ରାଜ୍ୟକୁ ଆସୁଥିବା ପ୍ରବାସୀ ଓଡ଼ିଆଙ୍କ ସବୁ ଖର୍ଚ୍ଚ ବହନ କରିବେ ସରକାର

ଭୁବନେଶ୍ୱର :ରାଜ୍ୟକୁ ଆସୁଥିବା ପ୍ରବାସୀ ଓଡ଼ିଆଙ୍କ ସବୁ ଖର୍ଚ୍ଚ ଓଡ଼ିଶା ସରକାର ବହନ କରିବେ ବୋଲି ଘୋଷଣା କରାଯାଇଛି । ଏନେଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ପଂଚାୟତିରାଜ ଓ ଗୃହନିର୍ମାଣ ବିଭାଗକୁ ଚିଠି ଲେଖିଛନ୍ତି ସରକାର । ପ୍ରବାସୀ ଓଡ଼ିଆଙ୍କ ପାଇଁ ରାଜ୍ୟରେ ହେବ ଅସ୍ଥାୟୀ ମେଡିକାଲ କ୍ୟାମ୍ପ । ରାଜ୍ୟକୁ ଫେରିବା ପରେ ପରେ ଏମାନଙ୍କୁ ୧୪ ଦିନ ପାଇଁ କ୍ୱାରେନଂଟାଇନ୍ ରେ ରଖାଯିବ। ଏଠାରେ କ୍ୱାରେନଂଟାଇନ୍ ରେ ୧୪ ଦିନ ପାଇଁ ଜଣ ପିଛା କେତେ ଖର୍ଚ୍ଚ ହେବ ସେ ନେଇ ମଧ୍ୟ ସରକାର ଘୋଷଣା କରିଛନ୍ତି ।

କ୍ୱାରେନଂଟାଇନ୍ ରେ ପ୍ରତି ସାବାଳକଙ୍କ ପାଇଁ ଜଣ ପିଛା ଖାଦ୍ୟ ବାବଦରେ ଖର୍ଚ୍ଚ ହେବ ୧୨୦ ଟଙ୍କା ଓ ୧୪ ବର୍ଷରୁ କମ୍ ବୟସ ପିଲାଙ୍କ ପାଇଁ ଖାଦ୍ୟ ବାବଦରେ ୧୦୦ ଟଙ୍କା ଖର୍ଚ୍ଚ ହେବ । ପ୍ରତି ବ୍ୟକ୍ତିଙ୍କ ସ୍ୱଚ୍ଛତା ରକ୍ଷା ବାବାଦରେ ୩୦୦ ଟଙ୍କା । ପ୍ରତ୍ୟକ ଦିନ ସକାଳ ୮ଟାରୁ ୯ଟା ମଧ୍ୟରେ ଜଳଖିଆ , ମଧ୍ୟାହ୍ନ ୧୨ଟା ୩୦ରୁ ୨ ଟା ମଧ୍ୟରେ ମଧ୍ୟାହ୍ନ ଭୋଜନ, ସଂଧ୍ୟାରେ ଚା ଓ ବିସ୍କୁଟ୍ ଏବଂ ସାଢେ ୭ଟାରୁ ୯ଟା ମଧ୍ୟରେ ରାତ୍ରି ଭୋଜନ ଯୋଗାଇ ଦିଆଯିବ କ୍ୱାରେନଂଟାଇନ୍ କ୍ୟାମ୍ପରେ । ସେହିପରି ସମସ୍ତଙ୍କୁ ଦାନ୍ତ ଘଷା ବ୍ରସଠାରୁ ଆରମ୍ଭ କରି ସାବୁନ, ତେଲ, ମାସ୍କ , ସାନିଟାଇଜର, ମଗ , ବାଲଟି ପ୍ରଭୃତି ଯୋଗାଇ ଦିଆଯିବ । ପ୍ରତ୍ୟେକ ବେଡ ପାଇଁ ଦୁଇଟି ବେଡସିଟ୍ ଓ ଦୁଇଟି ତକିଆ ରହିବ । ସଫାସୁତୁରା, ସାନିଟାଇଜେସନ୍, ସୁରକ୍ଷା ବାବଦରେ ଦୈନିକ ଖର୍ଚ୍ଚ୨ ହଜାର ଟଙ୍କା ଭିତରେ ରଖାଯିବ ।

ଅସ୍ଥାୟା ମେଡିକାଲ୍ କ୍ୟାମ୍ପରେ ପ୍ରତ୍ୟେକ ବ୍ୟକ୍ତି ଓ ତାଙ୍କ ବାବଦରେ ଖର୍ଚ୍ଚକୁ ରେଜିଷ୍ଟ୍ରାରରେ ଲେଖାଯିବ । ପ୍ରତ୍ୟେକ ଜିଲ୍ଲା ଏହାର ସମସ୍ତ ତଥ୍ୟକୁ ୱେବସାଇଟରେ ଅପଲୋଡ୍ କରିବେ ବୋଲି କହିଛନ୍ତି ସରକାର । ପ୍ରତ୍ୟେକ ଦିନ ଏସବୁ କାମର ତଦାରଖ କରାଯିବ ବୋଲି କହିଛନ୍ତି ସରକାର।