ମୁଖ୍ୟମନ୍ତ୍ରୀଙ୍କ ଐତିହାସିକ ଘୋଷଣା: ସରପଂଚମାନଙ୍କୁ ଜିଲ୍ଲାପାଳ କ୍ଷମତା

ଆଜି ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାର୍ତା ଦେଇଛନ୍ତି । ସେ ନିଜ ବାର୍ତାରେ କହିଛନ୍ତି ଯେ, ଗତ ୯ ତାରିଖରେ ଆପଣମାନଙ୍କ ସହ କଥା ହୋଇଥିଲି । ଏହି ୧୦ଦିନ ମଧ୍ୟରେ ବିଶ୍ୱରେ କରୋନା ପଜିଟିଭ୍ କେସ୍ ୧୫ ଲକ୍ଷରୁ ବଢ଼ି ୨୩ ଲକ୍ଷ ପହଂଚିଲାଣି ।

ଏହି ସମୟ ମଧ୍ୟରେ, ଆମ ଦେଶରେ କରୋନା ପଜିଟିଭ୍ କେସ୍ ତିନି ଗୁଣ ହୋଇ ୧୫ ହଜାରରେ ପହଂଚିଲାଣି । ମୃତ୍ୟୁ ସଂଖ୍ୟା ୨ ଗୁଣରୁ ଅଧିକ ହୋଇ ୨ଶହ ବଢ଼ି ୫୦୦ରୁ ଅଧିକ ହେଲାଣି । ଗତ ୯ ତାରିଖରେ ଓଡ଼ିଶାରେ ପଜିଟିଭ୍ କେସ୍ ୪୨ ଥିବାଏବଂ ମୃତ୍ୟୁ ସଂଖ୍ୟା ୧ ଥିଲା । ଆଜି ପଜିଟିଭ୍ ସଂଖ୍ୟା ୬୧ରେ ପହଂଚିଛି । ଆମର ଟେଷ୍ଟ ତିନି ଗୁଣ କରାଯାଇଛି ଏବଂ ଆମର ଆକ୍ଟିଭ୍ କେସ୍ ମଧ୍ୟ କମିଛି । ଏହା କେବଳ ଆପଣଙ୍କ ସହଯୋଗ ଓ ତ୍ୟାଗ ଯୋଗୁଁ ସମ୍ଭବ ହୋଇଛି ।

ଏ ଲଢ଼େଇ ଲମ୍ବା ଲଢ଼େଇ । ଏଥିପାଇଁ ଆମକୁ ଆଗକୁ ଅଧିକ ସାମଧାନ ରହିବାକୁ ପଡିବ । ଓଡ଼ିଶାରେ କରୋନା ନିୟମନ୍ତ୍ରଣ କରିବାରେ ଆମର ବାଧ୍ୟତାମୂଳକ ପଞ୍ଜିକରଣର ବହୁତ ବଡ ଭୂମିକର ରହିଛି । ବିଦେଶରୁ ଆସିଥିବା ଭାଇ ଭଉଣୀଙ୍କୁ ପଞ୍ଜିକରଣ ଏବଂ ବାଧ୍ୟତାମୂଳକ କ୍ୱାରେନଂଟାଇନ୍ ରେ ରଖିବା, ଏଥିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି ।

ଆମ ରାଜ୍ୟରେ ଅନ୍ୟ ରାଜ୍ୟମାନଙ୍କର ଏକ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ ରହିଯାଇଛନ୍ତି । ଆମେ ସେମାନଙ୍କର ଯତ୍ନ ନେଉଛୁ । ସେହିପରି ଅନ୍ୟ ରାଜ୍ୟରେ ମଧ୍ୟ ଓଡ଼ିଶାର ଲକ୍ଷ ଲକ୍ଷ ଭାଇ ଭଉଣୀମାନେ ରହିଯାଇଛନ୍ତି । ତୀର୍ଥ ପାଇଁ ଯାଇଥିବା ଲୋକ, ଛାତ୍ରଛାତ୍ରୀ, ପ୍ରଫେସନାଲ୍ସ୍ସ, ଶ୍ରମିକମାନେ, ରୋଗୀମାନେ ସମସ୍ତେ ରହିଯାଇଛନ୍ତି । ସେମାନଙ୍କ ଅବସ୍ଥା ମୋତେ ବହୁତ ଦୁଃଖ ଦେଉଛି । ଆମର ତଥା ସେହି ରାଜ୍ୟମାନଙ୍କର ସବୁ ଉଦ୍ୟମ ସତ୍ୱେ ଏପର୍ଯ୍ୟନ୍ତ ସେମାନଙ୍କର ଜୀବନ ସ୍ୱାଭାବିକ୍ ହୋଇପାରିନାହିଁ ।

ଯେତେବେଳେ କଟକଣା ଉଠିଯିବ, ସେତେବେଳେ ଆମେ କେନ୍ଦ୍ର ସରକାରଙ୍କ ସହିତ ତଥା ଅନ୍ୟ ରାଜ୍ୟମାନଙ୍କ ସହିତ ଆଲୋଚନା କରିବୁ । ଆମ ଲୋକମାନେ ଯେପରି ସୁବିଧାରେ ଫେରିବେ ସେଥିପାଇଁ ଆମେ ବ୍ୟବସ୍ଥା କରିବୁ । ଏଥିପାଇଁ ଟେକ୍ନୋଲୋଜିର ସୁବିଧା ନେବୁ । କିନ୍ତୁ ସମସ୍ୟା ବହୁତ ବଡ଼ । ମାନବିକତା ଦୃଷ୍ଟିରୁ ନିଷ୍ପତି ନେବାକୁ ହେବ । ଏଥିପାଇଁ କମ୍ୟୁନିଟିର ସହଯୋଗ ଦରକାର । ଗ୍ରାମପଂଚାୟତ ଓ ସହରାଂଚଳ ଲୋକମାନଙ୍କୁ ସାଥିରେ ନେଇ କାମ କରିବା ଦରକାର ।

ପ୍ରତି ପଂଚାୟତରେ ପଞ୍ଜିକରଣର ସୁବିଧା ରହିବ । ଅନ୍ୟ ରାଜ୍ୟରୁ ଗାଁକୁ ଫେରୁଥିବା ଲୋକଙ୍କ ପାଇଁ ପଞ୍ଜିକରଣ ବାଧ୍ୟତାମୂଳକ କରାଯାଇଛି । ସେମାନଙ୍କ ପରିବାର ଓ ବନ୍ଧୁମାନେ ହିଁ ପଂଚାୟତରେ ପଞ୍ଜିକରଣ କରିବେ । ସେମାନଙ୍କୁ ସେମାନଙ୍କ ପଂଚାୟତରେ ୧୪ଦିନ ପାଇଁ କ୍ୱାରେନଂଟାଇନ୍ ରେ ରଖାଯିବ । ସେମାନଙ୍କର ଖାଇବା, ରହିବା ଓ ଚିକିତ୍ସା ସବୁ ମାଗଣାରେ ଯୋଗାଇ ଦିଆଯିବ । କ୍ୱାରେନଂଟାଇନ୍ ସମୟ ସରିବା ପରେ ୨୦୦୦ ଟଙ୍କା ଇନସେଟିଭ୍ ଭାବେ ଦିଆଯିବ ।

ଅନ୍ୟ ରାଜ୍ୟରୁ ଫେରୁଥିବା ଲୋକମାନଙ୍କ ପଞ୍ଜିକରଣ ଓ କ୍ୱାରେନଂଟାଇନ୍‌, ସେମାନଙ୍କର ତଥା ସେମାନଙ୍କ ପରିବାର, ସମାଜ ଓ ରାଜ୍ୟର ମଙ୍ଗଳ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ । ଏହି କାର୍ଯ୍ୟକୁ ମାନବୀୟ ଦୃଷ୍ଟିରୁ ଗ୍ରହଣ କରି ଠିକ୍ ଭାବେ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି । କୋଭିଡ-୧୯ ନିୟମନ୍ତ୍ରଣ ପାଇଁ ରାଜ୍ୟ ସରକାର ସରପଂଚମାନଙ୍କୁ ଜିଲ୍ଲାପାଳ କ୍ଷମତା ଦେଇଛନ୍ତି । ଏଥିପାଇଁ ଆଇନଗତ ପଦକ୍ଷେପ ନିଆଯାଇଛି ।