ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳିବେ ରାଜ୍ୟ ସରକାର

ସହୀଦ ଯବାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ୨ ମିନିଟ ନୀରବ ପ୍ରାର୍ଥନା

ଭୁବନେଶ୍ୱର : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ର ଷଷ୍ଠଦଶ ବୈଠକ ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ଲଦାଖର ଗଲୱାନ ଉପତ୍ୟକାରେ ସହୀଦ ହୋଇଥିବା ଓଡ଼ିଶାର ୨ଜଣ ଯବାନ ନନ୍ଦୁରାମ ସୋରେନ ଏବଂ ଚନ୍ଦ୍ରକାନ୍ତ ପ୍ରଧାନଙ୍କ ସମେତ କୋଡିଏ ଜଣ ବୀର ସୈନିକ ଅମ୍ଳାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ୨ ମିନିଟ ନୀରବ ପ୍ରାର୍ଥନା କରାଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା ।

ଏହି ବୈଠକରେ ରାଜ୍ୟ ଆଡଭୋକେଟ ଜେନେରାଲ ଯୋଗ ଦେଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ରଥଯାତ୍ରା ସମ୍ପର୍କରେ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ୟାବିନେଟକୁ ଅବଗତ କରାଇଥିଲେ ।

ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସମ୍ପର୍କରେ କ୍ୟାବିନେଟରେ ବିସ୍ତୃତ ଆଲୋଚନା କରାଯାଇ ନିମ୍ନୋକ୍ତ ନିଷ୍ପତି ଗ୍ରହଣ କରାଗଲା ।
-ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଶ୍ରୀମନ୍ଦିର ପରିସର ମଧ୍ୟରେ ସମସ୍ତ ପ୍ରକାର ନିଦ୍ଦେଶାବଳୀର ଅନୁପାଳନ ସହିତ ସମସ୍ତ ରୀତିନୀତି ପାଳନ କରିବା ପାଇଁ ପଦକ୍ଷେପ ନେବାକୁ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିକୁ ସୂଚିତ କରାଗଲା ।
-ଏହାସହିତ ବିଭିନ୍ନ ଜିଲ୍ଲାରେ ଥିବା ପରିଚାଳନା କମିଟି ଏବଂ ଅନୁଷ୍ଠାନ ଗୁଡିକ ଯେପରି ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଉପରୋକ୍ତ ମତେ ପାଳନ କରିବେ, ତାହା ସୁନିଶ୍ଚିତ କରିବା ପାଇଁ ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

ଏହି ନିଷ୍ପତି ପ୍ରତ୍ୟେକ ଓଡ଼ିଆ ଓ ଜଗନ୍ନାଥ ପ୍ରେମୀଙ୍କୁ ନିଶ୍ଚୟ ଦୁଃଖ ଦେବ । ମହାପ୍ରଭୁ ଶ୍ରୀ ଜଗନ୍ନାଥ ଓଡ଼ିଆ ଜାତିର ଆତ୍ମା, ଏ ଜାତିର ସର୍ବଶ୍ରେଷ୍ଠ ପରିଚୟ । ପ୍ରତ୍ୟେକ ଓଡ଼ିଆର ସୁଖଦୁଃଖରେ ପଥପ୍ରଦର୍ଶକ । ସମଗ୍ର ମାନବ ସମାଜର କଲ୍ୟାଣ ପାଇଁ ସେୁ ଦାରୁ ରୂପରେ ଲୀଳା କରୁଛନ୍ତି । ସେ ଲୀଳାମୟ ହିଁ ସବୁର କର୍ତା, ସବୁର ନିୟନ୍ତା । ଆମେ କେବଳ ନିମିତ ମାତ୍ର । ତାଙ୍କ ଇଚ୍ଛା ବିନା କିଛି ବି ସମ୍ଭବ ନୁହେଁ ।

ମହାପ୍ରଭୁଙ୍କ ଇଚ୍ଛାକୁ ସମର୍ପିତ ଭାବରେ ଗ୍ରହଣ କରି ଜୀବନର ଜୟଯାତ୍ରାକୁ ଆଗେଇ ନେବା ହିଁ ପ୍ରକୃତ ଭକ୍ତି । ଆଜିର ଏହି କଠିନ ପରିସ୍ଥିତିରେ ଯେତେବେଳେ ସମଗ୍ର ବିଶ୍ୱ କରୋନା ମହାପାରୀ ସହିତ ଲଢ଼ୁଛି, ଆମେ ତାଙ୍କ ନିକଟରେ ନିଜକୁ ସମ୍ପୂର୍ଣ୍ଣ ସମର୍ପଣ କରିଦେଇଛୁ । ମହାପ୍ରଭୁ ଶ୍ରୀ ଜଗନ୍ନାଥ ଏହି ବିପଦରୁ ଆମ ସମସ୍ତଙ୍କୁ ରକ୍ଷା କରନ୍ତୁ ।