ରିଙ୍ଗ ରୋଡ ହେବ ୬ ଥାକିଆ: ମୁଖ୍ୟମନ୍ତ୍ରୀ

କଟକ ଏସ.ସି.ବି ମେଡିକାଲ କଲେଜ ବିକାଶ କାର୍ଯ୍ୟ ମାର୍ଚ୍ଚରୁ ଆରମ୍ଭ ହେବ

କଟକ: ହଜାର ବର୍ଷର ସହର ଆମ କଟକ ସହର । ଅନେ ଐତିହାସିକ ସ୍ମୃତି ବହନ କରୁଛି ଆମର ପ୍ରିୟ କଟକ ସହର । ତେଣୁ ଏହାର ସମୁଚିତ ବିକାଶ ଆମ ସମସ୍ତଙ୍କର ମିଳିତ ଦାୟିତ୍ୱ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ସହରର ବିକାଶରେ ସହରବାସୀଙ୍କ ସହଯୋଗ କାମନା କରିଛନ୍ତି । କଟକ ସହର ପାଇଁ ଏକ ବିଧିବଦ୍ଧ Decongestion plan କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏଥିରେ ରାସ୍ତାଘାଟର ପ୍ରଶସ୍ତିକରଣ ସହିତ ମୁକ୍ତ ପରିବେଶ, ଉଦ୍ୟାନ ଏବଂ ସବୁଜିମା ସହିତ ଅତ୍ୟାଧୁନିକ ଭିତିଭୂମିର ବିକାଶ କରାଯାଇ କଟକ ସହରକୁ ନୂଆ ରୂପ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଆଜି ମୁଖ୍ୟମନ୍ତ୍ରୀ କଟକ ଗସ୍ତରେ ଯାଇ ମାତା ମଠ ନିକଟରେ ମହାନବୀ କୂଳ ବୁଲି ଦେଖିବା ସହିତ ବିକାଶ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଥିଲେ । କଟକ ସହରର ଟ୍ରାଫିକ ସମସ୍ୟା ଦୂର କରିବା ପାଇଁ ରିଙ୍ଗ ରୋଡକୁ ୬ ଥାକିଆ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହାସହିତ କଟକ ଏସ.ସି.ବି ମେଡିକାଲ କଲେଜର ଉନ୍ନତିକରଣ କାର୍ଯ୍ୟ ଆସନ୍ତା ମାର୍ଚ୍ଚରେ ଆରମ୍ଭ କରାଯିବ ବୋଲି ମଧ୍ୟ ମ୍ୟୁମନ୍ତ୍ରୀ ଘୋଷଣା କରିଛନ୍ତି ।

ଐତିହାସିକ କଟକ ସହର ଦେଇ ପ୍ରବାହିତ ହେଉଛି ପବିତ୍ର ମହାନଦୀ । ଓଡ଼ିଶାର ଜୀବନରେଖା । ମହାନବୀର ପୁନଃରୁଦ୍ଧାର ଜମିରୁ କଟକ ସହରରେ ମୁକ୍ତ ପରିବେଶ ସହିତ ନଦୀର ସମ୍ମୁଖ ଭାଗର ବିକାଶ କରାଯାଇ ପର୍ଯ୍ୟଟନ ପାଇଁ ସୁଯୋଗ ସୃଷ୍ଟି କରାଯିବ ବୋଲି ବୈଠକରେ ନିଷ୍ପତି ହୋଇଥିଲା । ପୁନଃରୁଦ୍ଧାର ହୋଇଥିବା ୪୨୪ ଏକର ପରିମିତ ଜମିର ପ୍ରତିଟି ଇଂଚକୁ ସହରବାସୀଙ୍କ ସୁଖ ସୁବିଧା ଓ ମୌଳିକ ଆବଶ୍ୟକତା ପୂରଣ ପାଇଁ ବିନିଯୋଗ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । କ୍ରୀଡାଠାରୁ ଆରମ୍ଭ କରି ସାଂସ୍କୃତିକ ତଥା ଅବସର ବିନୋଦନ ଏବଂ ପରିବେଶର ଉନ୍ନତି ନିମନ୍ତେ ଏଠାରେ ପଦକ୍ଷେପ ନିଆଯିବ । ଏହି ଜମିର ଅଧିକାଂଶ ଅଂଚଳ ସବୁଜିମା ସୃଷ୍ଟି ପାଇଁ ବିନିଯୋଗ କରାଯିବ ।

କଟକ ସହର ପାଇଁ ଏହିସବୁ ଯୋଜନା ନିମନ୍ତେ ଅଭିଜ୍ଞ ସହରାଂଚଳ ପ୍ରସ୍ତତିକାରୀଙ୍କୁ ନିୟୋଜିତ କରାଯିବ । ସେମାନଙ୍କ ସହରର ବିକାଶରେ ଜନସାଧାରଣଙ୍କର ଅବଦାନକୁ ଗୁରୁତ୍ୱ ଦେବା ନିମନ୍ତେ ଜନସାଧାରଣଙ୍କ ମତାମତକୁ ଗ୍ରହଣ କରାଯାଇ ଚୂଡାନ୍ତ ଯୋଜନା ପ୍ରସ୍ତୁତ କରାଯିବ ।

କଟକ ସହରର ବିକାଶ ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଆବଶ୍ୟକ ଆର୍ଥିକ ସମ୍ବଳ ଯୋଗାଇ ଦେବେ । ଏହି ଯୋଜନାକୁ ବାସ୍ତବ ରୂପ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କଟକ ସହରବାସୀଙ୍କର ସହଯୋଗ କାମନା କରିଛନ୍ତି ।