କୋଭିଡ୍ ଯୁଦ୍ଧ ଜିତିବାକୁ ୩ଟି ମନ୍ତ୍ର ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ସମଗ୍ର ବିଶ୍ୱରେ କୋଭିଡ୍ ସଂକ୍ରମଣରେ ଭାରତ ଏବେ ତୃତୀୟ ସ୍ଥାନରେ ପହଂଚିଲାଣି। ଭାରତରେ ସଂକ୍ରମଣ ପ୍ରତି ୪ଦିନରେ ଏକ ଲକ୍ଷ ବୃଦ୍ଧି ପାଉଛି। ତେଣୁ କୋଭିଡ୍ ଯୁଦ୍ଧ ଜିତିବାକୁ ହେଲେ ୩ଟି ଅସ୍ତ୍ର ହିଁ ଆପଣାଇବାକୁ ପଡ଼ିବ। ତ୍ୟାଗ, ସଂଯମ ଓ ଶୃଙ୍ଖଳାର ମାର୍ଗ ଆପଣାଇବାକୁ ହେବ ତଥା ଏହାକୁ କୋଭିଡ୍ ଯୁଦ୍ଧରେ ବିଜୟୀ କରାଇବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ବୃଦ୍ଧି ପାଇବାରେ ଲାଗିଥିବାବେଳେ ଶ୍ରୀ ପଟ୍ଟନାୟକ ଆଜି ଏକ ଭିଡିଓ ସନ୍ଦେଶରେ କହିଛନ୍ତି ଯେ, ପୁରୀ ଆଜି ସମଗ୍ର ବିଶ୍ୱକୁ ବାଟ ଦେଖାଇଛି। କୋଭିଡ୍ ଗାଇଡଲାଇନ୍ ମାନି କିପରି କାମ କରିବାକୁ ହେବ ସେଥିପାଇଁ ପୁରୀ ପ୍ରେରଣା ଦେଇଛି। ମହାପ୍ରଭୁ ନିଜେ ବାହାରକୁ ଆସି ତ୍ୟାଗ, ସଂଯମ ଓ ଶୃଙ୍ଖଳାର ବାଟ ଦେଖାଇଲେ। ପୁରୀବାସୀ କୋଭିଡ୍ ଗାଇଡଲାଇନ ମାନିଲେ ଓ କେହବି ରାସ୍ତାକୁ ଆସିନଥିଳେ। ମହାପ୍ରଭୁଙ୍କ ରଥଯାତ୍ରାକୁ ଘରେ ବସି ଟିଭିରେ ଦେଖିଲେ। ପୁରୀବାସୀଙ୍କ ଏହି ଶୃଙ୍ଖଳା ଓ ସଂଯମତାର ତୁଳନା ନାହିଁ। ତ୍ୟାଗ ହିଁ ସର୍ବଶ୍ରେଷ୍ଠ ଭକ୍ତି। ସମାଜର ମଙ୍ଗଳ ପାଇଁ ତ୍ୟାଗ ହିଁ ଭକ୍ତ ଓ ଭଗବାନଙ୍କ ସମ୍ପର୍କକୁ ଅଧିକ ନିବିଡ଼ କରିଥାଏ।

ଏବେ ସମଗ୍ର ଦେଶରେ ଅନଲକ୍ ହେବା ଆରମ୍ଭ ହୋଇଛି। ଆଉ ବିଶେଷ କିଛି କଟକଣା ନାହିଁ । ବର୍ଷା ଋତୁରେ କୋଭିଡ୍ ସଂକ୍ରମଣ ବୃଦ୍ଧି ପାଇବ ବୋଲି ସେ ଆଗରୁ ସତର୍କ କରାଇଥିବା ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିବା ସହ କୋଭିଡ୍ ଔଷଧ ବାହରିବା ପର୍ଯ୍ୟନ୍ତ ଜୀବନ କେବେ ବି ପୂର୍ବପରି ସ୍ୱାଭାବିକ ହେବ ନାହିଁ। ତେଣୁ ସମସ୍ତଙ୍କ ମଙ୍ଗଳ ପାଇଁ ଆମକୁ ତ୍ୟାଗ କରିବାକୁ ହେବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ଅତି ଦରକାର ନହେଲେ ବାହାରକୁ ଯାଆନ୍ତୁ ନାହିଁ। ବାହାରେ ଓ ଅଫିସରେ, କର୍ମକ୍ଷେତ୍ରରେ ସବୁବେଳେ ମାସ୍କ ବ୍ୟବହାର ସହ ସାମାଜିକ ଦୂରତ୍ୱ ରକ୍ଷା, ସାବୁନରେ ବାରମ୍ବାର ଭଲଭାବେ ହାତ ଧୋଇବା, ଗହଳି ଜାଗାକୁ ନଯିବା, ବୟସ୍କ ଓ ଶିଶୁମାନଙ୍କ ବିଶେଷ ଯତ୍ନ ନେବାକୁ ସେ ପରାମର୍ଶ ଦେବା ସହ କୋଭିଡ୍ ନିୟମ ଠିକ ଭାବେ ପାଳନ କରି ନିଜର ପିତାମାତା,ପିଲା ଓ ପରିବାରକୁ ସୁରକ୍ଷିତ ରଖିବାକୁ ଯୁବସମାଜକୁ ସେ ଅନୁରୋଧ କରିଛନ୍ତି।