କରୋନା ପାଇଁ ରାଜ୍ୟର ସମସ୍ତ ସରପଂଚମାନଙ୍କୁ ଶପଥ ପାଠ କରାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନା ମୁକାବିଲି ପାଇଁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟର ସମସ୍ତ ସରପଂଚମାନଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତ ସରପଂଚମାନଙ୍କୁ ଶପଥ ପାଠ କରାଯାଇଛନ୍ତି ।

ସରପଂଚମାନେ ଗାଁରେ କରୋନାକୁ ପଶେଇ ନ ଦେବାକୁ ଶପଥ ନେଇଛନ୍ତି। ଗାଁରେ ବାହାରୁ ଆସୁଥିବା ଲୋକଙ୍କୁ ସଂଗରୋଧରେ ରଖିବାକୁ ସରପଂଚମାନେ ଶପଥ ନେଇଛନ୍ତି । ସେମାନଙ୍କ ରହିବା, ଖାଇବା ଓ ଚିକିତ୍ସାର ଉଚିତ ବ୍ୟବସ୍ଥା କରାଯିବ । କରୋନାକୁ ରୋକିବା ପାଇଁ ସରକାରଙ୍କ ସବୁ ପଦକ୍ଷେପକୁ କଡ଼ାକଡ଼ି ଭାବେ ପାଳନ କରାଯିବ । କରୋନା ରୋକିବା ପାଇଁ ଦିଆଯାଇଥିବା ଦାୟିତ୍ୱ ଓ ଲୋକଙ୍କ ମଙ୍ଗଳ ପାଇଁ ନିଷ୍ଠାର ସହ ପାଳନ କରିବାକୁ ସରପଂଚମାନେ ଶପଥ ନେଇଛନ୍ତି।

କରୋନାକୁ ରୋକିବା ଲାଗି ସରପଂଚ, ୱାର୍ଡ ମେମ୍ବର୍ ଓ ଆଶାକର୍ମୀଙ୍କୁ ଦାୟିତ୍ୱ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟ ସରକାରଙ୍କ ପକ୍ଷରୁ ଯୁଦ୍ଧକାଳୀନ ଭିତିରେ ନୂଆ ନୂଆ ରଣନୀତିମାନ ଗ୍ରହଣ କରାଯାଉଛି । ଇତିମଧ୍ୟରେ କରୋନା ମୁକାବିଲା ରାଜ୍ୟର ସମସ୍ତ ସରପଂଚଙ୍କୁ ସାମିଲ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ତୃଣମୂଳ ସ୍ତରରେ ଯେଭଳି କରୋନାର ଗତିରୋଧ କରାଯାଇପାରିବ, ସେଥିପ୍ରତି ଦୃଷ୍ଟି ଦେଇ ରାଜ୍ୟର ସମସ୍ତ ସରପଂଚମାନଙ୍କୁ ଜିଲ୍ଲାପାଳଙ୍କ କ୍ଷମତା ପ୍ରଦାନ କରି ଏକ ଐତିହାସିକ ନିଷ୍ପତି ନେଇଛନ୍ତି ରାଜ୍ୟ ସରକାର। ତେଣୁ କରୋନା ଯୁଦ୍ଧରେ କିଭଳି ନିଜକୁ ସଜାଗ ରଖିବେ ସେନେଇ ଆଜି ସବୁ ସରପଂଚମାନଙ୍କୁ ମନ୍ତ୍ର ଦେଇଛନ୍ତି ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।