଼ିକୁ ଅର୍ଥ ବିଭାଗର ଅନୁମତି ନେଇ କିଣାଯାଇପାରିବ ।

୯. ଆସନ୍ତା ମାର୍ଚ୍ଚ ୨୦୨୨ ସୁଦ୍ଧା ଏଲଟିସି ଗୁଡ଼ିକ ଉପରେ ସମ୍ପୂର୍ଣ୍ଣ କଟକଣା ଲଗାଯାଇଛି ।