ମୁଖ୍ୟମନ୍ତ୍ରୀଙ୍କ ଘୋଷଣା : ସହିଦଙ୍କ ପରିବାରକୁ ୨୫ ଲକ୍ଷ ଅନୁକମ୍ପା ରାଶି

ଭୁବନେଶ୍ୱର: ଲଦାଖ ଗାଲଓାନ ଭ୍ୟାଲିରେ ୨୦ ଜଣ ଯବାନ ସହିଦ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୨ ଜଣ ଓଡିଆ ବି ରହିଥିଲେ । ଏବେ ସେମାନଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁକମ୍ପା ରାଶି ଘୋଷଣା କରିଛନ୍ତି । ପ୍ରତି ଯବାନଙ୍କ ପରିବାରକୁ ୨୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଏହି ରାଶି ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପ୍ରଦାନ କରାଯିବ । ଗତ ସୋମବାର ଲାଦାଖ ସୀମାରେ ଭାରତ ଓ ଚୀନ ସୈନିକଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଥିଲା । ଯେଉଁଥିରେ ୨୦ ଜଣ ଭାରତୀୟ ସେନା ସହିଦ ହୋଇଥିଲେ । ସେମାନଙ୍କ ମଧ୍ୟରେ ଦୁଇ ଜଣ ଓଡ଼ିଆ ବି ସାମିଲ ଥିଲେ । ଚୀନର ଏଭଳି ବର୍ବର କାଣ୍ଡ ପାଇଁ ସାରା ଦେଶରେ ଏହାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ବିଭିନ୍ନ ସ୍ଥାନରେ ସହିଦଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳୀ ଦିଆଯିବା ସହ ସମସ୍ତେ ଚୀନ ପ୍ରସ୍ତୁତ ପ୍ରଡକ୍ଟ ବର୍ଜନ କରିବାକୁ ଆହ୍ୱାନ ଦିଆଯାଇଛି ।