ପୁରୀ ବିଶ୍ୱ ଐତିହ୍ୟ ନଗରୀ ପକଳ୍ପ ଅଗ୍ରଗତି ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା: ଐତିହ୍ୟ ସୁରକ୍ଷା ଜୋନ୍, ରଘୁନନ୍ଦନ ଲାଇବ୍ରେରୀ ଓ ବାସଗ୍ୟହ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନଠାରେ ପୁରୀ ବିଶ୍ୱ ଐତିହ୍ୟ ନଗରୀ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହିତ ୩ଟି ନୂଆ ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି ।

ଏହି ୩ଟି ପ୍ରକଳ୍ପ ମଧ୍ୟରୁ ପ୍ରଥମ ପ୍ରକଳ୍ପଟି ଐତିହ୍ୟ ସୁରକ୍ଷା ଅଂଚଳ । ଶ୍ରୀମନ୍ଦିରର ୭୫ମିଟର ଅଂଚଳ ମଧ୍ୟରେ ଏହାର ପବିତ୍ର ଭୌଗଳିକ ଅବସ୍ଥିତି, ବିିଭିନ୍ନ ପ୍ରାଚୀନ ଦେବାଦେବୀ ମୂର୍ତି, ଜଗନ୍ନାଥ ସଂସ୍କୃତି ସହ ସଂଶ୍ଳିଷ୍ଟ ବୃକ୍ଷଲତା, କଳା ସ୍ଥାପତ୍ୟ ଓ ଭୋଗ କ୍ଷେତ୍ରକୁ ଦୃଷ୍ଟିରେ ରଖି ଏିଂ ଅଂଚଳର ପୁନର୍ବିନ୍ୟାସ କରାଯିବ ।

ଜଗନ୍ନାଥ ସଂସ୍କୃତି, ମନ୍ଦିରର କଳା ଓ ଭାସ୍କର୍ଯ୍ୟ, ଐତିହ୍ୟ, କଳା ଇତିହାସ ତଥା ଜଗନ୍ନାଥ ସଂସ୍କୃତି ସହିତ ସଂଶ୍ଳିଷ୍ଟ ବୃକ୍ଷଲତାକୁ ଭିତିକରି ଯେଉଁ ପୁନର୍ବିନ୍ୟାସ କାର୍ଯ୍ୟକ୍ରମ କରାଯିବ, ତାହାର ପର୍ଯ୍ୟବେକ୍ଷଣ ପାଇଁ ଏକ ପ୍ୟାନେଲ ଗଠନ କରାଯିବ । ମେଘନାଦ ପାଚେରୀଠାରୁ ୭୫ ମିଟର ଅଂଚଳ ମଧ୍ୟରେ ଚଳାଚଳ ପାଇଁ ୧୫ ମିଟର ଅଂଚଳରେ ରାସ୍ତା କରାଯିବ ଏବଂ ବାକି ୬୦ ମିଟର ଅଂଚଳର ପୁନର୍ବିନାସ କରାଯିବ । ସେହିପରି ଏମ.ଆର ମଠ ଜମିର ଅଂଶରେ ରଘୁନନ୍ଦନ ଲାଇବ୍ରେରୀର ପୁନନିର୍ମାଣ କରାଯିବ । ଏହି ଲାଇବ୍ରେରୀକୁ ଜଗନ୍ନାଥ ସଂସ୍କୃତିର ଏକ ଗବେଷଣା କେନ୍ଦ୍ରଭାବେ ବିକଶିତ କରାଯିବ । ଏଥିପାଇଁ ୨୫ କୋଟି ଟଙ୍କା ବିନିଯୋଗ କରାଯିବ ।

ସେହିପରି ବିସ୍ଥାପତି ପରିବାର ପାଇଁ ମନ୍ଦିର ଠାରୁ ଦେଢ଼ କିଲୋମିଟର ଅଂଚଳ ମଧ୍ୟରେ ବିଭିନ୍ନ ସ୍ଥାନରେ ୬୦୦ଟି ଗୃହ ନିର୍ମାଣ କରାଯିବ । ପ୍ରତ୍ୟେକ ଘର ୫୨୦ ବର୍ଗଫୁଟରେ ନିର୍ମାଣ ହେବ । ଏଥିପାଇଁ ୯୫ କୋଟି ଟଙ୍କା ବିନିଯୋଗ କରାଯିବ ।

ସୂଚନାଯୋଗ୍ୟ, ଅବଢ଼ା ଯୋଜନାରେ ପ୍ରଥମ ପର୍ଯ୍ୟାୟରେ ୨୬୫ କୋଟି ଟଙ୍କା ବିନିଯୋଗରେ ବିଭିନ୍ନ ପ୍ରକଳ୍ପ ପାଇଁ କାମ ଆରମ୍ଭ ହୋଇଛି । ୨ୟ ପର୍ଯ୍ୟାୟରେ ୫୯୫ କୋଟି ଟଙ୍କା ବିନିଯୋଗରେ ଶ୍ରୀ ସେତୁ ପ୍ରକଳ୍ପ, ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ମୂଷା ନଦୀ ପୁନରୁଦ୍ଧାର, ପୁଷ୍କରଣୀର ସୌନ୍ଦର୍ଯ୍ୟକରଣ, ଅଠରନଳାର ବିକାଶ ଓ ମଠ ବିକାଶ କାର୍ଯ୍ୟକ୍ରମ ପାଇଁ ନିଷ୍ପତି କରାଯାଇଥିଲା । ୨ୟ ପର୍ଯ୍ୟାୟର ଏହିସବୁ ପ୍ରକଳ୍ପ ପାଇଁ ଯୋଜନା ଓ ଡିଜାଇନ୍ ପ୍ରସ୍ତୁତି ହୋଇସାରିଛି । ଏସବୁ ପ୍ରକଳ୍ପ ଗୁଡିକ ପାଇଁ ଖୁବ୍ ଶୀଘ୍ର ଟେଣ୍ଡର କରାଯାଇ କାର୍ଯ୍ୟ ଆରମ୍ଭ କରାଯିବ ।

ଏହି ବୈଠକରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଓ ପୂର୍ତ ସଚିବ ଙ୍କ ସହିତ ବିିଭିନ୍ନ ବିଭାଗର ପ୍ରମୁଖ ସଚିବ ଓ ସଚିବମାନେ ଉପସ୍ଥିତ ଥିଲେ ।