ରାଜ୍ୟର ପ୍ରଥମ କାଡାଭାରିକ୍ ପ୍ରତ୍ୟାରୋପଣ ଡାକ୍ତରଙ୍କୁ ଧନ୍ୟବାଦ ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଗତ ୪ତାରିଖ ଦିନ ମସ୍ତିଷ୍କ ମୃତ୍ୟୁ ଘଟିଥିବା ଗଞ୍ଜାବର ପି. ପ୍ରିୟଙ୍କାରାଣୀ ପାତ୍ରଙ୍କ କିଡନୀ ୨ଟି ସଫଳତାର ସହ ପ୍ରତ୍ୟାରୋପଣ କରି ଦୁଇଜଈଙ୍କ ଜୀବନ ରକ୍ଷା କରିଥିବା ଏସସିବି ମେଡିକାଲ କଲେଜ, କଟକ ଏବଂ ଆପୋଲ ହସ୍ପିଟାଲ, ଭୁବନେଶ୍ୱରର ଡାକ୍ତରମାନଙ୍କୁ ସୋମବାର ଲୋକସଭା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭେଟି ସେମାନଙ୍କର ସଫଳତା ପାଇଁ ଧନ୍ୟବାଦ ଜଣାଇଥିଲେ । ଏହି ପ୍ରଥମ କାଡାଭାରିକ୍ କିଡନୀ ପ୍ରତ୍ୟାରୋପଣକୁ ରାଜ୍ୟରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏକ ମାଇଲ ଖୁଂଟ ଭାବେ ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ଡାକ୍ତରମାନଙ୍କର ଦକ୍ଷତାର ଉଚ୍ଚପ୍ରଂଶସା କରିଥିଲେ । ଆଗାମୀ ଦିନରେ ଅଙ୍ଗ ପ୍ରତ୍ୟାରୋପଣ ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗଇ ଦେବା ପାଇଁ ଏ ଦିଗରେ ବ୍ୟାପକ ଜନସଚେତନତା ଉପରେ ଗୁରୁତ୍ୱ ଦେଇଥିଲେ ।

ସୂଚନାଯୋଗ୍ୟ, ମୃତ୍ୟୂ ପରେ ଅଙ୍ଗଦାନକୁ ଉତ୍ସାହିତ କରିବା ପାଇଁ ରାଜ୍ୟ ସରକାର ମୁରଜ ସମ୍ମାନ ଘୋଷଣା କରିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ନବ ଦାସ ମଧ୍ୟ ଡାକ୍ତରମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ । ୫ଟି ସଚିବ ଶ୍ରୀ ଭି.କେ ପାଣ୍ଡିଆନ କହିଥିଲେ ଯେ, ମୃତ ବ୍ୟକ୍ତିଙ୍କର ଅଙ୍ଗଦାନ ଏକ ମହତ୍ ଦାନ ଏବଂ ଏହାଦ୍ୱାରା ଅନ୍ୟମାନଙ୍କ ଜୀବନ ରକ୍ଷା ଯେପରି ହୋଇପାରିବ, ସେଥିପାଇଁ ଆବଶ୍ୟକ ପଡିଲେ ହେଲିକପ୍ଟର ସୁବିଧା ଯୋଗାଇ ଦିଆଯିବ ।

ପ୍ରାରମ୍ଭରେ ସ୍ୱାସ୍ଥ୍ୟ ବିଭାଗର ପ୍ରମୁଖ ସଚିବ ଶ୍ରୀ ନିକୁଞ୍ଜ ଧଳ ପ୍ରାରମ୍ଭିକ ସୂଚନା ଦେଇଥିଲେ । କଟକ ଏସସିବି ମେଡିକାଲ କଲେଜ ୟୁରୋଲୋଜି ବିଭାଗର ମୁଖ୍ୟ ପ୍ରଫେସର ଡଃ ଚିତରଞ୍ଜନ କର ଏବଂ ଆପୋଲ ହସ୍ପିଟାଲର ନେଫ୍ରୋଲୋଜି ବିଭାଗର ମୁଖ୍ୟ ଡଃ ସମୀରନ୍ ଦାସ ଅଧିକାରୀ ମୃତ ବ୍ୟକ୍ତିଙ୍କ ଅଙ୍ଗ ସଂଗ୍ରହ ଏବଂ ପ୍ରତ୍ୟାରୋପଣ ସମ୍ପର୍କରେ ବିସ୍ତୃତ ସୂଚନା ଦେଇଥିଲେ ।

କିଡନୀ ପ୍ରତ୍ୟାରୋପଣ ହୋଇଥିବା ଦୁଇ ଜଣ ଯାକ ରୋଗୀ ସୁସ୍ଥ ଅଛନ୍ତି ବୋଲି ବୈଠକରେ ସୂଚନା ଦିଆଯାଇଥିଲା । କଟକ ଏସସିବି ମେଡିକାଲ କଲେଜର ଟ୍ରାନ୍ସପ୍ଲାଂଟ ସରଜନ୍ ଓ ୟୁରୋଲୋଜି ବିଭାଗର ପ୍ରଫେସର ଡଃ ଦତେଶ୍ୱର ହୋତା, ପ୍ରଫେସର ଜୟଶ୍ରୀ ମହାଦନ୍ତି, ପ୍ରଫେସର ସରୋଜକାନ୍ତ ସାହୁ, ଡଃ ସବ୍ୟସାଚୀ ପଣ୍ଡା, ଡଃ ସଞ୍ଜୟ ଚୌଧୁରୀ. ଡଃ କଲ୍ୟାଣୀବାଳା ନାୟକ, ଡଃ ରୁଦ୍ରାଶିଷ ସାମଲ, ଅନିନ୍ଦିତା ସାବତ, ସୁମନ ସିଂ, ରମାକାନ୍ତ ପଣ୍ଡା, ସାବିତ୍ରୀ ଦାସ ଓ ଡଃ ଏଲ.ଏନ୍ ବେହେରା ଏବଂ ଆପୋଲ ହସ୍ପିଟାଲର ମିଃ ସୁଧୀର ଦିଗିକର, ଡଃ ସମୀରୋନ୍ଦସ ଅଧିକାରୀ, ଡଃ ଶର୍ମିଲୀ ସିହ୍ନା, ଡଃ ବିବେକାନନ୍ଦ ପଣ୍ଡା, ଡଃ ଦେବବ୍ରତ ଦାଶ, ଡଃ ସୁବ୍ରତ ସାହୁ, ଡଃ ନିତିଶ ମହାନ୍ତି ଏବଂ ମିଃ ଅଶୋକ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।