ଦୁର୍ନୀତିଗ୍ରସ୍ତ ୬ ଅଧିକାରୀଙ୍କୁ ଚାକିରୀରୁ ବହିଷ୍କୃତ ସହ ୫ଜଣଙ୍କ ପେନସନ୍ ବନ୍ଦ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଦୁର୍ନୀତି ବିକାଶର ସବୁଠାରୁ ବଡ଼ ପ୍ରତିବନ୍ଧକ । ତେଣୁ ଦୁର୍ନୀତି ବିରୁଦ୍ଧରେ ରାଜ୍ୟ ସରକାର କଡା ଆଭିମୁଖ୍ୟ ଜାରି କରିଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦୁର୍ନୀତି କ୍ଷେତ୍ରରେ ଶୂନ୍ୟ ସହିଷ୍ଣୁତା ନୀତି ଉପରେ ସବୁବେଳେ ଗୁରୁତ୍ୱ ଦେଇଆସିଛନ୍ତି । ତେଣୁ ଦୁର୍ନୀତି ବିରୁଦ୍ଧରେ ତାଙ୍କର କଡା କାର୍ଯ୍ୟାନୁଷ୍ଠାନର ଅଂଶ ସ୍ୱରୂପ ଆଜି ୬ଜଣ ଅଧିକାରୀଙ୍କୁ ବରଖାସ୍ତ କରିବା ସହ ୫ଜଣଙ୍କ ପେନସନ୍ ସୁବିଧା ସ୍ଥାୟୀ ଭାବେ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଗତ ୨ମାସ ମଧ୍ୟରେ ୪୪ଜଣ ଅଧିକାରୀଙ୍କୁ ଚାକିରୀରୁ ବରଖାସ୍ତ କରାଯାଇଥିବାବେଳେ ୧୧ଜଣଙ୍କ ପେନସନ୍ ସ୍ଥାୟୀ ଭାବେ ବନ୍ଦ କରାଯାଇଛି ଏବଂ ୧୦ଜଣଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି ।

ସ୍ଥାୟୀ ଭାବରେ ପେନସନ୍ ବନ୍ଦ ହୋଇଥିବା ଅଧିକାରୀମାନଙ୍କ ମଧ୍ୟରେ ଅଛନ୍ତି ୩ଜଣ ଅବସରପ୍ରାପ୍ତ ଓ.ଏ.ଏସ୍ ଅଫିସର । ସେମାନେ ହେଲେ ନବୀନ ସେଠ(ଅବସରପ୍ରାପ୍ତ ଓ.ଏ.ଏସ୍ ଅଫିସର ଓ ପୂର୍ବତନ ନିର୍ବାହୀ ଅଧିକାରୀ, ବରଗଡ ମୁନିସପାଲିଟି), ସନାତନ ସେଠୀ(ଅବସରପ୍ରାପ୍ତ ଓ.ଏ.ଏସ୍ ଅଫିସର ଓ ପୂର୍ବତନ ବିଡିଓ, ଖଣ୍ଡପଡା ବ୍ଲକ ନୟାଗଡ), ପୁରନ୍ଦର ପୁଜାରୀ(ଅବସରପ୍ରାପ୍ତ ଓ.ଏ.ଏସ୍ ଅଫିସର ଓ ପୂର୍ବତନ ଆର.ଟି.ଓ, କୋରାପୁଟ), ନିରଞ୍ଜନ ଜେନା(ଅବସରପ୍ରାପ୍ତ ସହକାରୀ ଯନ୍ତ୍ରୀ, ପୂର୍ତ ବିଭାଗ, ଆର.ଡବ୍ଲୁ ସବ୍ ଡିଭିଜନ,ବଣାଇ ସୁନ୍ଦରଗଡ) ଏବଂ ପିତାମ୍ବର ପ୍ରତିହାରୀ(ପୂର୍ବତନ ଜୁନିଅର ଇଞ୍ଜିନିୟର, ଖୁଂଟା ବ୍ଲକ ମୟୁରଭଞ୍ଜ) ।

ଆଜି ବରଖାସ୍ତ ହୋଇଥିବା ଅଧିକାରୀମାନେ ହେଲେ ଶ୍ରୀ ରବୀନ୍ଦ୍ର କୁମାର ଦାସ(ପୂର୍ତ ବିଭାଗରସହକାରୀ ଯନ୍ତ୍ରୀ, କୁଡୁମୁଲୁଗମ୍ମା ବ୍ଲକ, ମାଲକାନଗିରି), ଶ୍ରୀ ବୁଦ୍ଧିରାମ ଶୁନିଆନି(ଜୁନିଅର ଇଞ୍ଜିନିୟର, ପଂଚାୟତିରାଜ ବିଭାଗ ଧାନକୁଡା ବ୍ଲକ, ସମ୍ବଲପୁର), ଶ୍ରୀ ସୁରେଶ ଚନ୍ଦ୍ର ମିଶ୍ର(ପ୍ରୋଗ୍ରେସ୍ ଆସିଷ୍ଟାଂଟ,ପାପଡାହାଣ୍ଡି ବ୍ଲକ, ସମ୍ବଲପୁର), ଶ୍ରୀ ହେମନ୍ତ କୁମାର ପଣ୍ଡା(ଫରେଷ୍ଟ ରେଞ୍ଜ ଅଫିସର, ଜଙ୍ଗଲ ବିଭାଗ ୱାର୍କିଂ ପ୍ଲାନ୍ ଅଫିସ ଅନୁଗୁଳ), ଶ୍ରୀ ପୃଥ୍ୱୀରାଜ ଲେଙ୍କା(ସହକାରୀ ନିର୍ବାହୀ ଯନ୍ତ୍ରୀ, ପୂର୍ତ ବିଭାଗ ଏନ.ଏଚ୍ ଡିଭିଜନ ବ୍ରହ୍ମପୁର), ଶ୍ରୀ ସୁଶୀଲ କୁମାର ସେଠ(ଆସିଷ୍ଟାଂଟ ଇଞ୍ଜିନିୟର,ଜଳସମ୍ପଦ ବିଭାଗ, ହାଟଡିହି ବ୍ଲକ କେନ୍ଦୁଝର) ।

ଏହିସବୁ ଅଧିକାରୀମାନେ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ଦ୍ୱାରା ଦୁର୍ନୀତି ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।