ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ: ଦୈନିକ ପରୀକ୍ଷଣ ୧୫ ହଜାରରୁ ବୃଦ୍ଧି, ଗ୍ରୀନ୍ ଜୋନରେ ସ୍ୱାଭାବିକ୍ ଅବସ୍ଥା ଫେରିବ

ଭୁ‌ବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍ସିଂ ଜରିଆରେ ରାଜ୍ୟରେ କରୋନା ସଂକ୍ରମଣ ଓ ଏଥିପାଇଁ ଉପୁଜିଥିବା ପରିସ୍ଥିତି ସଂପର୍କରେ ବରିଷ୍ଠ ଅଧିକାରୀମାନଙ୍କ ସହ ସମୀକ୍ଷା କରିଛନ୍ତି। ଏଥିରେ ମୁଖ୍ୟତଃ ବାହାରୁ ଆସିଥିବା ଶ୍ରମିକମାନଙ୍କ ପାଇଁ ଆବଶ୍ୟକୀୟ ବ୍ୟବସ୍ଥା, ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର, ପରୀକ୍ଷଣ, କୋଭିଡ୍‌ ଚିକିତ୍ସା ପାଇଁ ଆବଶ୍ୟକୀୟ ଉପକରଣ ସଂଗ୍ରହ, ଫସଲ ପରିସ୍ଥିତି, ଶ୍ରମଭିତ୍ତିକ କାର୍ଯ୍ୟ, ଆଇନ୍‌ ଶୃଙ୍ଖଳା  ଏବଂ ଶିଳ୍ପ କ୍ଷେତ୍ରର ସମସ୍ୟା ସଂପର୍କରେ ଆଲୋଚନା ହୋଇଛି।

କ‌େରୋନା ମୁକାବିଲା ପାଇଁ କାର୍ଯ୍ୟ କରୁଥିବା ରାଜ୍ୟର ବିଭିନ୍ନ ଯୋଦ୍ଧାମାନଙ୍କୁ ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଦେବା ସହ ଆଗାମୀ ମୁକାବିଲା ପାଇଁ ଆହୁରି ସତର୍କ ରହିବାକୁ ସେ ଆହ୍ବାନ ଦେଇଛନ୍ତି। ସଂପୂର୍ଣ୍ଣ ପରିସ୍ଥିତିର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିମ୍ନୋକ୍ତ ପରାମର୍ଶ ଦେଇଛନ୍ତି।

-ରାଜ୍ୟରେ ଦୈନିକ ପରୀକ୍ଷଣ ୧୫ ହଜାରକୁ ବୃଦ୍ଧି କରିବା ପାଇଁ ପଦକ୍ଷେପ ନିଆଯିବ।

-ସୁରତରୁ ଓଡ଼ିଶାକୁ ଦୀର୍ଘ ପଥ ବସ୍‌ରେ ଫେରିବା ସମୟରେ ଖାଇବା ପିଇବାରେ ଅସୁବିଧା, ଅଂଶୁଘାତ, ଦୁର୍ଘଟଣା ଆଦି ସମସ୍ୟା ଉପୁଜିପାରେ ବୋଲି ଚିନ୍ତା କରି ପ୍ରବାସୀମାନଙ୍କୁ ଟ୍ରେନ୍‌ ଯୋଗ‌େ ଫେରାଇ ଆଣିବା ପାଇଁ ସରକାର ନିଷ୍ପତି ନେଇଛନ୍ତି।

-ଗ୍ରୀନ୍ ଜୋନ୍‌ରେ କୃଷି କାର୍ଯ୍ୟ, ଶିଳ୍ପ, ଜୀବନଜୀବିକା ଓ ପରିବହନ ସ୍ୱାଭାବିକ କରାଯିବ।

-ଶିଳ୍ପ ସଂସ୍ଥାଗୁଡ଼ିକର ସମସ୍ୟାର ସମାଧାନ ପାଇଁ ଏକ ଆଦର୍ଶ ନୀତି ପ୍ରଣୟନ କରାଯିବ।

-ଚାଷୀ ଓ ଏସ୍‌ଏଚ୍‌ଜିମାନଙ୍କ ଋଣ ସହାୟତା ବୃଦ୍ଧି କରାଯିବ।

-ମିଶନ ଶକ୍ତିର ମାଆମାନଙ୍କୁ ପ୍ରତି ମିଲ୍‌ ପିଚ୍ଛା ୨ ଟଙ୍କା ଲେଖାଏ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ପ୍ରୋତ୍ସାହନା ଦିଆଯିବ।

-ଗଞ୍ଜାମ, କେନ୍ଦ୍ରପଡ଼ା, ଭଦ୍ରକ, ବଲାଙ୍ଗୀର,  ଯାଜପୁର ଓ ବାଲେଶ୍ୱର ପରି ଜିଲ୍ଲା, ଯେଉଁଠାରେ କି ଅଧିକ ଲୋକ ବାହାର ରାଜ୍ୟରେ କାମ କରୁଛନ୍ତି ‌ସେମାନଙ୍କୁ ସ୍ୱତନ୍ତ୍ର ଦୃଷ୍ଟି ଦିଆଯିବ।

-ଆଗାମୀ ଖରିପ ଋତୁ ପାଇଁ ବିହନ ଏବଂ ଅନ୍ୟାନ୍ୟ କୃଷି ଉପକରଣ ଯେପରି ସୁବିଧାରେ  ଚାଷୀମାନେ ପାଇପାରିବେ ସେ ଦିଗରେ ପଦକ୍ଷେପ ନିଆଯିବ।