ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ସହରାଂଚଳରେ ଶ୍ରମଭିତିକ କାର୍ଯ୍ୟ ପାଇଁ ୧୦୦କୋଟି ଟଙ୍କା ମଞ୍ଜୁର
୪.୫ ଲକ୍ଷ ପରିବାର ହେବେ ଉପକୃତ
ଭୁବନେଶ୍ୱର: କୋଭିଡ -୧୯ ସାରା ବିଶ୍ୱରେ କେବଳ ଏକ ସ୍ୱାସ୍ଥ୍ୟ ସମସ୍ୟା ନୁହେଁ, ଏହା ଅନେକ ଅର୍ଥନୈତିକ ଓ ସାମାଜିକ ସମସ୍ୟା ମଧ୍ୟ ସୃଷ୍ଟି କରିଛି । ଏହାକର ମୁକାବିଲା କରିବା ତଥା ରାଜ୍ୟର ୧୧୪ଟି ପୌରାଂଚଳର ସହର ମାନଙ୍କରେ ରହୁଥିବା ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ଲୋକଙ୍କୁ ରୋଜଗାର ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ୧୦୦କୋଟି ଟଙ୍କାର ଯୋଜନା ଘୋଷଣା କରିଛନ୍ତି । ଏଥିରେ ଶ୍ରମଭିତିକ କାର୍ଯ୍ୟ ଉପରେ ଗୁରୁତ୍ୱ ଦିଆଯାଇଛି । ଏହାଦ୍ୱାରା ସହରାଂଚଳର ୪ଲକ୍ଷ ୫୦ ହଜାର ପରିବାର ଉପକୃତ ହେବେ । ଚଳିତ ଅପ୍ରେଲ ମାସରୁ ଆରମ୍ଭ ହୋଇ ଏହା ଆଗାମୀ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ଚାଲିବ । ମିଶନ ଶକ୍ତିର ମା’ ମାନଙ୍କ ସହାୟତା ଓ ସହଭାଗିତାରେ ଏହି କାର୍ଯ୍ୟକ୍ରମ କରାଯିବ । ହିତାଧିକାରୀମାନଙ୍କ ମଜୁରୀ ପ୍ରତି ସପ୍ତାହରେ ସେମାନଙ୍କ ବ୍ୟାଙ୍କ ଆକାଉଂଟକୁ ସିଧାସଳଖ ପଠାଯିବ ।
ବର୍ତମାନ ସମୟରେ ରାଜ୍ୟ ସରକାର ସହରାଂଚଳର ଗରିବ ଲୋକଙ୍କମାନଙ୍କୁ ରୋଜଗାର ଦେବା ପାଇଁ ଅର୍ବାନ ୱେଜ୍ ଏମ୍ପ୍ଲୟମେଂଟ ଇନିସିଏଟିଭ ନାମରେ ଏକ ଜରୁରୀକାଳୀନ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ ନିଷ୍ପତି ନେଇଛନ୍ତି । ଏହାଦ୍ୱାରା ରାଜ୍ୟର ୧୧୪ଟି ପୌରାଂଚଳ ଗୁଡିକରେ ରହୁଥିବା ଶ୍ରମିକ, ଗରିବ ଲୋକ ଓ ଦିନ ମଜୁରିଆ ଶ୍ରେୀଣୀର ଲୋକମାନଙ୍କ ପାଇଁ ଜୀବିକା ସୃଷ୍ଟି କରାଯିବ ।
ଏହି ଯୋଜନାରେ ସହରାଂଚଳରେ ଅନେକ ଶ୍ରମିଭିତିକ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବ । ଏଥିରେ ଡ୍ରେନ୍ ଗୁଡିକରୁ ମାଟି ଓ ଅନ୍ୟାନ୍ୟ ବର୍ଜ୍ୟବସ୍ତୁର ସଫେଇ, ଜଳାଶୟ ଖନନ ଓ ନବୀକରଣ, ପାର୍କ, ଖେଳପଡିଆ ଓ ଅନ୍ୟାନ୍ୟ ଖୋଲାସ୍ଥାନ ଗୁଡିକର ଉନ୍ନତିକରଣ ଏବଂ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କ ସାମୟିକ କାର୍ଯ୍ୟକ୍ଷେତ୍ର ନିର୍ମାଣ, ବନୀକରଣ, ଶୌଚାଳୟ ନିର୍ମାଣ ଏବଂ ସହାରାଂଚଳର ସୌନ୍ଦର୍ଯ୍ୟକରଣ ସହିତ ନିର୍ମାଣ ଅବଶେଷର ନିଷ୍କାସନ ସହିତ ଅନ୍ୟାନ୍ୟ ଶ୍ରମିଭିତିକ ବିକାଶମୂଳକ କାର୍ଯ୍ୟକ୍ରମ ଗ୍ରହଣ କରାଯିବ । ଏହାସହିତ ସ୍ଥାନୀୟ ଶିଳ୍ପୀ ଓ କାରିଗରମାନଙ୍କୁ ରୋଜଗାର ଦେବା ପାଇଁ କାନ୍ଥରେ ଚିତ୍ରାଙ୍କନ ଇତ୍ୟାଦି କାର୍ଯ୍ୟକ୍ରମର ସୁଯୋଗ ସୃଷ୍ଟି କରାଯିବ ।
ଏହି କାର୍ଯ୍ୟକ୍ରମ ସମୟରେ ସାମାଜିକ ଦୂରତ୍ୱ ଓ କୋଭିଡ-୧୯ ମୁକାବିଲା ପାଇଁ ସରକାର ଜାରି କରିଥିବା ବିଭିନ୍ନ ନିର୍ଦ୍ଦେଶାବଳୀ ଅନୁପାଳନ କରାଯିବା ଉପରେ ଗୁରୁତ୍ୱ ଆରୋପ କରାଯିବ । ଏହି କାର୍ଯ୍ୟକ୍ରମ ଅର୍ଥନୈତିକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ବିଶେଷ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।