ବରଗଡ ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୩୦ ଶଯ୍ୟା ବିଶିଷ୍ଟ ଅରବାନ୍ ସିଏଚସି କାର୍ଯ୍ୟ କରିବ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଜନସାଧାରଣଙ୍କ ସୁବିଧାକ ଦୃଷ୍ଟି ରଖି ବରଗଡର ପୁରୁଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏକ ୩୦ ଶଯ୍ୟା ବିଶିଷ୍ଟ ଅରବାନ୍ ସିଏଚସି କାର୍ଯ୍ୟ କରିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହାସହିତ ରୋଗୀମାନେ ଯେପରି ସୁବିଧାରେ ନୂଆ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଇପାରିବେ ସେଥିପାଇଁ ପୁରୁଣା ଡାକ୍ତରଖାନାରୁ ମାଗଣାରେ ଆମ୍ବୁଲାନ୍ସ ଓ ବସ୍ ସେବା ଯୋଗାଇ ଦେବା ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅରବାନ୍ ସିଏଚସିରେ ଲୋକଙ୍କୁ ଜରୁରୀକାଳୀନ ଚିକିତ୍ସାସେବା, ଓପିଡି ସେବା ଯୋଗାଇ ଦିଆଯିବ ।

ଆଜି ଲୋକସେବା ଭବନଠାରେ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ, ସାଂସଦ ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ଶ୍ରୀ ଦେବେଶ ଆଚାର୍ଯ୍ୟ ଏବଂ ପୂର୍ବତନ ମନ୍ତ୍ରୀ ଶ୍ରୀ ବିମ୍ବାଧର କୁଅଁର ପ୍ରମୁଖ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ବରଗଡର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ପର୍କିତ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ଜନସାଧାରଣଙ୍କ ସମସ୍ୟାପ୍ରତି ରାଜ୍ୟ ସରକାର ସବୁବେଳେ ସହାନୁଭୁତିମୂଳକ ଦୃଷ୍ଟିଭଙ୍ଗୀ ପୋଷଣ କରିଆସିଛନ୍ତି । ତେଣୁ ଜନସାଧାରଣଙ୍କ ବୃହତର ସ୍ୱାର୍ଥ ଦୃଷ୍ଟିରୁ ସରକାରଙ୍କ ପଦକ୍ଷେପରେ ସହଯୋଗ କରିବା ପାଇଁ ମୁଖ୍ୟମନ୍ତ୍ରୀ ବରଗଡ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି ।